-ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିଲେ କଂଗ୍ରେସ ବିଧାୟକ ଦଳ
-ବାଚସ୍ପତିଙ୍କ ଏକପାଖିଆ ନିଷ୍ପତ୍ତି କୁ ବିଜେଡିର ବିରୋଧ
ଭୁବନେଶ୍ୱର: ବିଧାନସଭାରେ ଆଜି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ରାଜ୍ୟରେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ବିଧାନସଭାର ପ୍ରଶ୍ନୋତ୍ତର କାଳକୁ ବନ୍ଦ କରିବାକୁ ଉଦ୍ୟମ କରୁଥିବା କଂଗ୍ରେସ ବିଧାୟକଙ୍କ ସହ ଶାସକ ବିଜେପି ବିଧାୟକମାନଙ୍କର ମୁହାଁମୁହିଁ ହୋଇଥିଲା । କଂଗ୍ରେସର ପ୍ରତିବାଦକୁ ସହ୍ୟ କରିପାରି ନ ଥିଲେ ଶାସକ ଦଳ । ଉତକ୍ଷିପ୍ତ ହୋଇଉଠିଥିଲେ । ଶାସକ ଦଳର ବରିଷ୍ଠ ସଦସ୍ୟ ଜୟନାରାୟଣ ମିଶ୍ର ବିରୋଧୀ ଦଳର ବରିଷ୍ଠ ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କ ସାର୍ଟ କଲର୍ ଧରି ପକାଇଥିଲେ । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ଓ ଠେଲାପେଲା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି । ତେବେ ବାଚସ୍ପତିଙ୍କର ଏହି ନିଷ୍ପତ୍ତିକୁ ଏକପାଖିଆ କହି ବିରୋଧ କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେଡି । ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।
ରାଜ୍ୟରେ ମହିଳା ନିର୍ଯ୍ୟାତନା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ଧରି କଂଗ୍ରେସ ବିଧାୟକ ମାନେ ଗତକାଲି ଭଳି ଆଜି ମଧ୍ୟ ବିଧାନସଭା ଆରମ୍ଭରୁ ହଟ୍ଟଗୋଳ କରିଥିଲେ । ସେହିଭଳି ଜୟନାରାୟଣ ମିଶ୍ରଙ୍କ ଓଡ଼ିଶା ବିଦ୍ୱେଷୀ ମନ୍ତବ୍ୟର ପ୍ରତିବାଦରେ ବିଜେଡି ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟ ବନ୍ଦ କରି ନାରୀ ନିର୍ଯ୍ୟାତନା ଉପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ । ତେବେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କିନ୍ତୁ ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ନାରାବାଜି ଆରମ୍ଭ କରିଦେଇଥିଲେ । ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ି ତାଙ୍କ ମାଇକ୍ ବନ୍ଦ କରିଦେବାକୁ ଉଦ୍ୟମ କରିଥିଲେ । ମାତ୍ର ବାଚସ୍ପତି ତାଙ୍କୁ ଶୁଣି ନ ଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟ ଜାରି ରଖିଥିଲେ ।
