ଭୁବନେଶ୍ୱର: ବିଏସକେୱାଇ କେଳେଙ୍କାରୀର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । କଟକର ସାଉଥପଏଣ୍ଟ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ଜାଲିଆତି ଘଟଣାର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତକୁ ନେଇଛି । ପୂର୍ବରୁ ପୁଲିସ ଏହି ମାମଲାରେ ସଂପୃକ୍ତ ହସ୍ପିଟାଲ୍ ମାଲିକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା । ବିଏସକେୱାଇ ଯୋଜନା ଦାୟିତ୍ୱରେ ଥିବା ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ମଧ୍ୟ ପୁଲିସ ପଚରା ଉଚୁରା କରିଥିଲା । ଖବର ଅନୁଯାୟୀ, ୩୩ ଟି ଘରୋଇ ହସ୍ପିଟାଲ୍ ରେ ବିଏସକେୱାଇ କାର୍ଡର ଜାଲିଆତି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲାଣି । ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି ।
ଉଲ୍ଲେଖଯୋଗ୍ୟ ଯେ ବିଏସକେୱାଇ ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ଯୋଜନା । ଗରିବ ଲୋକଙ୍କ ପାଇଁ ଏହା ଭଗବାନଙ୍କ ଆଶିର୍ବାଦ ସଦୃଶ । ତେବେ ଏହି ଯୋଜନାକୁ ଅବାଟରେ ନେଇ ରାଜ୍ୟ ରାଜକୋଷରୁ ଟଙ୍କା ହଡ଼ପ କରିବାକୁ ଅସାଧୁ ଗୋଷ୍ଠୀ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି । ଯାହା କଟକର ସାଉଥପଏଣ୍ଟ ହସ୍ପିଟାଲ୍ ଏବଂ ଆଠଗଡ଼ର ପଣ୍ଡା ନର୍ସିଂହୋମରୁ ଧରାପଡ଼ିଯାଇଛି । ଏହି କେଳେଙ୍କାରୀ କେବଳ କଟକ ଜିଲ୍ଲାରେ ନୁହେଁ, ସାରା ରାଜ୍ୟକୁ ବ୍ୟାପିଥିବା ଆଶଙ୍କା କରାଯାଉଛି ।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ବିଏସକେୱାଇ ଯୋଜନାରେ ଗତବର୍ଷ ୭୩ ହଜାର ରୋଗୀଙ୍କ ଚିକିତ୍ସା ପାଇଁ ମାସକୁ ହାରାହାରି ୧୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯୋଜନା ଆରମ୍ଭ ଦିନଠୁ ରାଜ୍ୟ ରାଜକୋଷରୁ ଏ ବାବଦରେ ୧,୧୯୧ କୋଟି ଟଙ୍କା ଖର୍ଚ୍ଚ ସରିଲାଣି । ଉପକୃତ ହୋଇଛନ୍ତି ୫.୪ ଲକ୍ଷ ରୋଗୀ । ତେବେ ଏଥିରେ ଭୂତ ରୋଗୀ କେତେ ଏବଂ ରାଜକୋଷରୁ କେତେ ହରିଲୁଟ୍ ହୋଇଛି ତାହା ଉପଯୁକ୍ତ ତଦନ୍ତ ପରେ ଜଣାପଡ଼ିବ ।
ଏହି ଯୋଜନାରେ ରାଜ୍ୟ ଓ ରାଜ୍ୟ ବାହାରର ୫୦୦ ଘରୋଇ ହସ୍ପିଟାଲ୍ ପ୍ୟାନେଲଭୁକ୍ତ ହୋଇଛନ୍ତି । ଯେଉଁଥିରେ ୯୮ ହସ୍ପିଟାଲ୍ ହେଉଛି ବାହାର ରାଜ୍ୟର । ତେବେ ବିଏସକେୱାଇ ଯୋଜନାରେ ପ୍ୟାନେଲଭୁକ୍ତ ହେବା ପାଇଁ ଘରୋଇ ହସ୍ପିଟାଲ୍ ଗୁଡ଼ିକ ଯେଉଁ ମାନଦଣ୍ଡ ପୂରଣ କରିବା କଥା ଅନେକ କ୍ଷେତ୍ରରେ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି । ଏହି ଚଞ୍ଚକତା ଯୋଗୁଁ କଟକର ସାଉଥପଏଣ୍ଟ ହସ୍ପିଟାଲ୍, ଆଠଗଡ଼ର ପଣ୍ଡା ନର୍ସିଂହୋମ୍ ଭଳି ହସ୍ପିଟାଲ୍ ବିଏସକେୱାଇ ତାଲିକାକୁ ପଶି ଆସିଥିବା କୁହାଯାଉଛି ।
