ଭୁୁବନେଶ୍ୱର: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ କାର୍ଯ୍ୟକ୍ରମ ବଜେଟ୍ ପରିମାଣକୁ ୧ ଲକ୍ଷ ୮୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହା ମୋଟ ବଜେଟ୍ ଆକଳନର ୫୮ପ୍ରତିଶତ । ବଜେଟରେ ୭୨,୧୦୦ କୋଟିର ପୁଞ୍ଜି ବ୍ୟୟବରାଦ ଆକଳନ କରାଯାଇଛି । ବଜେଟ୍ ଆକଳନର ଏହା ୨୩.୩ ପ୍ରତିଶତ । ଯାହା ଦେଶର ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବାଧିକ ।
ପ୍ରଶାସନିକ ବ୍ୟୟ ବାବଦକୁ ୧ଲକ୍ଷ ୧୪ ହଜାର କୋଟି ଟଙ୍କାର ପ୍ରସ୍ତାବ ରହିଥିଲା ବେଳେ ବିପର୍ଯ୍ୟୟ ବିପତ୍ତି ପରିଚାଳନା ପାଣ୍ଠି ପାଇଁ ୫ ହଜାର ୩୭୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେଥିମଧ୍ୟରେ ରାଜ୍ୟ ବିପର୍ଯ୍ୟୟ ବିପତ୍ତି ପରିଚାଳନା ପାଣ୍ଠି ବାବଦରେ ୨,୧୪୭ କୋଟି ଏବଂ ଜାତୀୟ ବିପର୍ଯ୍ୟୟ ବିପତ୍ତି ପରିଚାଳନା ପାଣ୍ଠି ବାବଦରେ ୩,୨୨୮ କୋଟି ଟଙ୍କା ରହିଛି । ରାଜ୍ୟରୁ ହସ୍ତାନ୍ତର ପାଇଁ ୧୦ ହଜାର ୬୨୫ କୋଟି ଟଙ୍କା, ଷୋଡ଼ଶ କେନ୍ଦ୍ର ଅର୍ଥ ଆୟୋଗଙ୍କ ସୁପାରିଶକ୍ରମେ ୩ ହଜାର ୫୬ କୋଟି ଏବଂ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗଙ୍କ ସୁପାରିଶକ୍ରମେ ପ୍ରାୟ ୭ ହଜାର ୪୫୦ କୋଟି ଟଙ୍କା ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥାକୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦିଆଯାଇଛି ।
ରାଜ୍ୟ ଘରୋଇ ଉତ୍ପାଦର ପ୍ରାୟ ୩ ପ୍ରତିଶତ ରାଜସ୍ୱ ବଳକା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବିତ୍ତୀୟ ନିଅଣ୍ଟ ୩.୫ ପ୍ରତିଶତ ମଧ୍ୟରେ ସୀମିତ ରଖାଯାଇଛି । ଏହାଦ୍ୱାରା ଏହି ବଜେଟ୍ ସମ୍ପୂର୍ଣ୍ଣ ଭାବେ ଏଫଆରବିଏମ ଅଧିନିୟମ ଅନୁପାଳନ କରିବ ବୋଲି କୁହାଯାଇଛି । ବଜେଟ୍ ରେ ଗାଁ, ଗରିବ ଏବଂ ମହିଳାଙ୍କ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଓଡ଼ିଶା ଭିଜନ ୨୦୩୬ ଏବଂ ୨୦୪୭କୁ ବାସ୍ତବ ରୂପ ଦେବା ପାଇଁ ବିକାଶ ରଣନୀତିର ୬ଟି ସ୍ତମ୍ଭକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି ।
ସଡ଼କ, ବିଜୁଳି ଏବଂ ପାଣି ଭଳି ମୌଳିକ ସମସ୍ୟାର ସମାଧାନ ପାଇଁ ନୂଆ ଅଭିଯାନ ‘ମିଶନ ପାୱାର’ ଆରମ୍ଭ ହେବ । ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଏକ ମିଶନ ମୋଡରେ ଲକ୍ଷ୍ୟ ହାସଲ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ । ଗ୍ରାମାଞ୍ଚଳର ଉନ୍ନତି ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପ ଓ ଯୋଜନାଗୁଡ଼ିକ ପାଇଁ ୪୪ ହଜାର ୩୦୯ କୋଟି ଟଙ୍କାର ବ୍ୟାପକ ନିବେଶ ଲାଗି ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩ ହଜାର ୪୯୧ କୋଟି ଏବଂ ସେତୁ ବନ୍ଧନ ଯୋଜନାରେ ୨ ହଜାର ୫୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ‘ବିଜୁ ଗ୍ରାମ ଜ୍ୟୋତି ଯୋଜନା’ ଅଧିନରେ ୩୫୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । “ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ୨ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଭିବି ଜି-ରାମ ଯୋଜନା ଅଧିନରେ ୫,୫୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ରାଜ୍ୟର ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ନିରାପଦ, ନିର୍ଭରଯୋଗ୍ୟ ଏବଂ ଦୀର୍ଘସ୍ଥାୟୀ ପାନୀୟ ଜଳର ଅବିରତ ଯୋଗାଣ ଲାଗି ଏକ ଯୋଜନା ଆରମ୍ଭ ହେବ । ଏଥିପାଇଁ ୮୦୦ କୋଟି ବ୍ୟୟବରାଦ ହୋଇଛି । ପ୍ରତ୍ୟେକ ଝିଅ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା ଲକ୍ଷ୍ୟରେ ନୂଆ ଯୋଜନା ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ଆରମ୍ଭ ହେବ । ଏହି ଯୋଜନାରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଝିଅଙ୍କ ନାମରେ ୨୦ ହଜାର ଟଙ୍କାର ଏକ ସଞ୍ଚୟ ଉପକରଣ ସୃଷ୍ଟି କରାଯିବ । ସ୍ନାତକ ସମାପ୍ତ କରିବା ପରେ ତାଙ୍କୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ । ସେହିଭଳି ‘ସୁଭଦ୍ରା ଶକ୍ତି ସମ୍ବାଦ’ ନାମରେ ଆଉ ଏକ ଯୋଜନା ପ୍ରଚଳନ ହେବ । ସୁଭଦ୍ରା ହିତାଧିକାରୀଙ୍କ ଅଭିଜ୍ଞତାକୁ ବାଣ୍ଟିବା, ସମସ୍ୟାର ସମାଧାନ ପାଇଁ ଅଧିକାରୀ ଏବଂ ଗୋଷ୍ଠୀର ହିତାଧିକାରୀଙ୍କ ସହ ନିୟମିତ ଆଲୋଚନା ମାଧ୍ୟମରେ ଅଭିଯୋଗ ନିରାକରଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଏକ ଅଂଶଗ୍ରହଣକାରୀ ପ୍ଲାଟଫର୍ମ ଭାବରେ ଏହା କାର୍ଯ୍ୟ କରିବ ।
ନୂଆ ‘ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା’ ରେକ୍ରେଚ୍ ସୁବିଧା ବିନା ପ୍ରତି କେନ୍ଦ୍ର ପିଛା ୧୫ ଲକ୍ଷ ଟଙ୍କା ଏବଂ କ୍ରେଚ୍ ସୁବିଧା ଥିବା କେନ୍ଦ୍ର ପିଛା ୨୦ ଲକ୍ଷ ଟଙ୍କା ମୂଲ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯିବ । ଏହି ନୂଆ ଯୋଜନା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୬୩୫ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି । ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ପିଲାମାନଙ୍କ ପାଇଁ ସୁରକ୍ଷାକୁ ମଜବୁତ କରିବାକୁ ନୂଆ ଯୋଜନା ‘ସମନ୍ୱିତ ବାତ୍ସଲ୍ୟ ସଦନ’ ଆରମ୍ଭ ହେବ । ଏହି ଯୋଜନାରେ ୨୩ଟି ଜିଲ୍ଲା ମୁଖ୍ୟାଳୟରେ ୨୩ଟି ସମନ୍ୱିତ ବାତ୍ସଲ୍ୟ ସଦନ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଛି ।
କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏନଇପି-୨୦୨୦ ଅନୁଯାୟୀ ଏଥିରେ ପ୍ରଥମ ଦିନରୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ମୋ÷ଳିକ ଭାବରେ ଅଭିନବ ଶିକ୍ଷାଦାନ କାର୍ଯ୍ୟକାରୀ କରିବାର ଅନନ୍ୟ ସୁବିଧା ପାଇପାରିବେ ।
ନୂଆ ‘ଶକ୍ତିଶ୍ରୀ’ ଯୋଜନାରେ ୧୬ଟି ରାଜ୍ୟ ବିଶ୍ୱବିଦ୍ୟାଳୟ ଏବଂ ୭୪୧ ସରକାରୀ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟକୁ ସାମିଲ କରାଯିବ । ଏହି ଯୋଜନାରେ ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପ୍ରତିଷ୍ଠା, ସାଥୀ, ସଂଯୋଜିକା ଏବଂ ମହିଳା ଶ୍ରେଣୀ ପ୍ରତିନିଧି ନିୟୋଜନ, ଆତ୍ମରକ୍ଷା ପ୍ରଶିକ୍ଷଣ, ସେଫ୍ ଅଭିଯାନ, ଶକ୍ତି ଅପାଙ୍କ ସହ ପରାମର୍ଶ, ସିସିଟିଭି ସ୍ଥାପନ, ବାର୍ଷିକ କ୍ୟାମ୍ପସ୍ ସୁରକ୍ଷା ଅଡିଟ୍ ଏବଂ ଶକ୍ତି ସ୍ୱରୂପିଣୀ ବାର୍ଷିକ କର୍ମଶାଳା ଅନୁଷ୍ଠିତ ହେବ ।
ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ରକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ଏହି ବିଭାଗ ନିମନ୍ତେ ୨୩ ହଜାର ୧୮୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେଥିରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୭ ହଜାର ୭୩୭ କୋଟି ଟଙ୍କା ରହିଛି । ଏହା ବଜେଟ୍ ଆକାରର ୭.୫% ରୁ ଅଧିକ । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ନିମନ୍ତେ ୪ ହଜାର ୨୭୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର ଏବଂହ କ୍ୟାପିଟାଲ ହସ୍ପିଟାଲରେ ଉତ୍ସର୍ଗୀକୃତ ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା ହେବ । ଏଥିପାଇର୍ ବଜେଟରେ ୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ମେଡିକାଲ କଲେଜଗୁଡ଼ିକରେ ୫୦୦ ପିଜି ସିଟ୍ ବୃଦ୍ଧି କରାଯିବ ।
ଖୋର୍ଦ୍ଧା ଜିଲ୍ଲାରେ ୭୭ ଏକର ଜମିରେ ବିଶ୍ୱମାନର ଏକ ଆଇକନିକ୍ ସାଇନ୍ସ ସିଟି ପ୍ରତିଷ୍ଠା ହେବ । ଆସନ୍ତା ୫ ବର୍ଷରେ ପ୍ରସ୍ତାବିତ ଏହି ସିଟି ପାଇଁ ୩୦୦ କୋଟି ଟଙ୍କା ବିନିଯୋଗ କରାଯିବ । ୨୦୨୬-୨୭ ଆର୍ଥିକ ବର୍ଷରେ ଏଥି ଲାଗି ୧୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
୨୦୨୬ ଏପ୍ରିଲ୍ ପହିଲାଠାରୁ ପେଶା ବା ବୃତ୍ତି ଉପରେ ପ୍ରଫେସନାଲ୍ ଟିକସ ପ୍ରତ୍ୟାହାର ପାଇଁ ବଜେଟରେ ଘୋଷଣା କରାଯାଇଛି ।
ଫୁଲ୍ ମେନ୍ୟୁ, ଏମ୍ପଟି କିଚିନି







