ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଘାରିଛି ପରିଚୟ ସଙ୍କଟ । କେତେବେଳେ ନିଜକୁ ଏବେ ବି ବିଜେଡ଼ି ବିଧାୟକ ବୋଲି ଦାବି କରୁଛନ୍ତି ତ ଆଉ କେତେବେଳେ ସ୍ୱାଧୀନ ବିଧାୟକ ଦାବି କରୁଛନ୍ତି । ସେହିଭଳି ନବୀନଙ୍କ ଉପରୁ ମୋହ ତୁଟାଇ ପାରୁ ନ ଥିବା ବେଳେ ମୋଦିଙ୍କୁ ଜପ କରି ବିଜେପି ଆଡକୁ ଢ଼ଳିବାକୁ ମନ ବଳାଇଛନ୍ତି । ମୋଦିଙ୍କ ବଡ଼ ଭକ୍ତ ରୂପରେ ଆଜି ତାଙ୍କୁ ଦେଖିବା ପରେ ସାଧାରଣରେ କୌତୁହଳ ସୃଷ୍ଟି ହୋଇଛି ।
ଗୋପାଳପୁରର ଏହି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏକଦା ଅତ୍ୟନ୍ତ କ୍ଷମତାଶାଳୀ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ତାଙ୍କର ପ୍ରବଳ କାଟତି ଥିଲା । ତେବେ ଏହି କ୍ଷମତା ତାଙ୍କୁ ଅବାଟରେ ନେଇଗଲା । ଯାବତୀୟ କାରନାମା ତାଙ୍କୁ ସନେ୍ଦହଘେରକୁ ଟାଣି ଆଣିଲା । ତାଙ୍କ ବିରୋଧରେ ସବୁଠାରୁ ସଙ୍ଗୀନ ଅଭିଯୋଗଟି ଥିଲା ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା । ଦୁଇବର୍ଷ ତଳେ ତାଙ୍କ ବିରୋଧରେ ଥାନାରେ ଏକାଧିକ ମାମଲା ହୋଇଥିଲା । ଆଉ କ୍ରାଇମବ୍ରାଞ୍ଚ ପୁଲିସ ଏହି ବିଧାୟକଙ୍କୁ ଗିରଫ କରିଥିଲା । ୭ ମାସ ଝାରପଡ଼ା ଜେଲ୍ ରେ ରହିଲେ । ଜନବିରୋଧୀ କାର୍ଯ୍ୟ ପାଇଁ ୨୦୨୦ ନଭେମ୍ବର ୨୯ରେ ବିଜେଡିରୁ ବହିଷ୍କୃତ ହେଲେ ।
ଏବେ କିଛି ଦିନ ତଳେ ଏକ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ଗୋପାଳପୁର ଯାଇଥିଲେ ଏହି ବିଧାୟକ ମହୋଦୟ । ବହୁତ ଦିନ ପରେ ସାମ୍ବାଦିକମାନେ ତାଙ୍କୁ ପାଖରେ ପାଇ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ତେବେ ବିଧାୟକଙ୍କ ଉତ୍ତର ସମସ୍ତଙ୍କୁ ହତଚକିତ କରିଥିଲା । ତାଙ୍କର ଦାବି ଥିଲା, ସେ ଏବେ ବି ବିଜେଡିରେ ଅଛନ୍ତି । ନବୀନ ବାବୁ ତାଙ୍କୁ ଭଲ ପାଉଥିବାରୁ ଓଡ଼ିଶା ବିଧାନସଭାର ବିଜେଡି ସଭ୍ୟ ତାଲିକାରୁ ତାଙ୍କ ନାଁ କାଟିନାହାନ୍ତି । ବିଜେଡି ତାଲିକାର କ୍ରମିକ ନମ୍ବର ୨୬ ରେ ତାଙ୍କ ନାଁ ଅଛି ।
ସେଇ ପ୍ରଦୀପ ପାଣିଗ୍ରାହୀ ଆଜି ବିଧାନସଭା ପରିସରରେ ସାମ୍ବାଦିକମାନଙ୍କୁ ଡାକି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ଘୋଷଣା କରିବା ଅବସରରେ ନିଜକୁ ସ୍ୱାଧୀନ ବିଧାୟକ ମାନିଛନ୍ତି । ଏଥିସହ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ପାଇଁ ତାଙ୍କୁ ଏ ପର୍ଯ୍ୟନ୍ତ କେହି ଅନୁରୋଧ କରି ନ ଥିବାରୁ ଅଭିମାନ କରିଛନ୍ତି ।
ଦ୍ରୌପଦ୍ରୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ କ୍ୟାମେରା ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଗଦ ଗଦ ହୋଇଯାଇଥିଲେ ପ୍ରଦୀପ ପାଣିଗ୍ରାହୀ । ସେ କହିଥିଲେ, ପ୍ରଥମ ଥର ପାଇଁ ଭାରତବର୍ଷର ଜଣେ ପ୍ରଧାନମନ୍ତ୍ରୀ ଓଡ଼ିଆ ଜାତିକୁ ଯେଉଁ ସମ୍ମାନ ଦେଇଛନ୍ତି ତାହା ଅଦ୍ଭୂତପୂର୍ବ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଆମେରିକା ରାଷ୍ଟ୍ରପତି ବାଇଡେନ୍, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଏବଂ ରୁଷ ରାଷ୍ଟ୍ରପତି ପୁଟିନ୍ ଙ୍କ ସହ କଥା ହୋଇପାରିବେ । ସ୍ୱାଧୀନତା ପୂର୍ବରୁ ଏବଂ ସ୍ୱାଧୀନତା ପରେ କୌଣସି ପ୍ରଧାନମନ୍ତ୍ରୀ ଓଡ଼ିଆଙ୍କୁ ଏହି ସୁଯୋଗ ଦେଇ ନ ଥିଲେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ୮ ବର୍ଷର କାର୍ଯ୍ୟକାଳ ଭିତରେ ଦେଶର ସର୍ବୋଚ୍ଚ ପଦବୀଗୁଡ଼ିକରେ ଓଡ଼ିଆମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଅଧିକ କେନ୍ଦ୍ରମନ୍ତ୍ରୀ ଦେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ୮ ବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେଇଛନ୍ତି । ଓଡ଼ିଶାକୁ ମୋଦିଙ୍କର ଏବେବଡ଼ ଅବଦାନ ପାଇଁ ଓଡ଼ିଶାବାସୀ ତାଙ୍କର ଋଣ କେବେ ବି ସୁଝିପାରିବେ ନାହିଁ ବୋଲି ସେ କହିଥିଲେ ।
ପ୍ରଦୀପ ପାଣିଗ୍ରାହୀଙ୍କ ମୁହଁରୁ ମୋଦିଙ୍କର ଏଭଳି ପ୍ରଶଂସା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ମୋଦିଙ୍କୁ ଜପ କରି ସେ ବିଜେପ ଆଡକୁ ଢ଼ଳିବାକୁ ଉଦ୍ୟମ କରିଥିବା କୁହାଯାଉଛି । କାରଣ ଆଗକୁ ବିଜେପି ହିଁ ତାଙ୍କୁ ପରିଚୟ ସଙ୍କଟରୁ ଉଦ୍ଧାର କରିବ । ତେବେ ଏ ସମ୍ପର୍କରେ ବିଜେପି ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।