ଭୁବନେଶ୍ୱର: ମୋହନ ସରକାରଙ୍କୁ ଆଜି ପୂରିଲା ବର୍ଷେ । ଗତବର୍ଷ ଆଜିର ଦିନରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହୋଇଥିଲା । ୨୪ ବର୍ଷ ଧରି ଓଡ଼ିଶାରେ ଶାସନ କରୁଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ବଦଳିଗଲା । ଅନେକଙ୍କ ପାଇଁ ନିର୍ବାଚନ ଫଳ ଅପ୍ରତ୍ୟାଶିତ ଥିଲେ ମଧ୍ୟ ଲୋକେ ଯେ ପରିବର୍ତ୍ତନ ଚାହୁଁଥିଲେ ତାହା ସ୍ୱୀକାର୍ଯ୍ୟ । ଯାହାର ଫାଇଦା ବିଜେପିକୁ ମିଳିଲା । ନବୀନ ବାବୁଙ୍କ ଭଳି ଅତ୍ୟନ୍ତ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଜାଗା ନେଲେ ମୋହନ ଚରଣ ମାଝୀ । କେନ୍ଦ୍ରରେ ତୃତୀୟ ପାଳି ମୋଦୀ ସରକାରକୁ ଓଡ଼ିଶାରେ ପ୍ରଥମ ପାଳି ବିଜେପି ସରକାର । ଏହି ଡବଲ୍ ଇଂଜିନ୍ ସରକାରକୁ ନେଇ ସାଧାରଣ ଜନତା ଓ କର୍ମୀଙ୍କ ମନରେ ସୃଷ୍ଟି ହେଲା ଅପୂର୍ବ ଉତ୍ସାହ । ତେବେ ବର୍ଷକରେ ଲୋକଙ୍କର ଆଶା, ଆକାଂକ୍ଷା ପୂରଣ କରିବାରେ ମୋହନ ସରକାର କେତେ ସଫଳ?
୨୦୨୪ ଜୁନ୍ ୧୨ ତାରିଖରେ ମୋହନ ମାଝୀ ସରକାରଙ୍କ ଶପଥ ଗ୍ରହଣ ସଂଧ୍ୟାରେ ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ୪ଟି ବଡ଼ ନିଷ୍ପତ୍ତି ନିଆଗଲା । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ଶ୍ରୀମନ୍ଦିର କର୍ପସ୍ ଫଣ୍ଡ ପାଇଁ ୫୦୦ କୋଟି ମଂଜୁର, ସମୃଦ୍ଧ କୃଷକ ନୀତି ଯୋଜନା ପ୍ରଣୟନ ଏବଂ ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ।
ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ରେ ଏହି ନିଷ୍ପତ୍ତି ଲୋକଙ୍କ ମନରେ ଗଭୀର ଆଶା ସଞ୍ଚାର କରିଥିଲା । ନିର୍ବାଚନ ବେଳେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଛି, ଅକ୍ଷରେ ଅକ୍ଷରେ ପାଳନ ହେବ ବୋଲି ଲୋକେ ବିଶ୍ୱାସ କଲେ । ବିଜେପି କଥାରେ ନୁହେଁ, କାମରେ ବିଶ୍ୱାସ କରେ ବୋଲି ଲୋକଙ୍କର ଭାବନା ହେଲା ।
ମାତ୍ର ବାସ୍ତବରେ ହୋଇଛି କ’ଣ?
