ଭୁୁବନେଶ୍ୱର: ନିଗମ, ବୋର୍ଡ ନିଯୁକ୍ତି ବିଳମ୍ବ ଭଳି ରାଜ୍ୟସଭା ପ୍ରାର୍ଥୀ ଚୟନରେ ମଧ୍ୟ ବିଜେପି ଅଠାକାଠିରେ ଫସିଛି । ଅବସ୍ଥା ଏଭଳି ଯେ କେଉଁ ଦୁଇଜଣଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବ ତାହା ନିଷ୍ପତ୍ତି ନେଇପାରୁନାହିଁ କି ତୃତୀୟ ପ୍ରାର୍ଥୀ ଦେବ କି ନାହିଁ ସ୍ଥିର କରିପାରୁନାହିଁ । ଆସନ୍ତାକାଲି ଓ ପରଦିନ ସରକାରୀ ଛୁଟିଥିବାରୁ ସେଇ ଶେଷ ଦିନରେ ନାମାଙ୍କନପତ୍ର ଦାଖଲ କରିବାକୁ ପଡ଼ିବ । ଓଡ଼ିଶାରେ ରାଜ୍ୟସଭା ପ୍ରାର୍ଥୀତ୍ୱ ନିଷ୍ପତ୍ତିକୁ ନେଇ ଦଳ ଭିତରୁ ସହମତି ଯୋଗାଡ଼ରେ ବିଜେପି ହାଇକମାଣ୍ଡଙ୍କ ଅସହାୟତା ଚର୍ଚ୍ଚାର ବିଷୟ ହୋଇଛି । କେବଳ ଯାହା ଲୋକଦେଖାଣିଆ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱରରେ ବିଧାୟକମାନଙ୍କର ବୈଠକ କରିଛନ୍ତି ।
ଶନିବାର ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଥମେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ଡ. ସଂତୃପ୍ତ ମିଶ୍ରଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ୍ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ନବୀନଙ୍କ ଘୋଷିତ କମନ୍ ପ୍ରାର୍ଥୀଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସ ସମର୍ଥନ କରିଛନ୍ତି । ଏଆଇସିସି ପକ୍ଷରୁ କେବଳ ବିଧିବଦ୍ଧ ଘୋଷଣା ହେବ ।
ଅନ୍ୟପକ୍ଷରେ ଗତ ୨୨ ତାରିଖ ରବିବାର ଦିନ ରାଜ୍ୟ ବିଜେପି କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ୬ ଜଣଙ୍କ ନାଁ ସଂସଦୀୟ ବୋର୍ଡକୁ ଅନୁମୋଦନ କରାଯାଇଥିଲା । ଦୁଇଦିନ ଭିତରେ ସଂସଦୀୟ ବୋର୍ଡ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବ ବୋଲି ପ୍ରଭାରୀ ବିଜୟ ସିଂ ତୋମାର ଗୁରୁବାର ଦିନ ଗଣମାଧ୍ୟମକୁ କହିଥିଲେ । ମାତ୍ର ଆଜି ସୋମବାର ଦିନ ଦୁଇଟା ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇପାରିଲା ନାହିଁ । ଦୁଇଦିନ ସରକାରୀ ଛୁଟି ଥିବାରୁ ଯେହେତୁ ନାମାଙ୍କନ ପତ୍ର ଦାଖଲ ହୋଇପାରିବ ନାହିଁ ତେଣୁ ପ୍ରାର୍ଥୀ ଘୋଷଣା ବୁଧବାରକୁ ଗଡ଼ିପାରେ ବୋଲି କୁହାଯାଉଛି ।
ସୂଚନା ଅନୁଯାୟୀ, ପ୍ରାର୍ଥୀ ଚୟନରେ ହାଇକମାଣ୍ଡଙ୍କ ପାଇଁ ସମସ୍ୟା ହୋଇଛି ରାଜ୍ୟ ବିଜେପିରେ ତୀବ୍ର ଗୋଷ୍ଠୀ କନ୍ଦଳ । ଏଠି ୧୦ଟି ଗୋଷ୍ଠୀ ଥିବା ବେଳେ ରାଜ୍ୟସଭାକୁ ନେଇ ଦୁଇ ପ୍ରମୁଖ ଗୋଷ୍ଠୀଙ୍କ ମଧ୍ୟରେ ଲଢ଼େଇ ହେଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସଭାପତି ମନମୋହନ ସାମଲ ଗୋଷ୍ଠୀର ପ୍ରାର୍ଥୀଙ୍କୁ ଅନ୍ୟ ଗୋଷ୍ଠୀ ବିରୋଧ କରୁଛନ୍ତି । ଧର୍ମେନ୍ଦ୍ରଙ୍କ ଗୋଷ୍ଠୀର ପ୍ରାର୍ଥୀଙ୍କୁ ମୋହନ-ମନମୋହନ ଗୋଷ୍ଠୀ ବିରୋଧ କରୁଛନ୍ତି । ଦୁଇଟି ଆସନ ପାଇଁ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଭାଗବଣ୍ଟରାରେ ଅନ୍ତରାୟ ହୋଇଛନ୍ତି ବାହାର ରାଜ୍ୟର ଆଶାୟୀ । ଆଗକୁ ଉତ୍ତର ପ୍ରଦେଶ ନିର୍ବାଚନ ଥିବାରୁ ଓଡ଼ିଶାରୁ ରାଜ୍ୟସଭା ଆସନରେ ଥଇଥାନ ପାଇଁ ଚିନ୍ତା କରାଯାଉଛି । ସେହିକ୍ରମରେ ବିଜୟ ପାଲ୍ ସିଂ ତୋମାରଙ୍କ ନାଁ ମଧ୍ୟ ଶୁଣାଯାଉଛି ।
ସେହିଭଳି ଚତୁର୍ଥ ଆସନରେ ପ୍ରାର୍ଥୀ ଦେବା ନେଇ ବିଜେପି ହରଡ଼ଘଣାରେ ପଡ଼ିଯାଇଛି । ଦତ୍ତେଶ୍ୱରଙ୍କୁ ସମର୍ଥନ କଲେ ବିପଦ, ନକଲେ ବିପଦ । ସମର୍ଥନ କଲେ କଂଗ୍ରେସ ସହମତି ଥିବା ପ୍ରାର୍ଥୀଙ୍କୁ ସମର୍ଥନ ନିମନ୍ତେ ବିଜେଡି ସହ ଭିତିରି ବୁଝାମଣାର ଅପବାଦ ମୁଣ୍ଡାଇବାକୁ ପଡ଼ିବ । ସମର୍ଥନ ନ ଦେଇ ତୃତୀୟ ପ୍ରାର୍ଥୀ ଦେଲେ ପରାଜୟର ଆଶଙ୍କା ରହିଛି । କାରଣ ଚତୁର୍ଥ ଆସନରେ ପ୍ରାର୍ଥୀ ଦେଇ ଜିତିବାକୁ ହେଲେ ବିଜେପିକୁ ବିଜେଡି ଓ କଂଗ୍ରେସରୁ ଭୋଟ ଭାଙ୍ଗିବାକୁ ପଡ଼ିବ । ଚତୁର୍ଥ ଆସନରେ ଜିତିବାକୁ ଦେଲେ ବିଜେପିକୁ ଦୁଇ ଦଳରୁ ୮ ଭୋଟ ହାତେଇବାକୁ ପଡ଼ିବ ।
ଏମିତି ବି ଶୁଣାଯାଉଛି ବିଜେପି ଚତୁର୍ଥ ଆସନ ପାଇଁ ନିଜସ୍ୱ ପ୍ରାର୍ଥୀ ଦେବ ନାହିଁ କି ବିଜେଡିର ‘କମନ୍’ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ନାହିଁ । ଏଭଳି କ୍ଷେତ୍ରରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେଇପାରେ । ବିଜେପି ସମର୍ଥନରେ ଦିଲ୍ଲୀପ ରାୟ ସ୍ୱାଧୀନ ଭାବେ ଲଢ଼ିପାରନ୍ତି । ଏଭଳି କ୍ଷେତ୍ରରେ ତାଙ୍କର ଜିତିବା ସମ୍ଭାବନା ଅଧିକ ଉଜ୍ଜଳ ବୋଲି କୁହାଯାଉଛି ।
ଏହା ଭିତରେ ଆଜି ଆଉ ଗୋଟେ ବଡ଼ ସୂଚନା ଆସିଛି । ବିଜେପି ୪ ଟି ଯାକ ଆସନରେ ପ୍ରାର୍ଥୀ ଦେବାକୁ ଚିନ୍ତା କରୁଛି । ଖୋଦ୍ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏହା କହିଛନ୍ତି । ଆଜି ସେ ଏବଂ ଅନ୍ୟ ୪ ଜଣ ବିଧାୟକ ବିଧାନସଭା ପ୍ରକୋଷ୍ଠରୁ ୧୬ ସେଟ୍ ନାମାଙ୍କନ ଫର୍ମ ନେଇଛନ୍ତି । ଏହି ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନରେ ମୁଖ୍ୟ ସଚେତକ ୪ ପ୍ରାର୍ଥୀଙ୍କ କଥା କହିଛନ୍ତି ।
ତେବେ ଯାହା ହେଉ, ବିଜେପିରେ ରାଜ୍ୟସଭା ପ୍ରାର୍ଥୀ ଚୟନରେ ଅହେତୁକ ବିଳମ୍ବ ଆମ ରାଜ୍ୟର କୌଣସି ମୁଖ୍ୟ ଗଣମାଧ୍ୟମରେ ଚର୍ଚ୍ଚା ନ ହେବା ଶାସକ ଦଳକୁ ଲୋକନିନ୍ଦାରୁ ରକ୍ଷା କରିଛି । ବିଜେଡି ପ୍ରାର୍ଥୀଙ୍କୁ ପ୍ରଭାତ ବିଶ୍ୱାଳଙ୍କ ବିରୋଧ ଏବଂ ନବୀନ ପଟ୍ଟନାୟକଙ୍କ ମୁହଁରେ ପ୍ରତିବାଦକୁ ଟିଭିରେ ହେଡଲାଇନ୍ ଏବଂ ବଡ଼ ବଡ଼ ଖବରକାଗଜରେ ଦୁଇଦିନ ଧରି ପ୍ରଥମ ପୃଷ୍ଠା ଖବର ଆସୁଥିଲା ବେଳେ ବିଜେପିରେ ରାଜ୍ୟସଭା ପ୍ରାର୍ଥୀ ଚୟନ କାହିଁକି ଛିଣ୍ଡିପାରୁନି ତାହାର ଖବର ଆସୁନାହିଁ । ବିଜେପିର ଏହା ପିଆର୍ ମ୍ୟାନେଜମେଣ୍ଟ ବୋଲି ଚା ଖଟିରେ ଚର୍ଚ୍ଚା ହେଉଛି ।
Continue Reading







