ଭୁବନେଶ୍ୱର: ପିସିସି ନୂଆ ନେତୃତ୍ୱକୁ ନେଇ କଂଗ୍ରେସ ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଭକ୍ତ ଦାସଙ୍କ ନିଯୁକ୍ତି କିଛି ଆଶାୟୀଙ୍କୁ କଷ୍ଟ ଦେଇଥିଲେ ମଧ୍ୟ ମୋଟାମୋଟି ଭାବେ ଦଳୀୟ ନେତା ଓ କର୍ମୀ ଉତ୍ସାହିତ ହୋଇପଡ଼ିଛନ୍ତି । ପିସିସି ସଭାପତି ଭାବେ ଏ ପର୍ଯ୍ୟନ୍ତ ଦାୟିତ୍ୱ ନେଇ ନ ଥିଲେ ମଧ୍ୟ ଅତୀତରେ ଦଳରୁ ବହିଷ୍କୃତ ଏବଂ ନିଲମ୍ବିତ ହୋଇଥିବା ସବୁ ନେତାଙ୍କ ଉପରୁ ଦଣ୍ଡ ଉଠାଇ ସେ ଅଧିକ ଚର୍ଚ୍ଚାକୁ ଆସିଛନ୍ତି । ଦଳକୁ ସଜାଡ଼ିବାର ଏହି ପ୍ରଥମ ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଛନ୍ତି । ଏଥିସହ ଓଡ଼ିଶାରେ କଂଗ୍ରେସ ସରକାର ଫେରାଇ ଆଣିବାକୁ ଏହା କର୍ମୀଙ୍କ ମନୋବଳ ବଢ଼ାଇ ଦେଇଛି ।
ପିସିସି ସଭାପତି ପଦ ୭ ମାସ ଖାଲି ରହିବା ପରେ ଭକ୍ତ ଦାସଙ୍କୁ ନିଯୁକ୍ତି ମିଳିଛି । ନିଯୁକ୍ତି ଘୋଷଣାର କିଛି ସମୟ ପରେ ଦଳର ପ୍ରଭାବୀ ନେତା ମାନସ ଚୌଧୁରୀଙ୍କ ଉପରୁ ସେ ନିଲମ୍ବନ ଆଦେଶ ଉଠାଇ ଦେଇଥିଲେ । ଦୁଇଦିନ ପରେ ଅର୍ଥାତ ଗତକାଲି ସେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଥିଲେ ।
ଏକ ପ୍ରେସ୍ ବିଜ୍ଞପ୍ତିରେ କହିଥିଲେ କି ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବନ କିମ୍ବା ବହିଷ୍କାର କରାଯାଇଥିଲା, ତାହାକୁ ପ୍ରତ୍ୟାହାର କରି ଦିଆଗଲା । ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ କଂଗ୍ରେସ ଦଳ ଛାଡ଼ି ଚାଲି ଯାଇଛନ୍ତି, ସେମାନେ ପୁନର୍ବାର କଂଗ୍ରେସ ଦଳକୁ ଫେରି ଆସିବାକୁ ଆମେ ନିବେଦନ କରୁଛୁ । ଯଦି ସେମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ, ସେମାନଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ମାନର ସହ ସ୍ୱାଗତ କରାଯିବ ।
ଦିଲ୍ଲୀରେ ଥିବା ନୂଆ ସଭାପତି ଭକ୍ତ ଦାସଙ୍କର ଏହି ପ୍ରେସ୍ ବିଜ୍ଞପ୍ତି ଗତକାଲି ସଂଧ୍ୟାରେ ଆସିବା ପରେ ଆଜି ସକାଳେ ଦଳର ବରିଷ୍ଠ ନେତା ସୁର ରାଉତରାୟ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନ ଆସି ଭିତରକୁ ନଡ଼ିଆ ବାଡ଼େଇ ପ୍ରବେଶ କରିଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ୯ ମାସ ତଳେ ସେ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ । ସେହିଦିନଠାରୁ କଂଗ୍ରେସ ଭବନର ଦ୍ୱାର ତାଙ୍କ ପାଇଁ ବନ୍ଦ ଥିଲା । ଆଜି ସୁର ବାବୁ ତାଙ୍କ ସମର୍ଥକମାନଙ୍କ ସହ କଂଗ୍ରେସ ଭବନରେ ପଶିବା ଏବଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ସେଠାରେ ଭାବାବେଗ ପରିବେଶ ସୃଷ୍ଟି ହୋଇଥିଲା ।