ଶପଥ ଗ୍ରହଣ ପରଦିନ ସରକାର ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିଦେଲେ ସତ ହେଲେ ଭିଡ଼ ସମ୍ଭାଳି ପାରିଲେନି । ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିପାରିଲେନି । ସେଥିପାଇଁ ଦୁଇ ଦ୍ୱାର ବନ୍ଦ କରିବାକୁ ସରକାର ବାଧ୍ୟ ହେଲେ । ସେହିଭଳି ଶ୍ରୀମନ୍ଦିର କର୍ପସ ଫଣ୍ଡ ପାଇଁ ୫୦୦ କୋଟି ମଂଜୁର ହୋଇଥିଲେ ବି ବଡ଼ଠାକୁରଙ୍କର ଶୃଙ୍ଖଳିତ ଦର୍ଶନ ହୋଇପାରିଲାନି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା- ବର୍ଷଟିଏ ଚାଲିଗଲା ପଛେ, ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇପାରିଲାନି । ଯାହାଫଳରେ ଗଜପତିଙ୍କର ଭୂମିକା ସଙ୍କୁଚିତ ହୋଇଯାଇଛି । ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିରର ସର୍ବେସର୍ବା ହୋଇ କାମ ଚଳାଇଛନ୍ତି ।
ଅନ୍ୟପକ୍ଷରେ, ସମୃଦ୍ଧ କୃଷକ ନୀତିରେ ଚାଷୀ ଲାଭବାନ ହୋଇଛନ୍ତି । ଧାନର କ୍ୱିଣ୍ଟାଲ୍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କାର ଇନଫୁଟ ସହାୟତା ଦିଆଯାଇଛି । ତେବେ ଧାନର ଅଭାବୀ ବିକ୍ରୀ, ମିଲର-ଅଧିକାରୀ ମଧୁଚନ୍ଦ୍ରିକା ଭଳି ପୁରୁଣା ସମସ୍ୟାର ସମାଧାନ ହୋଇପାରିନାହିଁ । ବ୍ୟବସ୍ଥା ଯାହା ଥିଲା ସେୟା ।
ସୁଭଦ୍ରା ଯୋଜନାରେ କୋଟିଏ ହିତାଧିକାରୀଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଦିଆଯାଇଛି । ସେମାନଙ୍କୁ ୫ ବର୍ଷରେ ୫୦ ହଜାର ଦିଆଯିବ । ମାତ୍ର ନିର୍ବାଚନ ପ୍ରତିଶ୍ରୁତି ତାହା ନ ଥିଲା । ସୁଭଦ୍ରା ଯୋଜନାରେ ବର୍ଷକୁ ୫୦ ହଜାର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଯାହା ବି ହେଉ, ଏହି ଯୋଜନାକୁ ନେଇ ମହିଳାମାନେ ଉତ୍ସାହିତ ଅଛନ୍ତି ।
ନିର୍ବାଚନ ବେଳେ ଓଡ଼ିଶାବାସୀଙ୍କ ପାଖରେ ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରଖିଥିଲା ବିଜେପି । ତାହା ଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଚୋରି ଏବଂ ଓଡ଼ିଆ ଅସ୍ମିତା ।
