୪ ଓଡ଼ିଆ ହକି ଅଲିମ୍ପିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଦଳର ଦୁଇ ଓଡ଼ିଆ ଖେଳାଳୀ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ୍ ରୋହିଦାସଙ୍କୁ ରାଜ୍ୟ ସରକାର ଅଢ଼େଇ କୋଟି ଲେଖାଏଁ ପୁରସ୍କାର ରାଶି ଏବଂ ଡିଏସପି ଚାକିରି ଦେଇଛନ୍ତି । ମହିଳା ହକି ଦଳର ଦୁଇ ଖେଳାଳୀ ଦୀପଗ୍ରେସ୍ ଏକ୍କା ଏବଂ ନମିତା ଟପୋଙ୍କୁ ୫୦ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଦିଆଯାଇଛି ।
ଆଜି କଳିଙ୍ଗ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚାରି ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ହାତକୁ ପୁରସ୍କାର ରାଶି ପ୍ରଦାନ କରିଥିଲେ । ବୀରେନ୍ଦ୍ର ଓ ଅମିତ୍ ଙ୍କୁ ଡିଏସପି ଚାକିରିରେ ନିଯୁକ୍ତି ପାଇଁ ଅଫର୍ ଲେଟର୍ ଦେଇଥିଲେ । ଭବିଷ୍ୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

୪ ଓଡ଼ିଆ ଅଲିମ୍ପିଆନ୍ ଙ୍କୁ ସମ୍ପର୍ଦ୍ଧିତ କଲା ବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ବ୍ରୋଞ୍ଜ ପଦକ ଜିତିଥିବା ପୁରୁଷ ହକି ଟିମ୍ ର ପ୍ରଦର୍ଶନ ବହୁତ ଭଲ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିଭଳି ସେମି ଫାଇନାଲ୍ ରେ ପହଞ୍ଚିବା ପାଇଁ ମହିଳା ହକି ଦଳ ଅକ୍ଲାନ୍ତ ଉଦ୍ୟମ କରି ଇତିହାସ ସୃଷ୍ଟିି କଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । “କଠିନ ପରିଶ୍ରମ ଜାରି ରଖ, ଦେଶ ପାଇଁ ଆହୁରି ଗୌରବ ଆଣ’ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଥିଲେ ।








