ଭୁବନେଶ୍ୱର: ପ୍ରବଳ ଜନ ଅସନ୍ତୋଷ ସାଙ୍ଗକୁ ଦିଲ୍ଲୀ ଚାପ ସମ୍ଭାଳି ନ ଥିଲା ବିଜେପି । ଆଜି ବିଜେଡି ବି ସେଇ ରାସ୍ତା ଧରିଲା । ବିଧାୟକମାନଙ୍କ ଦରମା ବୃଦ୍ଧିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କଲେ । ପୂର୍ବରୁ ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବାକୁ ମନା କରିସାରିଛନ୍ତି । ସାଥୀ ବିଧାୟକମାନେ ଏହାକୁ ନେଇ ଅକଳରେ ପଡ଼ିଥିଲେ ଏବଂ କ’ଣ କରିବେ ଦୋଦୋ ପାଞ୍ଚରେ ଥିଲେ । ହେଲେ ଲୋକନିନ୍ଦା ଆଉ ସମ୍ଭାଳି ପାରିଲେନି । ବିଜେପି ଭଳି ୟୁ-ଟର୍ଣ୍ଣ ମାରିବାକୁ ବାଧ୍ୟ ହୋଇଛନ୍ତି ।
ଆଜି ଶଙ୍ଖଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ ଦେବ ବିଜେଡି ବିଧାୟକଙ୍କ ନିଷ୍ପତ୍ତି ଜଣାଇଛନ୍ତି । ସେମାନେ କହିଛନ୍ତି, ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇ ଡିସେମ୍ବର ୯ ତାରିଖ ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା । ତେବେ ଏହି ବର୍ଦ୍ଧିତ ଦରମା ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ଓ ଏହାକୁ ଗରିବ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ । ଏହି ବର୍ଦ୍ଧିତ ଦରମାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟାକୁ ସମ୍ମାନ ଜଣାଇ ଦଳର ସଭାପତିଙ୍କ ନିଦେ୍ର୍ଦଶକ୍ରମେ ବିଜେଡି ତରଫରୁ ଏହାକୁ ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛୁ । ମୁଖ୍ୟମନ୍ତ୍ରୀ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ଆମେ ଆଶା କରୁଛୁ ।
ସେପଟେ ପିସିସି ସଭାପତି ଭକ୍ତ ଚରଣ ଦାସ ବିଧାୟକଙ୍କ ଦରମା ବୃଦ୍ଧିକୁ ବିରୋଧ କରି ଆଜି ଗଣମାଧ୍ୟମରେ ବୟାନ ଦେଇଛନ୍ତି । ୩ ଗୁଣା ଦରମା ବୃଦ୍ଧି ନିଷ୍ପତ୍ତି କାହିଁକି ନିଆଗଲା ବୋଲି ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ରାଜ୍ୟରେ ପ୍ରବଳ ଜନଅସନ୍ତୋଷ ସୃଷ୍ଟି ହୋଇଥିବା ସେ ଚେତାଇ ଦେଇଛନ୍ତି ।
ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ଉଭୟ ଶାସକ ଓ ବିରୋଧୀ ଦଳର ନିଷ୍ପତ୍ତି ପରିବର୍ତ୍ତନକୁ ଜନମତର ବିଜୟ ହୋଇଛି କୁହାଯାଉଛି । ୟୁ-ଟର୍ଣ୍ଣ ମାରିଥିବା ବିଧାୟକମାନେ ଏଥିପାଇଁ ପ୍ରଶଂସିତ ହେବାର ନାହିଁ । ସେମାନେ ନିନ୍ଦା ଓ ଲୋକହସାର ପାତ୍ର ହୋଇସାରିଛନ୍ତି । ବିଧାନସଭାରେ ଏ ସଂକ୍ରାନ୍ତୀୟ ବିଲ୍ କୁ ଏକ ସ୍ୱରରେ ପାରିତ କରାଇଥିଲେ । ଗୃହରେ ଅନୁପସ୍ଥିତ ଥାଇ ଏକମାତ୍ର ବିଧାୟକ ସିପିଏମ୍ ର ଲକ୍ଷ୍ମଣ ମୁଣ୍ଡା ବିଧାୟକଙ୍କ ଦରମା ବୃଦ୍ଧିକୁ ବିରୋଧ କରିଥିଲେ । ସେଥିପାଇଁ ଜନମାନସରେ ହୀରୋ ହୋଇଥିଲେ ।
ଏବେ ବିଜେପି ଓ ବିଜେଡିର ବିଧାୟକମାନେ ଲୋକମତକୁ ସମ୍ମାନ ଜଣାଇ ଦରମା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା କହିଥିଲେ ମଧ୍ୟ ଏହା ପଛର ଅସଲ କାରଣ ଏବେ ପଦାରେ ପଡ଼ି ଦାଣ୍ଡରେ ଗଡୁଛି । ଜାତୀୟସ୍ତରରେ ଏହାକୁ ନେଇ ଚର୍ଚ୍ଚା , ବିଭିନ୍ନ ମହଲରୁ କଡ଼ା ସମାଲୋଚନା ଏବଂ ବିଜେପି ହାଇକମାଣ୍ଡଙ୍କ ତାଗିଦ୍ ରାଜ୍ୟ ବିଜେପି ନେତୃତ୍ୱ ଏବଂ ସରକାରଙ୍କ ହୋସ୍ ଉଡ଼ାଇ ଦେଇଛି । ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟର ବିରୋଧ କରୁଥିବା ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କେନ୍ଦ୍ରୀୟ ନେତୃତ୍ୱ ତାଗିଦ୍ କରିଥିଲେ । ଏହାଦ୍ୱାରା ଭୁଲ୍ ବାର୍ତ୍ତା ଯାଉଛି ବୋଲି କଡ଼ା ଭାଷାରେ ଶୁଣାଇ ଦିଆଗଲା ।
ଏହାପରେ ଯୋଜନା ମୁତାବକ ଗତକାଲି ବିଜେପି ବିଧାୟକ ଦଳର ବୈଠକ ଡକାଯାଇ ଦରମା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଗଲା । ଏହାପରେ ବିଜେଡି ବିଧାୟକମାନେ ଆହୁରି ଅସୁବିଧାରେ ପଡ଼ିଗଲେ । ମୁଖିଆ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନିଷ୍ପତ୍ତି ନେବାକୁ ଆଗୁଆ ମନା କରିବା, ଅହେତୁକ ଦରମା ବୃଦ୍ଧିକୁ ନେଇ ପ୍ରବଳ ଜନ ଅସନ୍ତୋଷ ପରିପ୍ରେକ୍ଷୀରେ ସେମାନଙ୍କ ପାଇଁ ଅନ୍ୟ ବାଟ ନ ଥିଲା । ତେବେ ନବୀନ ତାଙ୍କ ବିଧାୟକ ସାଥୀମାନଙ୍କୁ ଧରି ସେଦିନ ନିଷ୍ପତ୍ତି ନେଇଥିଲେ ବିଜେଡିର ସମ୍ମାନ ରହିଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।