ରତ୍ନଭଣ୍ଡାରରୁ ଅଳଙ୍କାର ଚୋରି ହୋଇ ଚାବି ତାମିଲନାଡୁ ପଳେଇଛି ବୋଲି ବିଜେପି ନେତାମାନେ କମ୍ପମାନ କରିଥିଲେ । ବାସ୍ତବରେ ସେମିତି କିଛି ହୋଇ ନ ଥିଲା ବୋଲି ବିଜେପି ନିଜେ ପ୍ରମାଣ ଦେଲା । ସରକାର ଗଠନର ମାସେ ପରେ ଜୁଲାଇ ୧୪ ତାରିଖରେ ଖୋଲାଗଲା ରତ୍ନଭଣ୍ଡାର । ଦୀର୍ଘ ୩୯ ବର୍ଷ ପରେ ଖୋଲିଥିବା ରତ୍ନଭଣ୍ଡାରରେ ସବୁ ଅଳଙ୍କାର ସୁରକ୍ଷିତ ଥିଲା । ତେବେ ଏହାର ଗଣତି ମଣତି ପାଇଁ ସରକାରଙ୍କ ପ୍ରତିଶ୍ରୁତି ଏ ପର୍ଯ୍ୟନ୍ତ ପାଳନ ହୋଇପାରିନାହିଁ ।
ବାକି ରହିଲା ଓଡ଼ିଆ ଅସ୍ମିତା ।
ନିର୍ବାଚନରେ ‘ଓଡ଼ିଆ ଅସ୍ମିତା’ ଥିଲା ବିଜେପିର ମୁଖ୍ୟ ନାରା । ଯେଉଁ ସମୟରେ ଅଣଓଡ଼ିଆ ପୂର୍ବତନ ପ୍ରଶାସକ ଭି.କେ ପାଣ୍ଡିଆନଙ୍କ ହାତରେ ବିଜେଡିର ଛାୟା ନେତୃତ୍ୱ ଥିଲା, ସେହି ସମୟରେ ବିଜେପିର ଏହି ଓଡ଼ିଆ ଅସ୍ମିତା ପ୍ରଚାର ଲୋକଙ୍କ ମନକୁ ବେଶ୍ ଛୁଇଁଥିଲା । ଏହି ସ୍ଲୋଗାନ୍ ବିଜେଡି ସରକାରର ପତନର ମୁଖ୍ୟ କାରଣ ବୋଲି କୁହାଗଲା । ଏହି ଓଡ଼ିଆ ଅସ୍ମିତାର ଦ୍ୱାହି ନେଇ ରାଜ୍ୟରେ ବିଜେପି କ୍ଷମତାକୁ ଆସିଥିଲେ ମଧ୍ୟ ମୋହନ ସରକାର ତାହାକୁ ଇଜ୍ଜତ ଦେଇନାହାନ୍ତି ।
ଗତବର୍ଷ ରଥଯାତ୍ରା ସମୟରେ ତତ୍କାଳୀନ ରାଜ୍ୟପାଳ ରଘୁବର ଦାସଙ୍କ ପୁତ୍ରମଣି ପୁରୀ ରାଜଭବନରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ପିଟି ମୁହଁ ଫଟାଇଦେଲେ । ଜୋତାରେ ଛେପ ପକାଇ ଚଟାଇଲେ । ଏହି ଘଟଣା ହଇଚଇ ସୃଷ୍ଟି କଲା । ପୀଡ଼ିତଙ୍କ ପରିବାର ନ୍ୟାୟ ଭିକ୍ଷା କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ । ଅଥଚ ତାଙ୍କୁ ନ୍ୟାୟ ମିଳିଲାନି । ରଘୁବରଙ୍କ ପୁଅ ବିରୋଧରେ ପୁଲିସ ମାମଲା ମଧ୍ୟ ରୁଜୁ କଲାନି । ଏହି ପ୍ରସଙ୍ଗ ବିଧାନସଭାକୁ ହୁଲସ୍ତୁଲ କରିଥିଲା ଏବଂ ପୁରୀ ଜିଲ୍ଲାପାଳ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବେ ବୋଲି ଆଇନମନ୍ତ୍ରୀ କହିଥିଲେ । ମାତ୍ର ଆଉ କିଛି ହେଲାନି । ଓଡ଼ିଆ ଅସ୍ମିତା ଝାଡ଼ଖଣ୍ଡରେ ବନ୍ଧା ପଡ଼ିଗଲା ।
ଓଡ଼ିଶାରେ ଅଣଓଡ଼ିଆଙ୍କ ରାଜୁତିକୁ ନେଇ ନିର୍ବାଚନ ବେଳେ କମ୍ପମାନ କରିଥିବା ବିଜେପି କ୍ଷମତାକୁ ଆସିଲା ପରେ ସେହି ଢ଼ାଞ୍ଚା ଧରିଲା । ପ୍ରଶାସନର ଶୀର୍ଷସ୍ତରରେ ଅଣଓଡ଼ିଆଙ୍କୁ ନିଯୁକ୍ତି ଦେଲେ ମୋହନ ସରକାର ।
ବିପଦଜନକ କଥା ହେଉଛି, ରାଜ୍ୟର ବିଜେପି ସରକାରକୁ ଲୋକମାନେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ଭି.କେ ପାଣ୍ଡିଆନ୍ ଙ୍କୁ ଦୁର୍ନୀତି ସର୍ଦ୍ଦାର କହି ଜେଲ୍ ରେ ପୂରାଇବାର ଧମକ ଦିଆଯାଇଥିଲା । ଡି.ଏସ କୁଟ୍ଟେ, ଆଶିଷ ସିଂ, ରବିକାନ୍ତ, ଭିନୀଲ୍ କ୍ରିଷ୍ଣା, ଆଶିଷ ଠାକରେଙ୍କୁ ବିଜେଡି ଏଜେଣ୍ଟ ଆଖ୍ୟା ଦେଇଥିଲା ବିଜେପି । ସେମାନଙ୍କ ଅଣ୍ଟା ଭାଙ୍ଗି ଦିଆଯିବ ବୋଲି ରଡ଼ି ପକାଇଥିଲା । ମାତ୍ର ଆଶ୍ଚର୍ଯ୍ୟର କଥା, ମୋହନ ସରକାର ସଂପୃକ୍ତ ଅଧିକାରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି । ସେମାନଙ୍କୁ କ୍ଲିନ୍ ଚିଟ୍ ଦେଇ କେନ୍ଦ୍ରୀୟ ଡେପୁଟେସନ୍ ପଠାଯାଇଛି । ସେଠି ଭଲ ଜାଗାରେ ନିଯୁକ୍ତି ପାଇଛନ୍ତି ବାବୁମାନେ ।
ପାଣ୍ଡିଆନଙ୍କୁ ଜେଲ୍ ପଠାଇବା ଦୂରେ ଥାଉ, ମୋହନ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ଦିଲ୍ଲୀ ପଟୁ ତାଙ୍କର(ପାଣ୍ଡିଆନ) ଭୂମିକା ରହୁଛି ବୋଲି ସାଧାରଣରେ ଅଦ୍ଭୂତ ଧାରଣା ସୃଷ୍ଟି ହୋଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପାଣ୍ଡିଆନଙ୍କ ନିବିଡ଼ ସମ୍ପର୍କରୁ ଲୋକେ ଏଭଳି ନାନା ଖିଅ ବାହାର କରୁଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତି ନବୀନଙ୍କ ଅତୁଟ ଆଭିମୁଖ୍ୟ ସମସ୍ତେ ଦେଖୁଛନ୍ତି । ସୁଜାତା କାର୍ତ୍ତିକେୟନଙ୍କୁ ଦିନକରେ ଭିଆରଏସ୍ ମଂଜୁର ମିଳିଥିବାରୁ ପାଣ୍ଡିଆନଙ୍କ ଦବଦବା ସମସ୍ତଙ୍କ ବିଶ୍ୱାସକୁ ଦୃଢ଼ୀଭୂତ କରିଛି । ସୁତରାଂ ତାଙ୍କ ପୂର୍ବ ଟିମ୍ ସଦସ୍ୟମାନଙ୍କୁ ଦିଲ୍ଲୀରେ ଭଲ ଜାଗାରେ ପୋଷ୍ଟିଂ ମିଳିବା ପଛରେ ପାଣ୍ଡିଆନଙ୍କ ହାତ ଥିବା କୁହାଯାଉଛି । ବିଜେପି-ବିଜେଡି ଭାଇ-ଭାଇ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଖୀ କଣ୍ଢେଇ ବୋଲି ଲୋକଙ୍କର ଧାରଣା ।
