ଭୁୁବନେଶ୍ୱର: ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର ମଙ୍ଗଳପୁର ନିକଟ ଜମାଲପୁର ଛକରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନ୍ୟୁଜ୍-୭ ରେ କାର୍ଯ୍ୟରତ ସାମ୍ବାଦିକା ଶୀଲା ପଟ୍ଟନାୟକଙ୍କର ଜୀବନ ଚାଲିଯାଇଛି । ତାଙ୍କ ସାଙ୍ଗରେ ଥିବା ଅନ୍ୟ ଜଣେ ମହିଳା ସିପିକା ନାୟକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ଶୀଲା କଳିଙ୍ଗନଗରରେ ନିଜର ଛୋଟପୁଅ ସହ ରହୁଥିଲେ । ସିପିକାଙ୍କ ଘର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଲକ୍ଷ୍ମୀପୁର ଗାଁରେ । ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ସ୍ୱାମୀ ପ୍ରଦୀପ କୁମାର ରାଉତଙ୍କ ସହ ରହୁଥିଲେ ।
ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଦୁର୍ଘଟଣା ଘଟିଥିଲା । ସେତେବେଳେ ଶୀଲା ତାଙ୍କ ସ୍କୁଟିରେ ସିପିକାଙ୍କୁ ଧରି ପୁରୀ ଯାଉଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ମଙ୍ଗଳପୁର ନିକଟ ଜମାଲପୁର ଛକ ନିକଟରେ ଜାତୀୟ ରାଜପଥ ଉପରେ ଗଦା ହୋଇଥିବା ବାଲି ଉପରେ ସ୍କୁଟିଟି ଚଢ଼ିଯିବାରୁ ଚକ ସ୍ଲିପ୍ କରିଥିଲା । ଭାରସାମ୍ୟ ହରାଇ ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ସେହି ସମୟରେ ପଛରୁ ଦ୍ରୁତ ଗତିରେ ପୁରୀ ଅଭିମୁଖେ ଆସୁଥିବା ଏକ ବସ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା । ବସ୍ ରେ ଚାପି ହୋଇ ଘଟଣାସ୍ଥଳରେ ହିଁ ଶୀଲାଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ସିପିକାଙ୍କୁ ସ୍ଥାନୀୟ ଲୋକେ ମଙ୍ଗଳପୁର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଦୁର୍ଘଟଣା ଘଟାଇଥିବା ବସ୍ କୁ ପିପିଲି ପୁଲିସ ଜବତ କରି ଡ୍ରାଇଭରକୁ ଅଟକ ରଖିଛି ।
ଏହି ମର୍ମନ୍ତୁଦ ଦୁର୍ଘଟଣା ପଛର କାରଣ ସାଜିଥିବା ବାଲିକୁ ନେଇ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି । ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଶହ ଶହ ବାଲି ବୋଝେଇ ଟ୍ରକ୍ ଯାତାୟତ ହେଉଛି । ସେହି ଟ୍ରକ୍ ଗୁଡ଼ିକରୁ ବାଲି ଝରି ରାସ୍ତାରେ ପଡୁଛି । ଠାଏ ଠାଏ ଗଦା ହୋଇ ରହୁଛି । ଏହା ପ୍ରତି କାହାର ଦୃଷ୍ଟି ପଡୁନାହିଁ କି ରାସ୍ତା ଉପରୁ ବାଲି ସଫାର ଦାୟିତ୍ୱ କେହି ନେଉନାହାନ୍ତି । ଏଥିଯୋଗୁଁ ସବୁଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି କାରଣରୁ ଆଜି ଅକାଳରେ ଦୁଇ ମହିଳାଙ୍କର ଅମୂଲ୍ୟ ଜୀବନ ଚାଲିଯିବା ସମସ୍ତଙ୍କୁ ମ୍ରିୟମାଣ କରିଛି ।
ଶୀଲା ଜଣେ ଜଣାଶୁଣା ସାମ୍ବାଦିକା ଥିଲେ । ତାଙ୍କର ଏଭଳି ଅକାଳ ବିୟୋଗ ସାମ୍ବାଦିକ ମହଲକୁ ସ୍ତବ୍ଧ କରିଦେଇଛି । ଏକମାତ୍ର ଶିଶୁପୁତ୍ରର ଭବିଷ୍ୟତ ନେଇ ସମସ୍ତେ ଚିନ୍ତିତ ହୋଇପଡ଼ିଛନ୍ତି ।