ମୁମ୍ବାଇ/ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ସର୍ଭାଇକାଲ୍ ଆଥ୍ରାଇଟିସ୍ ଅପରେସନ୍ ସଫଳ ହୋଇଛି । ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ଅପରେସନ୍ ଦୁଇଘଣ୍ଟା ଧରି ଚାଲିଥିଲା । ସ୍ପାଇନ୍ ସ୍ପେସିଆଲିଷ୍ଟ ଡାକ୍ତର ରାଜଶେଖର ଅପରେସନ୍ କରିଥିଲେ । ତାଙ୍କୁ ସହାୟତା କରିଥିଲେ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ବିଶେଷଜ୍ଞମାନେ । ହସ୍ପିଟାଲ୍ ର ୧୬ତମ ମହଲାରେ ଏହି ଅପରେସନ୍ ବେଳେ ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ ଏବଂ ଭାଉଜ ଉପସ୍ଥିତ ଥିଲେ ।
ଡାକ୍ତର ପଣ୍ଡାଙ୍କ ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଆଶୀର୍ବାଦରୁ ଅପରେସନ ସଫଳ ହୋଇଛି । ସେ ସୁସ୍ଥ ଅଛନ୍ତି ଏବଂ ଭଲ ଭାବେ କଥା ହୋଇପାରୁଛନ୍ତି । ଦୁଇରୁ ୩ ଦିନ ଅବଜରଭେସନ୍ ରେ ରହିବେ ଏବଂ ୫ ରୁ ୭ ଦିନ ଭିତରେ ଡିସଚାର୍ଜ ହେବେ ।
ନବୀନଙ୍କ ଅପରେସନ୍ ର ଦାୟିତ୍ୱ ନେଇଥିବା ତାଙ୍କର ରାଜନୈତିକ ସଚିବ ଡ. ସଂତୃପ୍ତ ମିଶ୍ର କହିଛନ୍ତି, ନବୀନଙ୍କୁ ଭେଟିବାକୁ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫୋନ୍ ଆସୁଛି । ମାତ୍ର ସଂକ୍ରମଣର ଭୟ ଥିବାରୁ ସମସ୍ତଙ୍କୁ ଅପେକ୍ଷା କରିବାକୁ କୁହାଯାଇଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ୪୮ ଘଣ୍ଟା ପରେ ଯାଇ ଭେଟିବାକୁ ଅନୁମତି ମିଳିବ । ତାଙ୍କର କୌଣସି ଅସୁବିଧା ନାହିଁ ଏବଂ ସେ ସୁସ୍ଥ ଅଛନ୍ତି ବୋଲି ଡ. ମିଶ୍ର କହିଛନ୍ତି ।
ଏପଟେ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ରାଜ୍ୟବ୍ୟାପୀ ବିଜେଡି କର୍ମୀମାନେ ବିଭିନ୍ନ ମନ୍ଦିରରେ ଦୀପ ଜାଳିଛନ୍ତି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ଅଶୋକ ପଣ୍ଡାଙ୍କ ନେତୃତ୍ୱରେ ଦୀପ ଜାଳି ପୂଜାର୍ଚ୍ଚନା କରାଯାଇଥିଲା ।