ବିଜେଡି ସରକାର ଅମଳରେ ସବୁଠାରୁ ଅଧିକ ଜନହିତକାରୀ ଯୋଜନା ଥିଲା ବିଏସକେୱାଇ । ଏହା ବଦଳରେ ଆୟୁଷ୍ମାନ ଭାରତ ଯୋଜନା ପ୍ରଚଳନ କରାଗଲା । ତେବେ ବ୍ୟବସ୍ଥା କାର୍ଯ୍ୟକାରିତାରେ ସାଂଘାତିକ ତ୍ରୁଟି ଦେଖାଯାଉଥିବାରୁ ମୋହନ ସରକାର ନିନ୍ଦିତ ହୋଇଛନ୍ତି । ଆୟୁଷ୍ମାନ୍ କାର୍ଡ ଥିବା ସତ୍ତ୍ୱେ କିଛି ଜାଗାରେ ରୋଗୀମାନେ ଅର୍ଥ ଅଭାବରୁ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗମାନ ଆସିଛି । ଏହି କାରଣରୁ ରୋଗୀଙ୍କର ମୃତ୍ୟୁ ଅଭିଯୋଗ ବି ଆସିଛି । ସ୍ୱାସ୍ଥ୍ୟସେବା ଭଳି ନିହାତି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏଭଳି ତ୍ରୁଟି ବିଚ୍ୟୁତି ଲୋକଙ୍କୁ ବିଏସକେୱାଇ ଯୁଗକୁ ମନେ ପକାଇବାକୁ ବାଧ୍ୟ କରୁଛି । ଏହାର ପ୍ରତିକାର ପାଇଁ ପ୍ରଶାସନରେ ସେଭଳି ତତ୍ପରତା ନାହିଁ ।
ମୋହନ ସରକାର ବିଭିନ୍ନ ଯୋଜନାର ଡିଣ୍ଡିମ୍ ପିଟି ନିଜର ମହିମା ପ୍ରଦର୍ଶନ କରୁଛନ୍ତି । ବିଜେଡି ସରକାରଙ୍କ ଦ୍ୱାରା ପ୍ରଚଳିତ ସବୁ ଯୋଜନାର ନାଁ ଓ ରଙ୍ଗ ବଦଳେଇଛନ୍ତି । ତେବେ ସୁଭଦ୍ରା ଯୋଜନା ଏବଂ ଚାଷୀଙ୍କ ଇନଫୁଟ ସହାୟତାକୁ ଛାଡ଼ିଦେଲେ ଅନ୍ୟ କୌଣସି ଯୋଜନା ଉପରେ ସାଧାରଣ ଜନତାଙ୍କ ଉପଲବ୍ଧି ନାହିଁ । ସେଥିଯୋଗୁଁ ନୂଆ ସରକାରକୁ ନେଇ କାହାରି ମନରେ ଉତ୍ସାହ ନାହିଁ ।
ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ପ୍ରତି ଲୋକଙ୍କର ଭଲ ପାଇବା ଆସିଛି । ତାଙ୍କର ସରଳତା ଏବେ ମେଳାପୀ ସ୍ୱଭାବ ଜନତାଙ୍କୁ ଆକର୍ଷିତ କରୁଛି । ମାତ୍ର ସରକାର ପରିଚାଳନାରେ ତାଙ୍କର ଦକ୍ଷତା ଉପରେ ଅନେକଙ୍କର ସନ୍ଦେହ ଆସିଛି । ବର୍ଷେ ବିତିଗଲା ପଛେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳ ସଂମ୍ପ୍ରସାରଣ କରିପାରିଲେ ନାହିଁ । ୬ ମନ୍ତ୍ରୀ ପଦ ଖାଲି ପଡ଼ିଛି । ବିଭିନ୍ନ ନିଗମ ଏବଂ ବୋର୍ଡରେ ନିଯୁକ୍ତି ହୋଇପାରିଲା ନାହିଁ । ମହିଳା କମିସନ, ଶିଶୁ ସୁରକ୍ଷା କମିସନ ବି ଗଠନ ହେଲା ନାହିଁ । ସରକାରୀ ଓକିଲ ନିଯୁକ୍ତି ହୋଇପାରୁନାହାନ୍ତି । କାରଣ ଯାହା ହେଉ ନା କାହିଁକି, ଏହା ତାଙ୍କର ଦୁର୍ବଳ ନେତୃତ୍ୱକୁ ପଦାରେ ପକାଇଛି ।