କ୍ୟାମେରା ଆଗରେ ୯ ମାସର କଂଗ୍ରେସ ବିଚ୍ଛେଦ କଥା କହି ସୁର ଭୋ ଭୋ କାନ୍ଦିଥିଲେ । ଦଳରେ ଆଉ କନ୍ଦଳ ରହିବନି ବୋଲି କହିଥିଲେ । କଂଗ୍ରେସକୁ ମଜବୁତ କରିବାକୁ ମନପ୍ରାଣ ଦେଇ କାମ କରିବେ ବୋଲି ସେ ନିଜେ ଶପଥ ନେବା ସହ ସମର୍ଥକମାନଙ୍କୁ ଶପଥ କରାଇଥିଲେ ।
ନୂଆ ପିସିସି ସଭାପତିଙ୍କ ନିଷ୍ପତ୍ତିକ୍ରମେ ତତକ୍ଷଣାତ୍ ସୁର ରାଉତରାୟ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବା କର୍ମୀମହଲକୁ ଭଲ ବାର୍ତ୍ତା ଦେଇଛି । ଆଗକୁ ସୌମ୍ୟରଞ୍ଜନ ପଟ୍ଟନାୟକ, ଚିରଞ୍ଜୀବୀ ବିଶ୍ୱାଳ, ଭୂପିନ୍ଦର ସିଂ, ପ୍ରଫୁଲ୍ଲ ମାଝୀ, ସୁରେନ୍ଦ୍ର ସିଂ ଭୋଇ, ଅଂଶୁମାନ ମହାନ୍ତି, ପ୍ରକାଶ ବେହେରାଙ୍କ ଭଳି ନେତାଙ୍କ ଘରବାହୁଡ଼ା ହୋଇପାରେ ବୋଲି ଚର୍ଚ୍ଚା ହେଲାଣି । ସୌମ୍ୟଙ୍କୁ ଛାଡ଼ି ବିଜେଡିରେ ଥିବା ଏହି ନେତାମାନେ ଯେ ଖୁସି ନାହାନ୍ତି ତାହା ସମସ୍ତଙ୍କୁ ଜଣା । ବିଜେଡ଼ିରେ ଅତିଷ୍ଠ ଏହି ନେତାମାନେ କଂଗ୍ରେସ ଫେରିବାକୁ ଯେ ସୁଯୋଗ ଅପେକ୍ଷାରେ ନ ଥିବେ ତାହା କହି ହେବ ନାହିଁ । ଏବେ ଭକ୍ତ ଦାସ ସେହି ସୁଯୋଗ ଦେବା ପରେ କେତେ ପୁରୁଣା ନେତା କଂଗ୍ରେସକୁ ଫେରୁଛନ୍ତି ତାହା ଦେଖିବାକୁ ବାକି ରହିଛି ।
ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ଆଜି ଗଣମାଧ୍ୟମରେ ବିଜେଡି ବିରୋଧରେ ଖୋଲାଖୋଲି ବିଷୋଦଗାର କରିଛନ୍ତି । କହିଛନ୍ତି, ଅନେକ ପ୍ରତିଶ୍ରୁତି ଦେଇ ବିଜେଡି ତାଙ୍କୁ ଦଳରେ ମିଶାଇଥିଲା । ହେଲେ କୌଣସି ପ୍ରତିଶ୍ରୁତି ରଖିଲାନି । ଦଳରେ ପରିଚାଳନାଗତ ତ୍ରୁଟିକୁ ସେ ଠଉରାଇବା ସହ କଂଗ୍ରେସ ଫେରିଯିବେ ବୋଲି ସଙ୍କେତ ଦେଇଛନ୍ତି । ଅନ୍ୟପକ୍ଷରେ ଭୂପିନ୍ଦର ସିଂ ଖୋଲାଖୋଲି ସେଭଳି କିଛି ନ କହି ମନର କଥା ଚାପି ଦେଇଛନ୍ତି । ଆପଣ କଂଗ୍ରେସକୁ ଫେରିବେ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ କହିଛନ୍ତି- ଠିକ୍ ସମୟକୁ ଅପେକ୍ଷା କର । ଭୂପିନ୍ଦରଙ୍କ ଏହି ମନ୍ତବ୍ୟରୁ କଂଗ୍ରେସକୁ ତାଙ୍କର ପ୍ରତ୍ୟାବର୍ତ୍ତନ ନିଶ୍ଚିତ ବୋଲି କୁହାଯାଇପାରିବ ।
ଖାଲି ବଡ଼ ନେତା ନୁହଁନ୍ତି, ଗାଁ ଗାଁରେ କଂଗ୍ରେସରୁ ଦୂରେଇ ଯାଇଥିବା ପୁରୁଣା କର୍ମୀମାନେ ମଧ୍ୟ ଘରବାହୁଡ଼ା ପାଇଁ ମନ ବଳାଇଲେଣି । ନା ସେମାନେ ବିଜେଡି ନା ବିଜେପି ଉପରେ ଖୁସି ଅଛନ୍ତି । କଂଗ୍ରେସରୁ ଦୂରେଇ ରହିଥିବା କର୍ମୀମାନଙ୍କ ମଧ୍ୟରୁ କିଏ ବିଜେଡି ତ କିଏ ବିଜେପିରେ ଅଛନ୍ତି । ମାତ୍ର ସେମାନଙ୍କର ଆସକ୍ତି ଧୀରେ ଧୀରେ ତୁଟି ଚାଲିଛି । ଏହି ସମୟ କଂଗ୍ରେସ ପାଇଁ ଏକ ଜବରଦସ୍ତ ସୁଯୋଗ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ।