ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୫ ପାଇଁ ଦୁଇଦିନ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ଏଥିରେ ଓଏଏସ୍, ଓଆରଏସ୍ ଭଳି କ୍ୟାଡରରେ ଗୋଟିଏ ବି ପଦବୀ ନ ଥିଲା । ଏଥିପାଇଁ ଆଶାୟୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟିକୁ ଏହା ଆସିବା ପରେ ସେ ତୁରନ୍ତ ହସ୍ତକ୍ଷେପ କରିଛନ୍ତି । ଏହି ସବୁ ପଦବୀ ସମ୍ପର୍କରେ ସମୀକ୍ଷା କରି ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାଫଳରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ରେ ୧୪ଟି, ଓଡ଼ିଶା ରାଜସ୍ୱ ସେବା(ଓଆରଏସ) ରେ ୧୧୩ଟି, ଓଡ଼ିଶା ପରିବହନ ସେବା(ଓଟିଏସ)ରେ ୧୬ ଏବଂ ଓଡ଼ିଶା ମଙ୍ଗଳ ସେବା(ଓଡବ୍ଲୁଏସ)ରେ ୮ଟି ପଦବୀ ପୂରଣ ହେବ । ସମୁଦାୟ ୧୫୧ଟି ଅଧିକ ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି ।
ଏଥିସହ ବିଭିନ୍ନ ଆୟୋଗ ଦ୍ୱାରା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପର୍ଯ୍ୟନ୍ତ ଯେତେ ପଦବୀ ଖାଲି ଥିବ ସବୁ ପୂରଣ କରିବା ପାଇଁ ଆୟୋଗଗୁଡ଼ିକୁ ସୁପାରିଶ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରକୁ ସର୍ବାଧିକ ଗରୁତ୍ୱ ଦେଉଛନ୍ତି ଏବଂ ଗତ ୧୮ ମାସରେ ୪୦ ହଜାର ସରକାରୀ ପଦବୀ ପୂରଣ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।