ଭୁବନେଶ୍ୱର: ଏବର୍ଷ ରଥଯାତ୍ରାରେ ହୋଇଥିବା ମହାବିଭ୍ରାଟ ଗତ ୫୦/୬୦ ବର୍ଷ ଭିତରେ କେବେ ଦେଖିବାକୁ ମିଳି ନ ଥିଲା । କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କର ଏହା କେବଳ ଉକ୍ତି ନୁହେଁ, ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କର ଅନୁଭବ । ୫ ଦିନ ତଳେ ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଚଳିତବର୍ଷର ରଥଯାତ୍ରା ସ୍ମରଣୀୟ ହେବ । ଅଘଟଣ ଶୂନ୍ୟ ହେବ । ରଥଯାତ୍ରାରୁ ଭକ୍ତମାନେ ଦିବ୍ୟ ଅନୁଭବ ନେଇ ଫେରିବେ । ତେବେ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ, ସତରେ କରିକି ଦେଖାଇଛନ୍ତି । ଚଳିତବର୍ଷର ରଥଯାତ୍ରା ସ୍ମରଣୀୟ ହୋଇଛି । ଅବଶ୍ୟ ଯାବତୀୟ ବିଶୃଙ୍ଖଳା ଏବଂ ଅଘଟଣରେ । ଜୀବନ ବଞ୍ଚାଇ ସୁରକ୍ଷିତ ଭାବେ ଘରକୁ ଫେରି ଆସିଥିବା ଭକ୍ତମାନେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ଏହା ହିଁ ମହାପ୍ରଭୁଙ୍କ ଆଶୀର୍ବାଦ ବୋଲି ସେମାନେ ଦିବ୍ୟ ଅନୁଭବ ପାଇଛନ୍ତି ।
ନିର୍ଦ୍ଧାରିତ ସମୟ ୪ଟା ୧୦ରେ ରଥଟଣା ଆରମ୍ଭ ହୋଇଥିଲେ ମଧ୍ୟ ବଳଭଦ୍ରଙ୍କ ତାଳଧ୍ୱଜ ରଥ ବାରମ୍ବାର ମୋଡ଼ ନେବାରୁ ଅବସ୍ଥା ବାର ବାଜିଯାଇଥିଲା । ରଥ ମରିଚିକୋଟ ଛକ ଅତିକ୍ରମ କରିବା ବେଳକୁ ଅଢ଼େଇ ଘଟଣ୍ଟା ବିତିଗଲା । ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ହେଲା ବେଳକୁ ଅବସ୍ଥା ଅଣାୟାତ୍ତ ହୋଇସାରିଥିଲା । କର୍ଡନ ଖାଲି କରିବା ମୁସ୍କିଲ୍ ହୋଇଗଲା । କର୍ଡନ୍ ପାସ ହାତେଇଥିବା ହଜାର ହଜାର ଦଳୀୟ ଲୋକ, ସେମାନଙ୍କର ବନ୍ଧୁ ବାନ୍ଧବ, ଚେଲା ଚାମୁଣ୍ଡା ଇଞ୍ଚେ ବି ହଟିଲେ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ୧୦ ହଜାର କର୍ଡନ୍ ପାସ୍ ଦିଆଯାଇଥିବା ଜଣାପଡ଼ିଛି । ଏହି ଜଟିଳ ପରିସ୍ଥିତିରେ ସଂଧ୍ୟା ୬ଟା ୩୫ରେ ଯାଇ ଦର୍ପଦଳନ ରଥ ଟଣା ହୋଇଥିଲା । ସେତେବେଳକୁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସାମନାରେ ଅବସ୍ଥା ଅସମ୍ଭାଳ ହୋଇସାରିଥିଲା । ଦିନ ତମାମ ଅପେକ୍ଷାରେ ଥିବା ଭକ୍ତମାନେ ମହାପ୍ରଭୁଙ୍କ ଆଶୀର୍ବାନ ନେବା ପାଇଁ ଅଥୟ ହୋଇପଡ଼ିଲେ । ପୁଲିସ ଭିଡ଼ ନିୟନ୍ତ୍ରଣ କରିପାରିଲା ନାହିଁ । ରାତି ୭ଟା ୪୫ରେ ଯାଇ ରଥଟଣା ବିଧି ରଖିବାକୁ ଛୁଆଁଇ ଦିଆଗଲା । ଚକେ ଗଡ଼ି ଅଟକିଗଲେ ମହାପ୍ରଭୁ ।