ମୋହନ ମାଝୀଙ୍କ ପାଇଁ ବଦନାମର କାରଣ ହୋଇଛନ୍ତି ଖୋଦ୍ କେତେକ ମନ୍ତ୍ରୀ । ନିର୍ଦ୍ଦିଷ୍ଟ ମନ୍ତ୍ରୀମାନଙ୍କ ବିରୋଧରେ ମାଳ ମାଳ ଦୁର୍ନୀତି ଅଭିଯୋଗ ଆସିଛି । ଯାହା ସରକାରଙ୍କ ପାଇଁ ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ । କିଛି ମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ ମଧ୍ୟ ମୋହନଙ୍କ ପାଇଁ ବିପଦ ସୃଷ୍ଟି କରିଛି । ପ୍ରଥମ ଥର ବିଧାୟକ, ମନ୍ତ୍ରୀ ହୋଇଥିଲେ ମଧ୍ୟ ଗର୍ବ ଅହଂକାରରେ ଫାଟି ପଡୁଛନ୍ତି । ନିଜର ବିଭାଗ ଉପରେ ଜ୍ଞାନ ଆହରଣ କରିବେ କ’ଣ ଅନ୍ୟ ବିଭାଗରେ ମୁଣ୍ଡ ପୂରଉଛନ୍ତି । କ୍ୟାମେରା ଦେଖିଲେ ମନଇଚ୍ଛା ମନ୍ତବ୍ୟ ଦେଉଛନ୍ତି । ବିଭାଗ ବିଭାଗ ଭିତରେ ସମନ୍ୱୟ ରହୁନାହିଁ । ଏଥିପାଇଁ ବେଳେ ବେଳେ ସରକାରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
ଶାସକ ଦଳର ଅନେକ ବିଧାୟକମାନଙ୍କ ବିରୋଧରେ ଜନଅସନ୍ତୋଷ ବ୍ୟାପକ ହେଲାଣି । ସେମାନେ ଦୁର୍ନୀତିର ବୁଡ଼ିଛନ୍ତି ବୋଲି ବିଭିନ୍ନ ଜାଗାରୁ ଅଭିଯୋଗ ଆସୁଛି । ଲୋକଙ୍କ ସହିତ ସେମାନେ ସମ୍ପର୍କ ରଖୁନାହାନ୍ତି । ବରଂ ମାଫିଆମାନଙ୍କ ସହ ମଧୁର ସମ୍ପର୍କ ଗଢ଼ିଛନ୍ତି । ବିନା ଅର୍ଥରେ ଲୋକଙ୍କ କାମ ହେଉନି । କିଛି ଜାଗାରେ ନିଜର ବିଧାୟକଙ୍କୁ ଭେଟିବା ସାଧାରଣ ଲୋକଙ୍କ ପାଇଁ ସ୍ୱପ୍ନ ହୋଇଯାଇଛି । ଶାସକ ଦଳର କର୍ମୀମାନେ ଏଥିନେଇ ବେଶୀ ନିରୁତ୍ସାହିତ ଅଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବଡ଼ବଡ଼ିଆ ଅଧିକାରୀଙ୍କ ମୋହ ଭଙ୍ଗ ଘଟଣା ମଧ୍ୟ ଆଲୋଚନାର ବିଷୟ ହୋଇଛି । ଅଫିସର ମହଲର ଚର୍ଚ୍ଚା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଭାରି ସନ୍ଦେହୀ । ଆଇଏଏସ୍ ବାବୁମାନଙ୍କୁ ସହଜରେ ବିଶ୍ୱାସ କରୁନାହାନ୍ତି । ବରିଷ୍ଠ ଅଫିସରମାନଙ୍କ ଅପେକ୍ଷା କନିଷ୍ଠ ଅଫିସରଙ୍କୁ ନେଇ କାମ କରିବାରେ ସେ ଅଧିକ ସହଜ ଅନୁଭବ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ବିଶ୍ୱାସଭାଜନ ହୋଇଥିବା ନିର୍ଦ୍ଦିଷ୍ଟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭୁଲ୍ ବାଟରେ ପରିଚାଳିତ କରୁଛନ୍ତି । ଏହି ଚର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରୁଛି ।
