-
ପୂର୍ବ ଭାରତର ସବୁଠାରୁ ବଡ ଏକ୍ମୋ ୟୁନିଟ୍
-
ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ
-
ସଂପୂର୍ଣ୍ଣ ମାଗଣା ଏକ୍ମୋ ଚିକିତ୍ସା ଦେବାରେ ସରକାରୀ ଭାବରେ ଏହା ଦେଶରେ ପ୍ରଥମ ଓ ସର୍ବବୃହତ
-
ପିଲାମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
କଟକ: ପୂର୍ବ ଭାରତରେ ସବୁଠାରୁ ବଡ଼ ଏକ୍ମୋ ୟୁନିଟ୍ କଟକ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ରେ ସ୍ଥାପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯ ଟି ଏକ୍ମୋ ମେସିନ୍ କୁ ଜନସାଧାରଣଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ସରକାରୀସ୍ତରରେ ପ୍ରଥମ ଓ ସର୍ବବୃହତ୍ତ ଏହି ଏକ୍ମୋ ୟୁନିଟ୍ ରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ରୋଗୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହରରେ ଫୁସଫୁସ ରୋଗରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କ ପାଇଁ ଏକ୍ମୋ ମେସିନ୍ ଏକ ଜୀବନ ରକ୍ଷାକାରୀ ଭାବେ ଦରକାର ପଡ଼ିଥିଲା । ଓଡ଼ିଶାରେ ଏହି ସୁବିଧା ଦୁଇଟି ଘରୋଇ ଡାକ୍ତରଖାନାରେ ସୀମିତ ଥିବାରୁ ଗୁରୁତର ରୋଗୀମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିଲା । ଖାଲି ସେତିକି ନୁହେଁ, ଏକ୍ମୋ ଚିକିତ୍ସା ମଧ୍ୟ ବେଶ୍ ବ୍ୟୟବହୁଳ । ଘରୋଇ ଡାକ୍ତରଖାନାରେ ଏକ୍ମୋ ଚିକିତ୍ସା ପାଇଁ ସର୍ବନିମ୍ନ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ବର୍ତ୍ତମାନ ଏହି ସୁବିଧା କଟକରେ ସରକାରୀ ଭାବରେ ଉପଲବ୍ଧ ହେବାରୁ ଅନେକ ରୋଗୀ ଉପକୃତ ହୋଇପାରିବେ । ଏହା ଗରିବ ତଥା ମଧ୍ୟବିତ୍ତ ଲୋକଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।
ଆସନ୍ତାକାଲିଠାରୁ ଏକମୋ ଚିକିତ୍ସା ଆରମ୍ଭ ହେବ ବୋଲି ଏସସିବି କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି ।

ଲୋକାର୍ପଣ କାର୍ଯ୍ୟକ୍ରମରେ ଦ୍ୱିତୀୟ ଲହରର ସ୍ମୃତିକୁ କଷ୍ଟଦାୟକ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନାର ଦ୍ବିତୀୟ ଲହର ସାରା ଦେଶରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଗୁଆ ଯୋଜନା ଓ ଉପଯୁକ୍ତ ପରିଚାଳନା ଯୋଗୁ ଓଡିଶାରେ ଆମେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଛୁ । ବିଶେଷଜ୍ଞମାନେ ତୃତୀୟ ଲହରୀର ସମ୍ଭାବନା ଏବଂ ଏଥିରେ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ କରୁଥିବାରୁ, ରାଜ୍ୟ ସରକାର ଜିଲ୍ଲାସ୍ତରରେ କୋଭିଡ ହସ୍ପିଟାଲ ଗୁଡିକରେ ଶିଶୁ ଚିକିତ୍ସା ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି।
ଆମ ପିଲାମାନେ ଯେପରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିବେ, ସେଥିପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଲକ୍ଡାଉନର ନିୟମଗୁଡିକୁ କୋହଳ କରାଯାଇଥିଲେ ମଧ୍ୟ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ଜନସାଧାରଣ ମାସ୍କ ପିନ୍ଧିବା ସହିତ, ହାତ ଧୋଇବା, ଭିଡରୁ ଦୂରରେ ରହିବା ଆଦି ସମସ୍ତ କୋଭିଡ ନିୟମାବଳୀକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।








