ଭୁବନେଶ୍ୱର : ଗୀତ ଗୋବିନ୍ଦର ରଚୟିତା ଜୟଦେବଙ୍କ ଜନ୍ମମାଟି ଜୟଦେବ ନିର୍ବାଚନ ମଣ୍ଡଳୀଠାରେ ଚାଷୀମାନଙ୍କ ଗଣପର୍ବ ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ ବିଜୁ ଜନତା ଦଳ ତରଫରୁ ବାଲିଅନ୍ତା ବ୍ଲକ ପୁରୁଣା ପ୍ରଧାନ ଗ୍ରାମ ପଞ୍ଚାୟତଠାରେ ମହାସମାରୋହରେ ପାଳନ କରାଯାଇଅଛି । ଅକ୍ଷୟ ତୃତୀୟା ରାଜ୍ୟକୃଷକ ସମାଜ ପାଇଁ ଏକ ମହତ୍ୱପୂର୍ଣ୍ଣ ଦିନ । ଏହି ଦିନ ଚଷା ପୁଅ ଭଗବାନକୁ ସ୍ମରଣ କରି ଭଲ ଫସଲ ପାଇବା ପାଇଁ ବିଲରେ ବିହନ ବୁଣି ତାର ଚାଷକାର୍ଯ୍ୟ ଆରମ୍ଭ କରେ ।
ଆଜି ସକାଳ ୧୦ ଘଟିକା ସମୟରେ ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟମାନେ ବାଲିଅନ୍ତା ବ୍ଲକ ପୁରୁଣା ପ୍ରଧାନ ପଞ୍ଚାୟତ ଅଫିସଠାରେ ଉପସ୍ଥିତ ହୋଇଥିଲେ । ସେଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଦଳୀୟ କର୍ମୀମାନେ ନେତୃମଣ୍ଡଳୀଙ୍କୁ ଉତ୍ସବ ସ୍ଥଳକୁ ପାଛୋଟି ନେଇଥିଲେ । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ସଭାସ୍ଥଳରେ ପ୍ରଦୀପ ପ୍ରଜ୍ୱଳନ କରିକ୍ଷେତକୁ ଯାଇ ଅଖିମୁଠି ଅନୁକୂଳ କରିଥିଲେ । ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ବିଭୂତି ବଳବନ୍ତରାୟ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୂପଶ୍ରୀରାଣୀ ଗୁମାନସିଂହ, ରାଜ୍ୟମିଡିଆ ସହସଂଯୋଜକ ଡ଼ ଲେନିନ ମହାନ୍ତି, ବରିଷ୍ଠ ନେତା କୌଳାସ ଚନ୍ଦ୍ର ମହାପାତ୍ର, ଚନ୍ଦନ ପାତ୍ର, ଦୁର୍ଗା ସାମନ୍ତରାୟ, ନାରାୟଣ ଜେନା, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଖୋର୍ଦ୍ଧା ମୁ୍ୟନିସିପାଲିଟି ଅଧ୍ୟକ୍ଷା କନକଲତା ମହାନ୍ତି, ବାଲିଅନ୍ତ ବାଲିପାଟଣା ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ଜିଲ୍ଲା ପରିଷଦ ସଭ୍ୟମାନେ ଉପସ୍ଥିତ ଥିଲେ ।
ଅଖିମୁଠି ଅନୁକୂଳ ପରେ ସ୍ଥାନୀୟ ବିଧାୟକ ନବ କିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଦାସବର୍ମା କହିଥିଲେ ଯେ, ଚାଷୀକୂଳର ଶୁଭ ମନାସିବା ସହ ଚାଷୀର କ୍ଷେତରେ ସୁନାର ଫସଲ ନିମନ୍ତେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ବିଗତ ଦିନରେ ନବୀନ ବାବୁ କିଭଳି ଚାଷୀମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା କରିଥିଲେ ତାହା ପ୍ରକାଶ କରିଥିଲେ ।