ଏହି ଅବ୍ୟବସ୍ଥାର ଅନ୍ୟ ବଡ଼ ଦିଗଟି ହେଉଛି ଦଳାଚକଟା । ଠେଲାପେଲା, ଦଳାଚକଟାରେ ୬୦୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । କର୍ଡନ ଖାଲି କରିବାକୁ ଯାଇ ପୁଲିସର ବଳପ୍ରୟୋଗରେ ମଧ୍ୟ ଅନେକ ଆହତ ହୋଇଛନ୍ତି । ତେବେ କୌଣସି କାରଣରୁ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମଗୁଡ଼ିକ ଏହାକୁ ଚପାଇ ଦେବାକୁ ଉଦ୍ୟମ କରିଛନ୍ତି । ଗତକାଲି ରାତିରେ ଏନଡିଟିଭି ଏବଂ ନୁ୍ୟଜ୍ ନେସନ୍ ଭଳି ଜାତୀୟ ଗଣମାଧ୍ୟମରେ ଦଳାଚକଟା ଆହତଙ୍କ ସଂଖ୍ୟା ୫୮୧ ଦର୍ଶାଇଥିଲେ । ମାତ୍ର ଲଜ୍ଜାର କଥା, ଆମ ରାଜ୍ୟର ପ୍ରମୁଖ ଟିଭି ଓ ଖବରକାଗଜ ଗୁଡ଼ିକ ଏହାକୁ ନଜର ଅନ୍ଦାଜ କରିବାକୁ ଉଦ୍ୟମ କରିଛନ୍ତି । ବଡ଼ ଇଂରାଜୀ ଖବରରେ ବି ରଥଯାତ୍ରା ଅବ୍ୟବସ୍ଥା ଖବର ନାହିଁ । କାରଣ କ’ଣ ତାହା ଜାଣିବା ଲୋକ ଜାଣିଛନ୍ତି । ନଗଦରେ ମୋଟା ଅଙ୍କର ବିଜ୍ଞାପନ ପାଇଥିବାରୁ କୃତଘ୍ନ ହୋଇନାହାନ୍ତି ।
ଅପରପକ୍ଷରେ, ଆମ ରାଜ୍ୟର ପ୍ରମୁଖ ଖବରକାଗଜଗୁଡ଼ିକରେ ଆଜି ଆଉ ଏକ ବଡ଼ ଖବର ବାହାରିଛି । ତାହା ହେଉଛି ମହାପ୍ରଭୁଙ୍କ ଦିବ୍ୟଯାତ୍ରାରେ ଗୌତମ ଆଦାନୀଙ୍କ ସାମିଲ ଖବର । ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ଶନିବାର(ଆଜି) ପୁରୀ ଗସ୍ତ କରି ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରିବେ । ଗତକାଲିଠାରୁ ସୋସିଆଲ୍ ମିଡିଆରେ ଏହି ଖବର ନିଆଁ ଭଳି ମାଡ଼ି ଚାଲିଛି । ଗତକାଲି ରଥଯାତ୍ରାରେ ଅବ୍ୟବସ୍ଥା ପଛରେ ଆଦାନୀ କାରଣ ବୋଲି ଅଧିକାଂଶ କଟୁକ୍ତି କରିଛନ୍ତି । ଆଦାନୀଙ୍କ ପାଇଁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଅଟକାଇ ଦିଆଗଲା ବୋଲି ଟିପ୍ପଣୀ ଖୁବ୍ ଜୋରରେ ଭାଇରାଲ୍ ହୋଇଛି । ନିଶ୍ଚିତ ଭାବେ ଏହା ଭୟଙ୍କର କଥା ।
