ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ‘ଭୋଟ ଚୋରି’ ଅଭିଯୋଗକୁ ନେଇ ସାରା ଦେଶ ଉଠୁଛି ପଡୁଛି । ନିର୍ବାଚନ କମିସନ୍ ଜାଲିଆତି ଦ୍ୱାରା ବିଜେପିର ଲକ୍ଷ୍ୟ ପୂରଣ ପାଇଁ କାମ କରୁଛନ୍ତି ବୋଲି ଦେଶବାସୀଙ୍କୁ ସେ ଜଣାଇଛନ୍ତି । ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଭାବେ ଗତକାଲି ବିରୋଧୀ ଇଣ୍ଡିମେଣ୍ଟର ପ୍ରାୟ ୩୦୦ ଏମପି ସଂସଦ ଭବନ ନିକଟରୁ ନିର୍ବାଚନ ସଦନ ଅଭିମୁଖେ ପଦଯାତ୍ରାରେ ଯାଇଥିଲେ । ମାତ୍ର ‘ସମଦୂରତ୍ୱ’ ଦାବିଦାର ବିଜେଡି ରାଜ୍ୟସଭା ସାଂସଦମାନେ ଏଥିରେ ସାମିଲ ହୋଇ ନ ଥିଲେ । ନବୀନ ନିବାସରୁ ସେମାନଙ୍କୁ ‘ବିବେକାନୁମୋଦିତ’ ଟୁଇଟ୍ ଆସି ନ ଥିଲା । ଦଳର ସ୍ଥିତି ଜାହିର କରିବା ପାଇଁ ଭୁବନେଶ୍ୱର ଶଙ୍ଖଭବନରୁ ନିର୍ବାଚନରେ ଭୋଟ ତାରତମ୍ୟ ଏବଂ ନିର୍ବାଚନ କମିସନଙ୍କ ପକ୍ଷପାତିତା ସମ୍ପର୍କରେ ଖାଲି ଯାହା ଭାଷଣ ମାରିଥିଲେ ବିଜେଡି ମୁଖପାତ୍ର ।
‘ଭୋଟ ଚୋରି’ ପ୍ରସଙ୍ଗରେ ବିଜେଡି ବାହାନାବାଜିରେ ଖସି ଯାଇପାରେ । ମାତ୍ର ଦଳ ପାଇଁ ଶେଷ ଅଗ୍ନିପରୀକ୍ଷାର ବେଳ ଆସିଯାଇଛି । ତାହା ହେଉଛି ଉପରାଷ୍ଟ୍ରପତି ନିର୍ବାଚନ । କାରଣ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କଲେ ଯାଇ ବିଜେଡି ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ । ଯଦି ତାହା ନ ହୁଏ ତେବେ ବିଜେଡି ଉପରେ ଓଡ଼ିଶାବାସୀଙ୍କର କାଣିଚାଏ ବିଶ୍ୱାସ ରହିବନି । ବିଜେପି-ବିଜେଡି ଗୋଟେ ବୋଲି ଲୋକଙ୍କର ଧାରଣା ପୂରାପୂରି ସତ୍ୟ ପ୍ରମାଣିତ ହେବ । ଲୋକଙ୍କ ଦୃଷ୍ଟିରେ ବିଜେଡି ବିରୋଧୀ ଦଳର ମାନ୍ୟତା ହରାଇ ବସିବ । ବିଜେପି ଶରଣରେ ଅବଶିଷ୍ଟ ସାଢ଼େ ତିନିବର୍ଷ କାଟିବ ।