ସୂଚନାଥାଉକି, ବିଏସକେୱାଇ ଯୋଜନାରେ କେଉଁ ହସ୍ପିଟାଲ୍ କୁ ତାଲିକାଭୁକ୍ତ କରାଯିବ ଏବଂ ପେମେଣ୍ଟ ନିଷ୍ପତ୍ତି ରାଜ୍ୟ ହେଲଥ୍ ଆସୁ୍ୟରାନ୍ସ ସୋସାଇଟି(ଶାଶ୍) ଉପରେ ନ୍ୟସ୍ତ ଅଛି । ଏହି ସୋସାଇଟି ହେଉଛି ବିଏସକେୱାଇ ଯୋଜନା କାର୍ଯ୍ୟକାରିତାର ନୋଡାଲ୍ ଏଜେନ୍ସୀ । ଯୋଜନା ଆରମ୍ଭ ଦିନଠାରୁ ଅତିରିକ୍ତ ସଚିବ ଶୁୁୁବାନନ୍ଦ ମହାପାତ୍ର ଶାଶ୍ ର ଯୁଗ୍ମ ସିଇଓ ଭାବେ ଏହାର ନେତୃତ୍ୱ ନେଉଛନ୍ତି । ଅତିରିକ୍ତ ନିଦେ୍ର୍ଦଶକ ଦାୟିତ୍ୱରେ ଅଛନ୍ତି ଡକ୍ଟର ବିଷ୍ଣୁ ପ୍ରସାଦ ମହାପାତ୍ର ଏବଂ ଡେପୁଟି ସିଇଓ ଦାୟିତ୍ୱରେ ଅଛନ୍ତି ସମ୍ବିତ କୁମାର ବେହେରା । ହସ୍ପିଟାଲ୍ ଚୟନରେ ସଲାସୁତରା କଥା ଉଠୁଥିବାରୁ ଏମାନଙ୍କ ଉପରକୁ ଅଙ୍ଗୁଳି ଉଠିବା ସ୍ୱାଭାବିକ ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ମାମଲତିକାର ବୋଲାଉଥିବା ଜଣେ ବ୍ୟକ୍ତିଙ୍କର ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । କେଳେଙ୍କାରୀ ପଛରେ ତାଙ୍କର ଭୂମିକାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ସେ ଯାହା ହେଉ, କଟକ ପୁଲିସ ସଂପୃକ୍ତ ୩ ଅଧିକାରୀଙ୍କୁ ପଚରା ଉଚୁରା କରିଥିବାରୁ କ୍ରାଇମବ୍ରାଞ୍ଚର ପଦକ୍ଷେପ କ’ଣ ହେବ ତାହାକୁ ଅପେକ୍ଷା କରାଯାଇଛି । ତଦନ୍ତରେ ସ୍ୱଚ୍ଛତା ଆଣିବାକୁ ଏମାନେ ଆଗ ହଟିବାର ଆବଶ୍ୟକତା ଅଛି ବୋଲି ଖୋଦ୍ ସ୍ୱାସ୍ଥ୍ୟ ବିଭାଗରେ ଆଲୋଚନା ହେଉଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ସ୍ୱାସ୍ଥ୍ୟମିତ୍ରମାନଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ବିନା ରୋଗୀରେ କାର୍ଡ ସ୍ୱାଇପ୍ ସମ୍ପର୍କରେ ସେମାନେ ଅଜଣା ରହିଲେ କେମିତି? ଯୋଜନା ଟଙ୍କା ଲୁଟିବା ପାଇଁ ଅସାଧୁ ମେଣ୍ଟର ଏମାନେ ଜଣେ ଜଣେ ସଦସ୍ୟ ନୁହଁନ୍ତି କି? ଏହାର ଉତ୍ତର ଦାୟିତ୍ୱ କାହାର? ରାଜ୍ୟ ସରକାରଙ୍କ ଛବିକୁ ଏହା ମଳିନ କରୁନାହିଁ କି?

ନୂଆକରି ଦାୟିତ୍ୱ ନେଇଥିବା ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଏହି ଘଟଣା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଘନ ଘନ ବୈଠକ କରି ଯୋଜନାର ସମୀକ୍ଷା କରୁଛନ୍ତି । ଦୋଷୀ ଯିଏ ବି ହୁଅନ୍ତୁ ନା କାହିଁକି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଇ ଦେଇଛନ୍ତି । ଆଗାମୀ ଦିନରେ ବିଏସକେୱାଇ ସଚେତନତା କାର୍ଯ୍ୟକୁ ଜୋରଦାର କରିବା ପାଇଁ ସେ ନିଦେ୍ର୍ଦଶ ଦେଇଛନ୍ତି ।