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ତାଙ୍କ ଆସନରେ ଛିଡ଼ା ହୋଇ ଏକ ପ୍ରଶ୍ନର ଉତ୍ତର ଦେବାକୁ ଆରମ୍ଭ କରୁଥିଲା ବେଳେ ତାରା ବାହିନୀପତି ମନ୍ତ୍ରୀଙ୍କ ଆସନ ପାଖକୁ ମାଡ଼ି ଆସିଥିଲେ । ଉତ୍ତର ବନ୍ଦ କରିବାକୁ ଯୋଡ଼ହସ୍ତରେ ନିବେଦନ କରିଥିଲେ । ମାତ୍ର ମନ୍ତ୍ରୀ ଉତ୍ତର ପଢ଼ିବା ଜାରି ରଖିବାରୁ ତାରା ତାଙ୍କ ମାଇକ୍ ମୋଡ଼ି ଦେଇଥିଲେ ଏବଂ ହାତରେ ଧରିଥିବା କାଗଜପତ୍ର ଛଡ଼ାଇ ଆଣିବାକୁ ଉଦ୍ୟମ କରିଥିଲେ ।
ତାରାଙ୍କ ଆଚରଣ ବିଜେପିର ବିଧାୟକମାନଙ୍କୁ ଅସହ୍ୟ ହୋଇଥିଲା । ସେମାନେ ନିଜ ନିଜ ଆସନରୁ ଉଠି ଆସିଥିଲେ ଏବଂ ତାରାଙ୍କୁ ଅଟକାଇବାକୁ ବଳ ଲଗାଇଥିଲେ । ଗୃହର କାର୍ଯ୍ୟ ଅଲବତ ଚାଲିବ ଏବଂ ମନ୍ତ୍ରୀ ତାଙ୍କର ଉତ୍ତର ରଖିବେ ବୋଲି ସେମାନେ ଜିଦ୍ ଧରି କରିଥିଲେ । ବିଜେପି ବିଧାୟକଙ୍କ ଆଚରଣକୁ ବିରୋଧ କରି କଂଗ୍ରେସ ବିଧାୟକମାନେ ଆଗେଇ ଆସିଥିଲେ । ପ୍ରବଳ ନାରାବାଜି, ହଟ୍ଟଗୋଳ ହୋଇଥିଲା । ଏହି ସମୟରେ ଜୟନାରାୟଣ ମିଶ୍ର ଫଁ ଫଁ ହୋଇ ଭିତରୁ ବାହାରିଥିଲେ ଏବଂ ସିଧା ଆସି ତାରାଙ୍କ ସାର୍ଟ କଲର୍ ଧରିଥିଲେ । ଯାହା ପରିସ୍ଥିତିକୁ ଅସମ୍ଭାଳ କରିଦେଲା । ଗୃହର ମଧ୍ୟଭାଗରେ ଶାସକ ଏବଂ ବିରୋଧୀ ଦଳର ସଦସ୍ୟମାନଙ୍କ ମଧ୍ୟରେ ଠେଲାପେଲା, କାଗଜ ଫିଙ୍ଗା ଫୋପଡ଼ା ଚାଲିଲା । ସତେ ଯେମିତି ଏହା ଗଣତନ୍ତ୍ରର ପବିତ୍ର ମନ୍ଦିର ନୁହେଁ, ରଣକ୍ଷେତ୍ର ।
ଏହି ସବୁ ଅଘଟଣ ଘଟୁଥିବା ବେଳେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ନିଜ ଆସନରେ ବସିଥିଲେ । ସବୁ ସରିଗଲା ପରେ ଯାଇ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
ତେବେ ଗୃହରେ ବିଜେପି ବିଧାୟକଙ୍କ ଦାଦାଗିରିର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳକୁ ଯାଇ ଧାରଣାରେ ବସିଥିଲେ । ଗୃହ ପରିଚାଳନାରେ ବାଚସ୍ପତିଙ୍କ ନିରପେକ୍ଷତାକୁ ପ୍ରଶ୍ନ କରିବା ସହ କଂଗ୍ରେସ ବିଧାୟକଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଜୟନାରାୟଣ ମିଶ୍ରଙ୍କ ସହ ଅନ୍ୟ ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବାଚସ୍ପତିଙ୍କୁ ପତ୍ର ଲେଖିଥିଲେ ।

ସେପଟେ ବିଧାନସଭା କରିଡରରେ ବିଜେଡି ବିଧାୟକଙ୍କର ହାଇଡ୍ରାମା ଦେଖିବାକୁ ମିଳିଥିଲା । ବରିଷ୍ଠ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ସମସ୍ତେ ଗୋଟେ ଗୋଟେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ସାମନାରେ କିଛି ସମୟ ଧାରଣାରେ ବସିବା ପରେ ମନ୍ତ୍ରୀମାନଙ୍କ ଚାମ୍ବର ଆଗକୁ ଯାଇ ଲଣ୍ଠନରେ ମୁଖ୍ୟ୍ୟମନ୍ତ୍ରୀଙ୍କୁ ଖୋଜିଥିଲେ । ରାଜ୍ୟରେ ବିଜେପି ସରକାର ଶାସନ ଗାଦି ସମ୍ଭାଳିବାକୁ ଅକ୍ଷମ, ମୁଖ୍ୟମନ୍ତ୍ରୀ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଥିଲେ ।