ବିଜେଡି ପାଇଁ ପ୍ରଥମ ଅଗ୍ନିପରୀକ୍ଷା ଥିଲା ‘ୱକଫ୍ ବିଲ୍’ । ମାତ୍ର ଦଳର ଇଜ୍ଜତ ସେଥିରେ ଜଳିପୋଡ଼ି ଛାରଖାର ହୋଇଯାଇଛି । ବିଲ୍ କୁ ବିରୋଧ କରାଯିବ ବୋଲି ମୁଖିଆ ନବୀନ ପଟ୍ଟନାୟକ ପୂର୍ବରୁ ବାରମ୍ବାର ଘୋଷଣା କରିଥିଲେ ମଧ୍ୟ ରାଜ୍ୟସଭାରେ ଭୋଟଦାନ ବେଳକୁ ଦଳର ମତ ବଦଳିଯାଇଥିଲା । ବିବେକାନୁମୋଦିତ ଭୋଟ ଆଳରେ ୱକଫ୍ ବିଲ୍ କୁ ସମର୍ଥନ ଜଣାଇ ଏନଡିଏ ସପକ୍ଷରେ ଛିଡ଼ା ହେବାକୁ ନବୀନ ନିବାସରୁ କାହାର ନିଦେ୍ର୍ଦଶ ଗଲା ସମସ୍ତେ ଜାଣନ୍ତି ।
ତେବେ ମୁନ୍ନା ଖାଁ ପୂର୍ବ ନିଷ୍ପତ୍ତିରେ ଅଟଳ ରହି ବିଲ୍ କୁ ବିରୋଧ କଲେ ଏବଂ ଦେବାଶିଷ ସାମନ୍ତରାୟ ଦଳର ପରିବର୍ତ୍ତିତ ନିଷ୍ପତ୍ତିକୁ ବିରୋଧ କରି ଭୋଟଦାନରୁ ନିବୃତ ରହିଲେ । ବାକି ୫ ଜଣ ଯାକ ସାଂସଦ ହାଁ ଜୀ କହି ଡେଇଁ ପଡ଼ିଲେ । ଓଡ଼ିଶାବାସୀଙ୍କୁ ଭକୁଆ ବନେଇ ସାର୍ ଙ୍କ ନିଦେ୍ର୍ଦଶକୁ ଅକ୍ଷରେ ଅକ୍ଷରେ ପାଳନ କଲେ ।
ନିର୍ବାଚନ ପରାଜୟ ପରେ ଏହି ୱକଫ୍ ବିଲ୍ ଥିଲା ବିଜେଡି ପାଇଁ ଦ୍ୱିତୀୟ ବଡ଼ ବିପର୍ଯ୍ୟୟ । ଏହାକୁ ନେଇ ଦଳରେ ବ୍ୟାପକ ଅସନ୍ତୋଷ ଖେଦିଗଲା । ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗିଗଲା । ଦଳକୁ ସଂଗଠିତ କରି ବିଜେପି ବିରୋଧରେ ଲଢ଼େଇ କରିବାର ନୈତିକ ସାହାସ ସେମାନେ ହରାଇଦେଲେ । ବିଜେଡିର ଏହି କ୍ଷତି ଭରଣା ହୋଇନି । ନେତାମାନେ ସମୟକୁ ଚାହିଁ ବସିଲେ ।
ନିକଟରେ ସଂସଦରେ ଅନୁଷ୍ଠିତ ଅପରେସନ୍ ସିନ୍ଦୂର ବିତର୍କ ବେଳେ ବିଜେଡିର ବିଜେପି ପ୍ରୀତି ପୁଣି ଧରାପଡ଼ିଯାଇଛି । ପହଲଗାମରେ ଆତଙ୍କବାଦୀ ହତ୍ୟାର ଶିକାର ୨୮ ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବାକୁ ଉଚିତ୍ ମନେ କଲେନି ବିଜେଡି ଛାୟା ନେତୃତ୍ୱ । କାରଣ ଥିଲା ଏନଡିଏ ସରକାରଙ୍କୁ ଏହା ବାଧିଯିବ । ଏନଡିଏ ସରକାରଙ୍କୁ ବାଧିଲା ଭଳି କୌଣସି କଥା ନ କହିବାକୁ ସାଂସଦ ମାନଙ୍କୁ ନବୀନ ନିବାସରୁ ନିଦେ୍ର୍ଦଶ ଆସିଥିଲା ବୋଲି ଧରା ପକେଇଛନ୍ତି ଦେବାଶିଷ ସାମନ୍ତରାୟ । ଏକ ୟୁଟ୍ୟୁବ୍ ଚାନେଲକୁ ସାକ୍ଷାତାକାର ଦେଇ ସେ ଏହି ସତ୍ୟ ପଦାକୁ ଆଣିଛନ୍ତି । ଏହି କାରଣରୁ ଅପରେସନ୍ ସିନ୍ଦୂର ବିତର୍କରେ ସେ ଭାଗ ନେଲେ ନାହିଁ ବୋଲି ରୋକଠୋକ କହିଛନ୍ତି ।
