ଭୁବନେଶ୍ୱର: ଭୁବନେଶ୍ୱରର ଏକ ନମ୍ବର ହାଟ ପାଖରେ ଥିବା ରାଜରାସ୍ତାର ଫୁଟପାଥରେ ଅନେକ ଦୋକାନୀ ସେମାନଙ୍କ ଜିନିଷ ବିକନ୍ତି। ପୂଜା ପାର୍ବଣରେ ବହୁ ପରିମାଣରେ ପୂଜା ସାମଗ୍ରୀ ମଧ୍ୟ ବିକ୍ରୀ ହୁଏ। କିନ୍ତୁ, ଆଜି ସେହି ଦୋକାନୀ ମାନଙ୍କ ପାଇଁ ଥିଲା ଏକ ଅଭୂତପୂର୍ବ ଆନନ୍ଦର ଦିନ। ଆଜି ଥିଲା ଦୀପାବଳି । ଲୋକଙ୍କ ଗହଣରେ ଜିନିଷ ବିକୁଥିବା ବେଳେ ହଠାତ୍ ଆସି ପହଞ୍ଚି ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ । ଦୀପାବଳି ସାମଗ୍ରୀ ବିକ୍ରୀ କରୁଥିବା ମାଉସୀ ତ୍ରିବେଣୀ ସାହୁ ହୋଇ ଯାଇଥିଲେ ଆଶ୍ଚର୍ଯ୍ୟ ଚକିତ।

ମୁଖ୍ୟମନ୍ତ୍ରୀ ସପତ୍ନୀକ ଯାଇଥିଲେ। ଦୀପା, ସଲିତା, ତେଲ, ନଡ଼ିଆ, ମାଟିର ଦୀପ ଦାନି ଆଦି ଅନେକ ଜିନିଷ ଦେଖିଲେ। ପଚାରିଲେ ଦୀପ ସବୁ ଆମ ଓଡ଼ିଶାରେ ତିଆରି ହୋଇଛି ନା ନାହିଁ। ସେମାନେ କହିଲେ, ହଁ, ସବୁ ଆମ ଓଡ଼ିଶାର କାରିଗର ତିଆରି କରିଛନ୍ତି। ତା ପରେ, ମୁଖ୍ୟମନ୍ତ୍ରୀ ସବୁ ଜିନିଷ କିଣିଲେ। ଆଉ କିଛି ଦୋକାନୀ ରଘୁନାଥ ବାରିକ, ମନୋରଞ୍ଜନ ରାଉତଙ୍କ ଠାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ପୂଜା ସାମଗ୍ରୀ କିଣିଥିଲେ।

ମୁଖ୍ୟମନ୍ତ୍ରୀ ଏହା ପରେ ସେଠାରେ ପହଞ୍ଚିଥିବା ଗଣମାଧ୍ୟମକୁ ବକ୍ତବ୍ୟ ଦେଇ କହିଲେ ଯେ ଆଗରୁ ବିଧାୟକ ଥିବା ବେଳେ ମୁଁ ଏହି ପାଖରେ ରହୁଥିଲି। ଏହି ବ୍ୟବସାୟୀ ମାଉସୀ ଓ ମଉସା ମାନଙ୍କ ଠାରୁ ଜିନିଷ କିଣୁ ଥିଲି। ଆଜି ମଧ୍ୟ କିଛି ପରିବର୍ତ୍ତନ ହୋଇ ନାହିଁ।