ମୁଖ୍ୟମନ୍ତ୍ରୀଙ୍କ ବିଳାସବ୍ୟସନକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଜୋର୍ ଆଲୋଚନା ହୋଇଥିଲା । ତାଙ୍କର ବ୍ୟୟବହୁଳ ହୋଟେଲ ରହଣୀ ଏବଂ ବିମାନ ଉଡ଼ାଣ ଖର୍ଚ୍ଚ ଉପରେ ମୁଖ୍ୟମନ୍ତ୍ରୀ କିନ୍ତୁ ଜବାବ ଦେଇ ନ ଥିଲେ ।
ଅନ୍ୟପକ୍ଷରେ ଶାସନ ବ୍ୟବସ୍ଥା ମଧ୍ୟ ଢ଼ିଲା ହୋଇଯାଇଛି । ରାଜ୍ୟରେ ଅପରାଧ ଘଟଣା ମାଡ଼ି ଚାଲିଛି । ପୁଲିସକୁ ଅପରାଧୀଙ୍କ ଡର ନାହିଁ । ବ୍ଲକ୍, ତହସିଲରେ ଦୁର୍ନୀତି ଉପରେ ରୋକ୍ ଲାଗିବା ବଦଳରେ ବଢ଼ି ଚାଲିଛି । ତାଙ୍କ ଭାଷଣ ବେଳେ ବିଡିଓମାନେ ଟିଭି ବନ୍ଦ କରିଦେଉଛନ୍ତି ବୋଲି ନିଜେ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି । ତାଙ୍କର ସରଳତାକୁ ଦୁର୍ବଳତା ଭାବିବା ଉଚିତ ନୁହେଁ ବୋଲି ସେ ତାଗିଦ୍ କରିଥିଲେ ମଧ୍ୟ ଅସାଧୁ ଅଫିସରମାନଙ୍କ ଦୌରାତ୍ମ୍ୟ କମୁନାହିଁ । ଦୁର୍ନୀତି ଯେମିତି ଥିଲା, ସେମିତି ଚାଲିଛି । ବ୍ୟବସ୍ଥା ବଦଳି ନାହିଁ । ଏହା ଲୋକଙ୍କ ମନରେ ନୈରାଶ୍ୟ ଭାବ ଆଣିଛି ।
ରାଜ୍ୟର ଅର୍ଥନୀତିକୁ ମଧ୍ୟ ସଜାଡ଼ି ପାରିନାହାନ୍ତି ମୋହନ ସରକାର । ଗତବର୍ଷ ଜୁନ୍ ରୁ ଚଳିତ ବର୍ଷ ଫେବ୍ରୁଆରୀ ମଧ୍ୟରେ ରାଜ୍ୟ ସରକାର ୨୧, ୧୭୭ କୋଟି ଟଙ୍କା ଋଣ କରିଛନ୍ତି । ଯୋଜନା ବ୍ୟୟ ବଢ଼ି ଚାଲିଥିଲେ ମଧ୍ୟ କେନ୍ଦ୍ରୀୟ ଅନୁଦାନ ହ୍ରାସ୍ ପାଇବା ଚିନ୍ତାର ବିଷୟ ହୋଇଛି । ପୂର୍ବବର୍ଷ ତୁଳନାରେ ଏଥର କେନ୍ଦ୍ରୀୟ ଅନୁଦାନ ୧୮.୧୯ ପ୍ରତିଶତ ହ୍ରାସ୍ ପାଇଛି । ଆର୍ଥିକ ପରିଚାଳନା ଏବଂ ଯୋଜନା ଅର୍ଥର ସୁବିନିଯୋଗରେ ପଛରେ ପଡ଼ିଯାଇଛନ୍ତି ମୋହନ ସରକାର ।
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଏବଂ ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ ପାଇଁ ସରକାରଙ୍କ ଉଦ୍ୟମ ପ୍ରଂଶସନୀୟ । ମାତ୍ର ଘରୋଇ ଉଦ୍ୟୋଗୀଙ୍କ କ୍ଷେତ୍ରରେ ସରକାରଙ୍କ ସାବତ ମା ମନୋଭାବ ନୈରାଶ୍ୟ ଖେଳାଇଛି । ମୋହନ ସରକାରଙ୍କ ଆଭିମୁଖ୍ୟରେ କିଛି ପରିବର୍ତ୍ତନ ଆସିନାହିଁ । ସରକାରୀ ବ୍ୟବସ୍ଥାରେ ଯେଉଁ ପ୍ରତିବନ୍ଧକ ଥିଲା, ତାହା ସେମିତି ଅଛି । ଏଥିଯୋଗୁଁ ଘରୋଇ ଉଦ୍ୟୋଗୀଙ୍କ ମନ ମରିଯାଇଛି ।
