ଭୁବନେଶ୍ୱର: ରାଜ୍ୟସଭା ଚତୁର୍ଥ ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲ୍ଲୀପ ରାୟ । ଆଜି ସେ ତାଙ୍କ ପ୍ରାର୍ଥତ୍ୱ ସମ୍ପର୍କରେ ଘୋଷଣା କରିଛନ୍ତି । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓ ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଏହାର କିଛି ସମୟ ପରେ ଦିଲ୍ଲୀପଙ୍କୁ ବିଜେପି ସମର୍ଥନ କରିବ ବୋଲି ଘୋଷଣା କରିଛି । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ଡାକି ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ କରିବ ବୋଲି କହିଥିଲେ । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ କରି ବିଧିବଦ୍ଧ ଭାବେ ଦିଲ୍ଲୀପଙ୍କୁ ବିଜେପିର ସମର୍ଥନ ଘୋଷଣା କରିଛନ୍ତି । ଏଥିସହ ରାଜ୍ୟସଭା ଚତୁର୍ଥ ଆସନ ଅଙ୍କ ରୋଚକ ମୋଡ଼ରେ ପହଞ୍ଚିଛି ।
ରାଜ୍ୟସଭା ଗଣିତରେ ଚତୁର୍ଥ ଆସନ ଲାଗି ବିଜେଡି ପାଖରେ ରହୁଛି ୧୮ ସଂଖ୍ୟା । କଂଗ୍ରେସର ସଂଖ୍ୟା ୧୪ । ସିପିଏମ୍ ବିଧାୟକଙ୍କ ସମର୍ଥନ ରହିଲେ ଏମାନଙ୍କ ସଂଖ୍ୟା ହେଉଛି ୩୩ । ତେଣୁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କର ବିଜୟ ସହଜ ବୋଲି ମନେ ହେଉଥିଲା । ମାତ୍ର ଦିଲ୍ଲୀପ ରାୟ ମଇଦାନକୁ ଓହ୍ଲାଇବା ଏବଂ ବିଜେପି ତାଙ୍କୁ ସମର୍ଥନ ଦେବା ପରେ ଏହି ଗଣିତ ଓଲଟପାଲଟ ହୋଇଯାଇପାରେ ବୋଲି ଆଶଙ୍କା କରାଯାଉଛି ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଚତୁର୍ଥ ଆସନ ଖେଳରେ ଦିଲ୍ଲୀପ ରାୟଙ୍କ ବିଜୟ ସମ୍ଭାବନା ବରଂ ଅଧିକ ଦେଖାଗଲାଣି । କାରଣ ବିଜେପିର ବଳକା ୨୨ ଭୋଟ ପାଇଲା ପରେ ଆଉ ତାଙ୍କୁ ଦରକାର ୮ ଭୋଟ । ବିଜେଡି ଏବଂ କଂଗ୍ରେସର ୮ ଭୋଟ ନେବା ତାଙ୍କ ପାଇଁ କଷ୍ଟକର ହୋଇ ନ ପାରେ । କାରଣ ଦିଲ୍ଲୀପ ଏକା ଲଢ଼ିବେନି । ତାଙ୍କ ପଛରେ ରହିବ ବିଜେପି । ବିଜେଡି- କଂଗ୍ରେସ ମିଳିତ ପ୍ରାର୍ଥୀଙ୍କୁ କେବେ ଜିତାଇବାକୁ ଦେବନି ବିଜେପି । ତେଣୁ ଜବରଦସ୍ତ ଖେଳ ହେବ । ବିଜେଡି ଏବଂ କଂଗ୍ରେସରୁ ୮ ଖସାଇବା ସହଜ ହେବ । ଦିଲ୍ଲୀପଙ୍କ ଆଡକୁ ସେତିକି ଭୋଟ ପଳେଇ ଆସିଲେ ଖେଳ ସରିଲା ।
Continue Reading






