ଭୁବନେଶ୍ୱର: ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓପନିଂ ବେଲ୍ ବଜାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ଦିନିଆ ମୁମ୍ବାଇ ଗସ୍ତକାଳରେ ଆସନ୍ତା ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମ ରହିଛି । ଦଲାଲ ଷ୍ଟ୍ରିଟ୍ ରେ ଥିବା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଚକୁ ନବୀନଙ୍କର ଏହା ହେବ ପ୍ରଥମ ଗସ୍ତ । ସକାଳ ୯ ଟାରୁ ୯.୩୦ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଓପନିଂ ବେଲ୍ ରିଙ୍ଗ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବେଲ୍ ବଜାଇବେ ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କର ମୁମ୍ବାଇ ଗସ୍ତ ଆରମ୍ଭ ହେବ । ୧୪ ତାରିଖରେ ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଆୟୋଜିତ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଦେଶର ବିଶିଷ୍ଟ ଶିଳ୍ପପତିମାନଙ୍କୁ ସେଠାକୁ ଆମନ୍ତ୍ରିତ କରାଯାଇଛି । ଏହାପରେ ସେଠାରେ ରୋଡ୍ ସୋ’ କାର୍ଯ୍ୟକ୍ରମ ହେବ । ଶିଳ୍ପପତିମାନଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ୍ ଟୁ ୱାନ୍ ଆଲୋଚନା କରି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଅନୁରୋଧ କରିବେ ।
ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଆଜି ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୩୦ ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରରେ ମେକ୍ ଇନ ଓଡ଼ିଶା କନକ୍ଲେଭ୍ ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ । ଆମ ଦେଶର ବଡ଼ ବଡ଼ ଉଦ୍ୟୋଗୀଙ୍କ ସମେତ ଦେଶ ବିଦେଶର ବହୁ ନାମୀଦାମୀ ସଂସ୍ଥା ଏଥିରେ ଯୋଗଦେବେ । ଏହାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି । ଓଡ଼ିଶାରେ ଶିଳ୍ପ ଅନୁକୂଳ ବାତାବରଣ ଏବଂ ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥା ସମ୍ପର୍କରେ ନିବେଶକଙ୍କୁ ବୁଝାଉଛନ୍ତି । ଦୁବାଇ ଓ ଦିଲ୍ଲୀରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ପରେ ମୁମ୍ବାଇରେ ଏହା ଆୟୋଜିତ ହୋଇଛି ।
ସେପ୍ଟେମ୍ବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।