ଏକଥା ସତ ଯେ କ୍ରମାଗତ ୨୪ ବର୍ଷର ବିଜେଡି ଶାସନରୁ ଓଡ଼ିଶାବାସୀ ମୁକ୍ତି ଚାହୁଁଥିଲେ । ବିଭିନ୍ନ କାରଣରୁ ସରକାରଙ୍କ ଉପରେ ଲୋକ ବୀତସ୍ଫୃହା ଥିଲେ । ଯାହାର ଫାଇଦା ବିଜେପି ପାଇଲା । ସରକାର ବଦଳିଲା ଏବଂ ରାତାରାତି ନବୀନ ପଟ୍ଟନାୟକଙ୍କ ବିକଳ୍ପ ହେଲେ ମୋହନ ମାଝୀ । କେନ୍ଦ୍ରରେ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟରେ ମୋହନ ମାଝୀଙ୍କ ଡବଲ ଇଞ୍ଜିନ ସରକାର ଓଡ଼ିଶା ପାଇଁ ସୁବର୍ଣ୍ଣର ଯୁଗ ଆଣିଲା ବୋଲି ଲୋକଙ୍କର ଦୃଢ଼ ବିଶ୍ୱାସ ଆସିଲା ।
ଏହି ଚାଲେଂଜକୁ ଗ୍ରହଣ କରି ମୋହନ ମାଝୀ ଆଗକୁ ବଢ଼ିଛନ୍ତି । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ଉପସ୍ଥାପିତ କରିଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ସରକାରୀ ବ୍ୟବସ୍ଥାର ପ୍ରଚଳିତ ଧାରାରୁ ବାହାରି ପାରିନାହାନ୍ତି । ଯେଉଁ ଭୁଲ୍ ପାଇଁ ବିଜେଡି ସରକାର ନିନ୍ଦିତ ହେଲା, ସେହି ଭୁଲ୍ କୁ ସେ ଆପଣାଇ ନିଜକୁ ଏବଂ ସରକାରକୁ ପ୍ରଚାରଧର୍ମୀ କରିଦେଇଛନ୍ତି । ଆଜି ବର୍ଷକର ହିସାବ କଲା ବେଳେ ମୋହନ ମାଝୀଙ୍କ ସରକାରକୁ ପ୍ରଚାରତନ୍ତ୍ର ସରକାରର ଆଖ୍ୟା ମିଳୁଛି ।
ପ୍ରତିଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ଗଣମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ବର୍ଷା ଚାଲିଛି । ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ୍, ଉଦଘାଟନ ଚାଲିଛି । ବିରାଟ ବିରାଟ ଯୋଜନା ପ୍ରସ୍ତୁତ ହେଉଛି । ମୁଖ୍ୟମନ୍ତ୍ରୀ ସଭାସମିତିରେ ଘଣ୍ଟା ଘଣ୍ଟା ଧରି ଭାଷଣ ଦେଉଛନ୍ତି । ମାତ୍ର ତୃଣମୂଳସ୍ତରରେ ଲୋକଙ୍କର ସେଭଳି କିଛି ଅନୁଭବ ନାହିଁ । ଉନ୍ନୟନ କାମ ଠପ୍ ହୋଇଯାଇଛି । କେଉଁଠି କିଛି କାମ ହେଉନାହିଁ ବୋଲି ସାଧାରଣ ଜନତାଙ୍କ ଅଭିଯୋଗ । ଏଠି ଗୋଟେ ସରକାର ଯେ ଚାଲୁଛି, ସେଭଳି ଅନୁଭବ ହେଉନି ବୋଲି ସୋସିଆଲ୍ ମିଡିଆରେ କମେଣ୍ଟ ଫୁଲ୍ ।







