ଭୁୁବନେଶ୍ୱର: ଶାନ୍ତିର ବିକଳ୍ପ ନାହିଁ । ସବୁ ଯୁଗରେ ଏହାର ଗୁରୁତ୍ୱ ରହିଛି । ଏକ ସୁନ୍ଦର ବିଶ୍ୱ ହାସଲରେ ଶାନ୍ତି ହିଁ ଏକମାତ୍ର ରାସ୍ତା । ଆସ, ଆମ ଭବିଷ୍ୟତ ବଂଶଧରଙ୍କ ସକାଶେ ଏକ ନିରାପଦ ବିଶ୍ୱ ପାଇଁ ଆମେ ସବୁ ଏକାଠି ହୋଇ ଏହି ବାର୍ତ୍ତା ବାଣ୍ଟିବା ।

ଆଜି ଧଉଳି ଶାନ୍ତିସ୍ତୂପରୁ ଏହି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧଉଳି ଶାନ୍ତିସ୍ତୂପର ୫୦ ବର୍ଷ ପୂର୍ତ୍ତି ବା ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଭାଷଣରେ ଏହା କହିଛନ୍ତି । ଭାରତ ସମେତ ଜାପାନ, ଆମେରିକା, ୟୁକ୍ରେନ୍, କାଜାଖସ୍ତାନ ପ୍ରଭୃତି ଦେଶରୁ ଶତାଧିକ ବୌଦ୍ଧ ସନ୍ୟାସୀ ଉପସ୍ଥିତ ଥିଲେ ।

ଓଡ଼ିଶାର ଗୌରବମୟ ଇତିହାସକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଇତିହାସର ପୃଷ୍ଠା ଏହି ଧଉଳି ଏବଂ କଳିଙ୍ଗ ଯୁଦ୍ଧରୁ ଆରମ୍ଭ ହୋଇଛି । କଳିଙ୍ଗ ଯୁଦ୍ଧ ରକ୍ତପାତରେ ସମାପ୍ତ ହୋଇଥିଲେ ମଧ୍ୟ ଧଉଳି ସମଗ୍ର ମାନବ ମାନବ ଜାତିର ନୈତିକ ବିଜୟର ପ୍ରତୀକ ହୋଇ ରହିଛି । ଏହି ସ୍ଥାନରେ ହିଁ ଅଶୋକ, ଯୁଦ୍ଧ ଓ ରକ୍ତପାତର ଭୟାବହତା ବୁଝିପାରି ବୈାଦ୍ଧଧର୍ମରେ ନିଜକୁ ଦୀକ୍ଷିତ କରିଥିଲେ । ଧଉଳି ବିଶ୍ୱ ଶାନ୍ତି ଓ ଐତିହ୍ୟର ବାର୍ତ୍ତା ଦେଇ ବିଶ୍ୱ ଇତିହାସରେ ନୂଆ ଅଧ୍ୟାୟ ଯୋଡିଥିଲା ।
ଚଣ୍ଡାଶୋକରୁ ଧର୍ମାଶୋକ ପାଲଟିଥିବା ଏହି ମହାନ୍ ସ୍ଥଳୀରେ ଶାନ୍ତିସ୍ତୂପ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଆମ ପାଇଁ ଗୌରବ ଓ ଆନନ୍ଦର ବିଷୟ । ଏହି ଶାନ୍ତିସ୍ତୂପର ଆଧୁନିକ ନିର୍ମାଣଶୈଳୀ ମଧ୍ୟ ବେଶ୍ ଉଚ୍ଚକୋଟୀର । ଭାରତ-ଜାପାନ ବନ୍ଧୁତ୍ୱର ନିଦର୍ଶନ ସହ ବିଶ୍ୱ ଶାନ୍ତି ଏବଂ ପାରଷ୍ପରିକ ସହଯୋଗର ଏକ ପ୍ରତୀକ । ଯୁଗ ଯୁଗ ଧରି ଏହି ସ୍ଥାନ ଶାନ୍ତିର ବାର୍ତ୍ତା ବାଣ୍ଟି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଧଉଳି ଶାନ୍ତିସ୍ତୂପକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଏହାର ବିକାଶ ଓ ସୋ÷ନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନେଇଥିବା ମୁଖ୍ୟମନ୍ତ୍ରୀ ଜଣାଇଥିଲେ ।
ଦୟା ନଦୀର ବସନ୍ତପୁରଠାରେ ଏକ ବ୍ୟାରେଜ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ । ଏହି ପ୍ରକଳ୍ପ ପାଇଁ ୯୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।