ରଥଯାତ୍ରା ପରିଚାଳନାରେ ଚରମ ବିଭ୍ରାଟ ଗତକାଲି ସାରା ବିଶ୍ୱବାସୀ ଦେଖିଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ମୁଖ୍ୟ ପ୍ରଶାସକ ଏବଂ ଆଇନମନ୍ତ୍ରୀ ତାହାକୁ ମାନିବା ପରିବର୍ତ୍ତେ ଯାହା ହୋଇଛି ତାହା ଜଗନ୍ନାଥଙ୍କ ଇଚ୍ଛାରେ ବୋଲି କହିବା ସମସ୍ତଙ୍କୁ ଲଜ୍ଜିତ କରିଛି । ଓଡ଼ିଶାର ନାଥ ବୋଲାଉଥିବା ଅହଂକାରୀ ନେତା ଏବଂ ଅଫିସରଙ୍କର ସ୍ୱୟଂ ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ମଧ୍ୟ ଭୟ କି ସମ୍ମାନ ନାହିଁ ବୋଲି ଲୋକମାନେ ଆଲୋଚନା କରୁଛନ୍ତି । ବିଶେଷକରି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କୁ ଲକ୍ଷ୍ୟ କରି ଏଭଳି ଆଲୋଚନା ହେଉଛି ।
ରଥଯାତ୍ରାରେ ଯାବତୀୟ ଅବ୍ୟବସ୍ଥା ଦେଖାଦେବା ପରେ ମଧ୍ୟ ଆଇନମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସେ କହିଛନ୍ତି, ରଥଟଣା ବିଳମ୍ବ ହେଉ କି ପ୍ରବଳ ଭକ୍ତ ସମାଗମ କିଛି ନୂଆ କଥା ନୁହେଁ । ଏଭଳି ଘଟଣା ବହୁବର୍ଷ ଧରି ହୋଇଛି । ତେବେ ବିନା ବିଘ୍ନରେ ଏଥର ରଥଯାତ୍ରା ହୋଇଛି ବୋଲି ଗଣମାଧ୍ୟମକୁ ସେ କହିଛନ୍ତି ।
ସୂଚନାଥାଉକି, ଗତବର୍ଷ ରଥଯାତ୍ରାରେ ପହୁଣ୍ଡବେଳେ ତଳେ ହାମୁଡ଼େଇ ପଡ଼ିଥିଲେ ବଳଭଦ୍ର । ଏହି ବିଶୃଙ୍ଖଳା କୋଟି କୋଟି ଭକ୍ତଙ୍କୁ ଆଘାତ ଦେଇଥିଲା । ଏହାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଆଇନମନ୍ତ୍ରୀ ଗଣମାଧ୍ୟମକୁ ପ୍ରାଞ୍ଜଳ ଭାବରେ କହିଥିଲେ । ମାତ୍ର ବର୍ଷେ ବିତିଗଲା ପଛେ ତଦନ୍ତ ରିପୋର୍ଟ ଆସିଲାନି କି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଭକ୍ତଙ୍କ ଭାବାବେଗକୁ ତୁଚ୍ଛ କରିଦେଲେ ନୂଆ ବିଧାୟକ ଏବଂ ମନ୍ତ୍ରୀ ଭାବେ ପ୍ରଥମରୁ ପାୱାରଫୁଲ୍ ପୃଥ୍ୱୀରାଜ ହରିଚନ୍ଦନ ।
ଏଥର ରଥଯାତ୍ରାରେ ମହାବିଭ୍ରାଟ ପାଇଁ ଆଉ ଯେଉଁ ବ୍ୟକ୍ତିଙ୍କୁ ବେଶୀ ଦାୟୀ କରାଯାଉଛି, ସେ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ । ସବୁବେଳେ ମିଡିଆରେ ରହିବାକୁ ଭଲ ପାଉଥିବା ଏହି ପ୍ରଶାସକଙ୍କୁ ଗତକାଲି ରଥଯାତ୍ରା ବେଳେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଖେ ପାଖେ ବେଶୀ ଦେଖିବାକୁ ମିଳୁଥିଲା । ମଝିରେ ମଝିରେ ସେମାନଙ୍କ କାନ ପାଖେ ଫୁସ୍ ଫୁସ୍ ହେଉଥିଲେ । ପରମ୍ପରା ଭାଙ୍ଗି ରଥ ଉପରେ ଚଢ଼ିଥିଲେ । ଏହା କ’ଣ ତାଙ୍କର ଦାୟିତ୍ୱ ବୋଲି ଅନେକ ପ୍ରଶ୍ନ କରିଛନ୍ତି । ନିଜର ଦାୟିତ୍ୱକୁ ଗୌଣ କରି ବସ୍ ଙ୍କୁ ଖୁସି କରିବା ଉପରେ ତାଙ୍କର ଅଧିକ ଧ୍ୟାନ ଥିଲା ବୋଲି ସେମାନେ ଟିପ୍ପଣୀ ଦେଇଛନ୍ତି ।
ଏତେ ସବୁ ବିଭ୍ରାଟକୁ ମୁଖ୍ୟ ପ୍ରଶାସକ ହାଲୁକା ଢ଼ଙ୍ଗରେ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଳଧ୍ୱଜ ରଥ ବାରମ୍ବାର ମୋଡ଼ ନେବା, ନନ୍ଦିଘୋଷ ରଥ ନ ଗଡ଼ିବା ଏକ ବ୍ୟତିକ୍ରମ ନୁହେଁ ବୋଲି ସେ ଦର୍ଶାଇବାକୁ ଚାହିଁଛନ୍ତି । ସବୁ ଜଗନ୍ନାଥଙ୍କ ଇଚ୍ଛା ବୋଲି କହିଛନ୍ତି ।
ସୂଚନାଥାଉକି, ପୂର୍ବରୁ ଡ. ପାଢ଼ୀ ଶ୍ରୀମନ୍ଦିର ପ୍ରଶାସକ ଥିବା ବେଳେ ଅନେକ ବିଭ୍ରାଟ ଦେଖିବାକୁ ମିଳିଥିଲା । ସୂର୍ଯ୍ୟାସ୍ତ ପରେ ରଥଟଣା କଟକଣା ଥିଲେ ମଧ୍ୟ ତାଙ୍କ ସମୟରେ ଏହି ନିୟମ ଭାଙ୍ଗିଥିଲା । ସୋସିଆଲ୍ ମିଡିଆରେ କିଛି ଅନ୍ଧ ଭକ୍ତ ରଥଯାତ୍ରା ପରିଚାଳନାକୁ ସମର୍ଥନ କରିବାକୁ ଯାଇ ପୂର୍ବ ବିଜେଡି ସରକାରର ଏହି ଭୁଲ୍ ଭଟକା ଦର୍ଶାଉଛନ୍ତି । ଆଜିକାଲି ବିଜୁଳି ବ୍ୟବସ୍ଥା ଥିବାରୁ ସଂଧ୍ୟାରେ ରଥଟଣା ହେବାରେ କିଛି ପାପ ନାହିଁ ବୋଲି ସେମାନଙ୍କର ଯୁକ୍ତି । ଏହାର ଜବାବ ଦେବାକୁ ଯାଇ କିଛି ବ୍ୟକ୍ତି ମହାପ୍ରଭୁଙ୍କୁ ମୋଦକ ବଦଳରେ ଏଲୋପାଥିକ ଔଷଧ କାହିଁକି ଦେବା ନାହିଁ ବୋଲି ତାତ୍ସଲ୍ୟ କରିଛନ୍ତି ।
ଡ. କ୍ରିଷନ୍ କୁମାରଙ୍କ ସମୟରେ ରଥଯାତ୍ରା ସବୁଠାରୁ ଶୃଙ୍ଖଳିତ ହୋଇଥିଲା । ଏହାକୁ ଆଜି ପର୍ଯ୍ୟନ୍ତ ଓଡ଼ିଶାବାସୀ ଝୁରି ହେଉଛନ୍ତି । ମୋହନ ସରକାର ତାଙ୍କ ଭଳି ଜଣେ ଦକ୍ଷ ଅଫିସରଙ୍କୁ ଶ୍ରୀମନ୍ଦିର ପ୍ରଶାସକ ଦାୟିତ୍ୱ ଦେବା ଉଚିତ୍ ବୋଲି ଅନେକ ମତ ଦେଇଛନ୍ତି ।
ଆହୁରି ସାଂଘାତିକ କଥା ହେଉଛି, ପୁରୀ ଗଜପତି ମହାରାଜାଙ୍କ ନିରବତା । ରଥଯାତ୍ରାରେ ଏତେବଡ଼ ବିଭ୍ରାଟ୍ ଘଟି କୋଟି କୋଟି ଭକ୍ତଙ୍କୁ ଆଘାତ ଦେଇଥିଲେ ମଧ୍ୟ ତାଙ୍କର ପାଟି ଖୋଲୁନାହିଁ । ଏହାଠାରୁ ବଳି ଭୟାନକ କଥା ଆଉ କିଛି ହୋଇ ନ ପାରେ ବୋଲି କିଛି ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ସୂଚନାଥାଉକି, ଇସ୍କନ୍ ର ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ବହୁତ ତମ୍ବିତୋଫାନ କରିଥିଲେ । ମାତ୍ର ଏଇ ନିକଟରେ ମହାପ୍ରଭୁ ଅଣସରରେ ଥିବା ବେଳେ ଦିଲ୍ଲୀରେ ରଥଯାତ୍ରା ସମ୍ପନ୍ନ କରିଥିଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଏହାକୁ ନେଇ ରାଜ୍ୟ ସରକାର ଏବଂ ପ୍ରମୁଖ ମିଡିଆଙ୍କ ଭଳି ଗଜପତି ମଧ୍ୟ ଚୁପ୍ ରହିଲେ । ଏଥିରୁ ରାଜନୀତିର ଗନ୍ଧ ଲୋକେ ବାରି ଦେଉଛନ୍ତି ।
ରଥଯାତ୍ରା ପ୍ରସ୍ତୁତି ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବକ୍ତବ୍ୟ ଶୁଣିଲା ପରେ ଏଥର ରଥଯାତ୍ରା ଯେ ସବୁଠାରୁ ଅଧିକ ଶୃଙ୍ଖଳିତ ହେବ ତାହାକୁ ନେଇ ଅଧିକାଂଶ ନିଶ୍ଚିତ ଥିଲେ । ମାତ୍ର ସେ ଯାହା କହିଥିଲେ ଠିକ୍ ଓଲଟା ହେଲା ।
ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଗକରୁ କାଁ ଭାଁ ରଥଯାତ୍ରା ଦେଖିବାକୁ ଯାଇଥିବେ । ରଥଯାତ୍ରା ସମ୍ପର୍କରେ ତାଙ୍କର ସମ୍ୟକ ଜ୍ଞାନ ନାହିଁ । କିଛି କହିବା ପୂର୍ବରୁ ବୁଝିକି କହିଥିଲେ ଭଲ ହୋଇଥାନ୍ତା । ଏଥର ରଥଯାତ୍ରାରେ ସରକାରଙ୍କ ଚରମ ଦାୟିତ୍ୱହୀନତାକୁ ସେ ଘୋର ନିନ୍ଦା କରିଛନ୍ତି । ପହଣ୍ଡି ବେଳେ ୫ ହଜାର ଏବଂ ରଥଟଣା ବେଳେ ୫ ହଜାର କର୍ଡନ୍ ପାସ୍ କିଏ ଦେଲା ବୋଲି ସେ ପ୍ରଶ୍ନ କରିବା ସହ ଏହା ଘୋଷଯାତ୍ରା ନା ପାର୍ଟି ଯାତ୍ରା ବୋଲି ଗାଳି କରିଛନ୍ତି ।
ରଥଯାତ୍ରା ବିଭ୍ରାଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଭୟଙ୍କର ବିଭ୍ରାଟ ପାଇଁ ଦାୟୀ ସମସ୍ତଙ୍କୁ ମହାପ୍ରଭୁ କ୍ଷମା କରିଦିଅନ୍ତୁ ବୋଲି ସେ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି । ବିଭ୍ରାଟର କାରଣକୁ ଗଭୀର ଭାବେ ଅନୁଶୀଳନ କରିବାକୁ ସେ ପରାମର୍ଶ ଦେଇ ଚକା ଆଖି ସବୁ ଦେଖୁଛି ବୋଲି କହିଛନ୍ତି । ପିସିସି ସଭାପତି ଭକ୍ତଚରଣ ଦାସ ମଧ୍ୟ ରଥଯାତ୍ରା ମହାବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ସୂଚନାଥାଉକି, ଶ୍ରୀମନ୍ଦିର ପରିଚାଳନା କମିଟି ଏ ପର୍ଯ୍ୟନ୍ତ ଗଠନ କରିପାରିନାହାନ୍ତି ମୋହନ ସରକାର । ବର୍ଷେ ଶାସନ କଲା ପରେ ବି ଏହି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ ନ କରିପାରିବା ଚରମ ଅପାରଗତା ବୋଲି ସାଧାରଣରେ ନିନ୍ଦା କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳ ରାଜ୍ୟରେ ସୁଶାସନ ଚାଲିଛି ବୋଲି ସାର୍ଟିଫିକେଟ୍ ଦେବା ଦୁର୍ଭାଗ୍ୟଜନକ ବୋଲି ଲୋକେ ଆଲୋଚନା କରୁଛନ୍ତି । ଦିନେ ମହାପ୍ରଭୁଙ୍କ ନାଁ ନେଇ ରାଜନୀତି କରିଥିବା ବିଜେପିକୁ ଏହା ବୁମେରାଂ ସାବ୍ୟସ୍ତ ହୋଇଛି ବୋଲି କୁହାଯାଉଛି ।