ଭୁୁବନେଶ୍ୱର: ଧାମନଗର ଉପନିର୍ବାଚନ ଭୋଟ ଗଣତି ଆସନ୍ତାକାଲି ହେବ । ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ୍ ଭୋଟଗୁଡ଼ିକର ଗଣତି ହେବ । ତାପରେ ଇଭିଏମ୍ ବାକ୍ସରୁ ଭୋଟ ଗଣତି ହେବ । ୧୪ ଟି ଟେବୁଲରେ ୧୮ ରାଉଣ୍ଡ ଭୋଟ ଗଣତିର ବ୍ୟବସ୍ଥା ହୋଇଛି । ଅପରାହ୍ନ ୨ଟା ସୁଦ୍ଧା ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି ।
ଏହି ଉପନିର୍ବାଚନରେ ୫ ଜଣ ପ୍ରାର୍ଥୀ ଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଏବଂ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଛି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କର ନିର୍ଣ୍ଣାୟକ ଭୂମିକା ଥିବା କୁହାଯାଉଛି । ଯାହା ବି ହେଉ, ଉଭୟ ବିଜେଡି ଏବଂ ବିଜେପି ପାଇଁ ଏହି ଉପନିର୍ବାଚନ ଫଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଓଡ଼ିଶା ରାଜନୀତିରେ ଏହା ଯଥେଷ୍ଟ ଗୁରୁତ୍ୱ ବହନ କରୁଛି ।
ବିଜେଡି ଜିତିଲେ, ଏହା ମୋଟାମୋଟି ପ୍ରମାଣିତ କରିଦେବ ଯେ ଦଳୀୟ ପ୍ରାର୍ଥୀ ଯିଏ ଭି ହୁଅନ୍ତୁ ନା କାହିଁକି ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ସତ । ଆଉ ସବୁ ମିଛ । ଆଗାମୀ ସାଧାରଣ ନିର୍ବାଚନରେ ଏହା ବିଜେଡିର ବାଟକୁ ଆହୁରି ପରିଷ୍କାର କରିଦେବ । ବିଜେଡିକୁ ଚାଲେଞ୍ଜ ଦେବା ଏତେ ସହଜ ନୁହେଁ ବୋଲି ବାର୍ତ୍ତା ଯିବ ।
ଆଉ ଯଦି ବିଜେଡି ପ୍ରାର୍ଥୀ ହାରିଯାନ୍ତି, ତେବେ ଏହା ଦଳକୁ ଶକ୍ତ ଧକ୍କା ଦେବ । ଯୋଗ୍ୟ ପ୍ରାର୍ଥୀତ୍ୱକୁ ବିଚାରକୁ ନ ନେଇ କେବଳ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନରେ ନିର୍ବାଚନ ପାର ହେବା ଆଉ ସହଜ ହେବ ନାହିଁ ବୋଲି ବୁଝିବାକୁ ହେବ । ଉପଯୁକ୍ତ ପ୍ରାର୍ଥୀଙ୍କୁ ଉପେକ୍ଷା କରାଗଲେ ଦଳରେ ବିଦ୍ରୋହ ମୁଣ୍ଡ ଟେକିବ ଏବଂ ଦଳ ପାଇଁ ଏହା ବିପଦ ସୃଷ୍ଟି କରିପାରେ ବୋଲି ବାର୍ତ୍ତ ଯିବ ।
ବିଜେପି ପ୍ରାର୍ଥୀ ଜିତିଲେ, ଏହା ଦଳ ପାଇଁ ସଞ୍ଜିବନୀ ହେବ । କର୍ମୀ ଓ କର୍ମକର୍ତ୍ତାମାନଙ୍କ ମନୋବଳ ବଢ଼ାଇବ । ଯାହା କି ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭଲ ଫଳ ଆଣିବାର ସମ୍ଭାବନା ତିଆରି କରିବ ।
ଆଉ ବିଜେପି ପ୍ରାର୍ଥୀ ଯଦି ହାରନ୍ତି, ତେବେ ଦଳ ପାଇଁ ଏହା ବଡ ସେଟବ୍ୟାକ୍ ହେବ । କର୍ମୀଙ୍କ ମନୋବଳ ଭାଙ୍ଗିଯାଇପାରେ । ଆଗକୁ ଦଳ ଉଧେଇବାର ଆଶା କର୍ମୀଙ୍କ ମନରୁ ତୁଟିଯାଇପାରେ ।
ବାକି ରହିଲେ ବିଜେଡି ବିଦ୍ରୋହୀ ରାଜେନ୍ଦ୍ର ଦାସ । ଯଦି ସେ ୧୦ ହଜାରରୁ ଅଧିକ ଭୋଟ ପାଆନ୍ତି ଏବଂ ତାଙ୍କ ଭୋଟ ପାଇଁ ବିଜେଡି ପ୍ରାର୍ଥୀ ହାରିଯାନ୍ତି ତେବେ ରାଜୁ କେବଳ ଧାମନଗର ନୁହଁନ୍ତି ସମଗ୍ର ଭଦ୍ରକ ଜିଲ୍ଲାରେ ହୀରୋ ହୋଇଯିବେ ।