ଭୁବନେଶ୍ୱର: ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢ଼ୋଲକିଆ ଆଜି ବିଧାନସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଧାନସଭା ପ୍ରକୋଷ୍ଠରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଏକାଧିକ ମନ୍ତ୍ରୀ, ବିଧାୟକଙ୍କ ସହ ଜୟଙ୍କ ମାଆ କଳ୍ପନା ଢ଼ୋଲିକିଆ, ପତ୍ନୀ ସୁମନ ଢ଼ୋଲକିଆ ଏବଂ ତାଙ୍କ ଶିଶୁକନ୍ୟା ଉପସ୍ଥିତ ଥିଲେ ।
ବାପା ସ୍ୱର୍ଗତ ରାଜେନ୍ଦ୍ର ଢ଼ୋଲକିଆଙ୍କର ପବିତ୍ର ଜନ୍ମତିଥିରେ ବିଧାନସଭା ସଦସ୍ୟ ଭାବେ ଶପଥ ନେବା ତାଙ୍କ ପାଇଁ ଗୌରବର ମୁହୂର୍ତ୍ତ ବୋଲି ଜୟ କହିଛନ୍ତି । ନୂଆପଡ଼ାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିବେ ବୋଲି ସେ ଦୋହରାଇଛନ୍ତି । ନୂଆପଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ଜୟ କାମ କରିବେ ବୋଲି ତାଙ୍କ ମା’ ଓ ପତ୍ନୀ ପ୍ରତିଶ୍ରୁତି ଦେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।