ବିଜେଡି ଛାୟା ନେତୃତ୍ୱଙ୍କ ଏହି ଭାଣ୍ଡାମୀ ଦଳର ବରିଷ୍ଠ ନେତାମାନଙ୍କୁ ବିଚଳିତ କରିଥିଲା ବେଳେ କର୍ମୀମାନେ ନିରାଶ ହୋଇପଡ଼ିଛନ୍ତି । ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ଭୂମିକା କ’ଣ ହେବ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଏହା ବିଜେଡି ପାଇଁ ଶେଷ ଅଗ୍ନି ପରୀକ୍ଷା ହେବ ବୋଲି କୁହାଯାଉଛି ।
ଇତିମଧ୍ୟରେ ଦଳର ବରିଷ୍ଠ ନେତା ମହେଶ ସାହୁ ଗଣମାଧ୍ୟମକୁ କହିଥିଲେ ଯେ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବ ନାହିଁ । ନବୀନ ନିବାସରୁ ବିଧିବଦ୍ଧ ଘୋଷଣା ହୋଇ ନ ଥିବାରୁ ଏହା ତାଙ୍କର ନିଜସ୍ୱ ମତ ଥିଲା । ତେବେ ଗଣମାଧ୍ୟମରେ ଏହି ପ୍ରତିକ୍ରିୟା ଆସିବା ପରେ ଶ୍ରୀ ସାହୁଙ୍କୁ ନବୀନ ନିବାସରୁ କଡ଼ା ତାଗିଦ୍ କରାଯାଇଥିଲା । ଏ ପ୍ରସଙ୍ଗରେ କୌଣସି ବି ନେତା ନିଜସ୍ୱ ମନ୍ତବ୍ୟ ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ତିନି ଦିନ ତଳେ ଦିଲ୍ଲୀରୁ ନବୀନ ନିବାସକୁ ଫୋନ୍ ଆସିସାରିଛି । ନବୀନ ପଟ୍ଟନାୟକଙ୍କ ଟୁଇଟ୍(ଏକ୍ସ) ହାଣ୍ଡଲରୁ ଘୋଷଣା କେବଳ ବାକି ଅଛି । ଏହା କେତେ ସତ୍ୟ ତାହା ଜଣାପଡ଼ି ନ ଥିଲେ ମଧ୍ୟ ବିଜେଡି ମହଲରେ ଏହା ଚିନ୍ତାର ବିଷୟ ହୋଇଛି । ଦଳର ବରିଷ୍ଠ ନେତାମାନଙ୍କ ମୁହଁ ଶୁଖିଯାଇଛି । ଏହା ହେଲେ ଲୋକଙ୍କ ଆଗରେ ଆଉ ମୁହଁ ଦେଖାଇ ପାରିବେନି ବୋଲି କହିଛନ୍ତି । ନବୀନ ପଟ୍ଟନାୟକଙ୍କ ନିଷ୍କ୍ରିୟତା ସେମାନଙ୍କୁ ଅଧିକ ବିଚଳିତ କରିଛି ।
ଉପରାଷ୍ଟ୍ରପତି ନିର୍ବାଚନ ବିଜେଡି ପାଇଁ ଶେଷ ଅଗ୍ନିପରୀକ୍ଷା ହେବ ବୋଲି ଦଳର ସବୁ ମହଲରେ କେବଳ ଆଲୋଚନା ହେଉନି, ବର୍ଷ ବର୍ଷ ଧରି ଅସନ୍ତୁଷ୍ଟ ରହିଥିବା ବରିଷ୍ଠ ନେତାମାନେ ନିଜ ଭବିଷ୍ୟତ ଖୋଜିବା ଆରମ୍ଭ କରିଦେଇଛନ୍ତି । ସେମାନଙ୍କ ସହିତ ଥିବା କର୍ମୀମାନେ ମଧ୍ୟ ଯେଝା ରାସ୍ତା ଖୋଜିଲେଣି । କାରଣ ବିଜେଡିରେ ପାଣ୍ଡିଆନଙ୍କ ନେତୃତ୍ୱ ତ ଦୂର କଥା, ନେପଥ୍ୟରେ ତାଙ୍କର ଉପସ୍ଥିତିକୁ ମଧ୍ୟ ୯୮ ପ୍ରତିଶତ ନେତା କି କର୍ମୀ ଗ୍ରହଣ କରିବାକୁ ରାଜି ନୁହଁନ୍ତି ।
ଦଳରେ ଅଲୋଡ଼ା ହୋଇ ରହିଥିବା ଜଣେ ବରିଷ୍ଠ ନେତାଙ୍କ କ୍ଷୋଭ ହେଉଛି ଯେ ନବୀନ ବାବୁଙ୍କର ଦଳ ପ୍ରତି ଆଉ ଆଗ୍ରହ ହିଁ ନାହିଁ । କୌଣସି ନେତାଙ୍କୁ ଦେଖା ମଧ୍ୟ କରୁନାହାନ୍ତି । ସେ ଯେତେ ଲୁଚାଇଲେ ମଧ୍ୟ ତାଙ୍କ ଆଶୀର୍ବାଦରେ ପାଣ୍ଡିଆନ୍ ବିଜେଡିର ସର୍ବେସର୍ବା ହୋଇସାରିଛନ୍ତି । ଗତ ନିର୍ବାଚନରେ ପାଣ୍ଡିଆନଙ୍କୁ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିସାରିଥିଲେ ମଧ୍ୟ ନବୀନ ବାବୁ ତାଙ୍କୁ ଛାଡ଼ି ପାରିନାହାନ୍ତି କି ଛାଡ଼ି ପାରିବେନି । ସୁତରାଂ ସେଇ ପାଣ୍ଡିଆନଙ୍କ ପାଇଁ ନବୀନ ବାବୁ ବିଜେଡିକୁ ବଳି ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି । ତେଣୁ ବିଜେଡିର ଭବିଷ୍ୟତ ନେଇ ନବୀନଙ୍କର ଆଦୌ ଚିନ୍ତା ନାହିଁ ।
ରାଜନୈତିକ ସମୀକ୍ଷକଙ୍କ ମତରେ, ବର୍ତ୍ତମାନ ଅବସ୍ଥାରେ ବିଜେଡି ପ୍ରତି ନବୀନ ବାବୁଙ୍କ ଅନାସକ୍ତ ଭାବ ବର୍ଷ ବର୍ଷ ଧରି ଝାଳ ଗଡ଼ାଇ ଆସୁଥିବା ଅନେକ ନେତା ଓ କର୍ମୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ନେଉଛି । ଦୀର୍ଘ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରି ସଂଗଠନକୁ ଶକ୍ତିଶାଳୀ କରିଥିବା ଅନେକ ନେତା ୱାର୍ଡ ମେମ୍ବରଟେ ମଧ୍ୟ ହେବାର ସୁଯୋଗ ପାଇନାହାନ୍ତି । ସରକାରୀ ବ୍ୟବସ୍ଥାରୁ ଟଙ୍କାକର ଉପକୃତ ହୋଇନାହାନ୍ତି । ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବାରୁ ବିନା ସ୍ୱାର୍ଥରେ ଦଳରେ ପଡ଼ିକି ଅଛନ୍ତି । କାରଣ ସେମାନଙ୍କ ପାଇଁ ବଡ଼ ନିଜର ସ୍ୱାଭିମାନ, ଆତ୍ମସମ୍ମାନ । ମାତ୍ର ନବୀନ ବାବୁ ଓ ତାଙ୍କ ନିୟନ୍ତ୍ରକ, ହାତଗଣତି ବୋଲକରା ନେତାଙ୍କୁ ସବୁ କିଛି ଦେଇଥିଲା ବେଳେ ସ୍ୱାଭିମାନୀ ନେତା ଓ କର୍ମୀଙ୍କୁ ଚାହିଁ ନାହାନ୍ତି । ତାଙ୍କୁ ଭଲ ପାଉଥିବା ଓଡ଼ିଶାବାସୀଙ୍କୁ ସେ ଧୋକ୍କା ଦେଇଛନ୍ତି । ଯାହା କ୍ଷମଣୀୟ ନୁହେଁ ।