ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏନଡିଏ ପ୍ରାର୍ଥୀ ଧନଖଡ଼ ବିରୋଧୀ ପକ୍ଷର ପ୍ରାର୍ଥୀ ଶ୍ରୀମତୀ ମାର୍ଗାରେଟ୍ ଆଲଭାଙ୍କୁ ୩୪୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ୭୨୫ ସାଂସଦ ଭୋଟ ଦେଇଥିଲେ । ଶ୍ରୀ ଧନଖଡ଼ଙ୍କୁ ୫୨୮ ଭୋଟ ମିଳିଥିବା ବେଳେ ଶ୍ରୀମତୀ ଆଲଭାଙ୍କୁ ୧୮୨ ଭୋଟ ମିଳିଛି । ୧୫ ଭୋଟ ନାକଚ ହୋଇଛି ।
ରାଜସ୍ଥାନ ବାସିନ୍ଦା ୭୧ ବର୍ଷ ବୟସ୍କ ଜଗଦୀପ ଧନଖଡ଼ ୧୯୮୯ରୁ ୧୯୯୧ ଯାଏ ଜନତା ଦଳ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୩ ରୁ ୧୯୯୮ ଯାଏ ରାଜସ୍ଥାନ ବିଧାନସଭାର ସଦସ୍ୟ ଥିଲେ । ପରବର୍ତ୍ତୀ ସମୟରେ ରାଜସ୍ଥାନ ହାଇକୋର୍ଟ ବାର୍ ଆସୋସିଏସନ୍ ର ସଭାପତି ଥିଲେ । ୨୦୧୯ ଜୁଲାରେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା ।