ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ବିଜେଡିରୁ ବହିଷ୍କୃତ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଜଣ ଯାକ ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ପାଇଁ ସେମାନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଗଣମାଧ୍ୟମକୁ ନବୀନ ନିବାସ ଡକାଇ ନିଜେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟାନୁଷ୍ଠାନ ଘୋଷଣା ପରେ ତାଙ୍କ ଦସ୍ତଖତରେ ଏକ ପ୍ରେସ୍ ରିଲିଜ ଜାରି କରାଯାଇଛି । ଏଥିରେ ସୌମ୍ୟ ପଟ୍ଟନାୟକ ଏବଂ ସୁଧାଂଶୁ ପରିଡ଼ାଙ୍କ ଜନବିରୋଧୀ କାର୍ଯ୍ୟ କ’ଣ ତାହା ଉଲ୍ଲେଖ ରହିଛି ।
ସୌମ୍ୟ ପଟ୍ଟନାୟକଙ୍କ ‘ସମ୍ବାଦ’ର ପୂର୍ବତନ କର୍ମଚାରୀ ଇଓଡବ୍ଲୁରେ ଅତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେଠାରେ କର୍ମଚାରୀଙ୍କ ନାଁରେ ବ୍ୟାଙ୍କରୁ ଜାଲିଆତି କରି କୋଟି କୋଟି ଟଙ୍କାର ଲୋନ୍ ଉଠାଯାଇଛି । ସମ୍ବାଦର ଅନେକ ପୂର୍ବତନ କର୍ମଚାରୀ ମଧ୍ୟ ସମାନ ଅଭିଯୋଗ ଆଣିଲେଣି । ଜଣେ ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ସୌମ୍ୟଙ୍କ ବିରୋଧରେ ଆଇପିସିର ଧାରା ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦(ବି)ରେ ମାମଲା ରୁଜୁ ହୋଇଛି । ସଂଗଠିତ ବ୍ୟାଙ୍କ ଫ୍ରଡ୍ ର ଏହା ଏକ ସାଂଘାତିକ ମାମଲା ଏବଂ ୩୦୦ ରୁ ଅଧିକ କର୍ମଚାରୀ ଶୋଷଣର ଶିକାର ହୋଇଛନ୍ତି । ଏହା କେବଳ ସଙ୍ଗୀନ ଅପରାଧ ନୁହଁ, ଏହା ଏକ ଜନବିରୋଧୀ କାର୍ଯ୍ୟ ।
ସେହିଭଳି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ବାଲେଶ୍ୱରର ନିଗମାନନ୍ଦ ଆସୋସିଏଟସ୍ ମ୍ୟାନେଜିଂ ପାର୍ଟନର୍ ଥିଲା ବେଳେ ଅନ୍ୟମାନଙ୍କ ସହ ମିଶି ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ୩ କୋଟିରୁ ଅଧିକ ସବସିଡି ଟଙ୍କା ହଡ଼ପ କରିଥିଲେ । ଲୋକାୟୁକ୍ତଙ୍କ ଆଦେଶକ୍ରମେ ରାଜ୍ୟ ଭିଜିଲାନସ୍ ଏହି ମାମଲାର ତଦନ୍ତ କରୁଛି । ଏହା ସମ୍ପୂର୍ଣ୍ଣ ଭାବେ ଏକ ଜନବିରୋଧୀ କାର୍ଯ୍ୟ ।








