ଭୁବନେଶ୍ୱର: ରେଳ ବଜେଟ୍ ରେ ଚଳିତବର୍ଷ ଓଡ଼ିଶାକୁ ୬୯୯୫ କୋଟି ୫୮ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି । ଇଷ୍ଟ୍ କୋଷ୍ଟ ରେଲୱେ ପକ୍ଷରୁ ଆଜି ଏହି ତଥ୍ୟ ଦିଆଯାଇଛି । ଗତବର୍ଷ ଓଡ଼ିଶାକୁ ୪୩୭୩ କୋଟି ଟଙ୍କା ଅନୁଦାନ ମିଳିଥିଲା । ଅର୍ଥାତ୍ ଗତବର୍ଷ ତୁଳନାରେ ଏବର୍ଷ ଓଡ଼ିଶାକୁ ୬୦% ଅଧିକ ଅନୁଦାନ ମିଳିଛି । ରେଳ ବଜେଟ୍ ରେ ଅଧୁରା କାମ ସାରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିଭଳି ଆଧୁନିକୀକରଣ ଓ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ନୂଆ ଲାଇନ୍ ପାଇଁ ୧୫୫୩ କୋଟି ଟଙ୍କା ମିଳିଥିବା ବେଳେ ଡବଲିଂ ପାଇଁ ୧୭୦୨ କୋଟି ଟଙ୍କା ମିଳିଛି । ଲେବଲ କ୍ରିସଂ ପାଇଁ ୧୮ କୋଟି, ଟ୍ରାକ୍ ନବୀକରଣ ପାଇଁ ୪୦୨ କୋଟି, ବ୍ରିଜ୍ ପାଇଁ ୩୮.୫ କୋଟି, ବିଦ୍ୟୁତକରଣ ପାଇଁ ୧୭୩ କୋଟି, ଯାତ୍ରୀ ସୁବିଧା ପାଇଁ ୩୦୦ କୋଟି, ସିଗନାଲ୍ ପାଇଁ ୬୯ କୋଟି ଅନୁଦାନ ମଞ୍ଜୁର ହୋଇଛି ।
ଖୋର୍ଦ୍ଧା-ବଲାଙ୍ଗୀର ୨୮୯ କିଲୋମିଟର ନୂଆ ଲାଇନ୍ ପାଇଁ ସର୍ବାଧିକ ମିଳିଛି ୧୦୦୦ କୋଟି ୫୦ ଲକ୍ଷ ଟଙ୍କା । ଅନୁଗୁଳ-ସୁକିନ୍ଦା ରୋଡ ୯୮.୭ କିମି ନୂଆ ଲାଇନ୍ ପାଇଁ ୪୦୦ କୋଟି, ହରିଦାସପୁର-ପାରାଦ୍ୱୀପ ୮୨ କିମି ନୂଆ ଲାଇନ୍ ପାଇଁ ୧୦୦ କୋଟି, ସମ୍ବଲପୁର-ତାଳଚେର ୧୭୪ କିମି ଦୋହରୀକରଣ ପାଇଁ ୧୭୪ କୋଟି, ସମ୍ବଲପୁର-ଟିଟିଲାଗଡ଼ ୧୮୨ କିମି ଦୋହରୀକରଣ ପାଇଁ ୨୦୦ କୋଟି, ଟିଟିଲାଗଡ଼- ବିଜୟନଗରମ୍ ତୃତୀୟ ଲେନ୍ ପାଇଁ ୩୦୦ କୋଟି, ଭଦ୍ରକ-ନିର୍ଗୁଣ୍ଡି ୮୦ କିମି ତୃତୀୟ ଲେନ୍ ପାଇଁ ୨୨୯ କୋଟି, ବୁଢ଼ାପଙ୍କ-ସୋଲେଗାଁ ତୃତୀୟ ଓ ଚତୁର୍ଥ ଲେନ୍ ପାଇଁ ୨୧୫ କୋଟି, ନାରାୟଣଗଡ଼-ଭଦ୍ରକ ତୃତୀୟ ଲେନ୍ ପାଇଁ ୨୨୫ କୋଟି, ରାଉରକେଲା-ଝାରସୁଗୁଡ଼ା ତୃତୀୟ ଲେନ୍ ପାଇଁ ୨୩୦ କୋଟି, ଜୟପୁର-ମାଲକାନଗିରି ଲାଇନ୍ କୁ ୨୮ କୋଟି, ଜୟପୁର-ନବରଙ୍ଗପୁର ଲାଇନ୍ କୁ ୧୫ କୋଟି ମିଳିଛି ।
ରେଳ ସମ୍ପର୍କୀତ ୩ଟି କାରଖାନା ପାଇଁ ୧୨ କୋଟି ମଞ୍ଜୁର ହୋଇଛି । ଅନୁଗୁଳ ବିଦ୍ୟୁତ ରେଳ ଇଞ୍ଜିନ୍ ସେଡ୍ ସମ୍ପ୍ରସାରଣ ପାଇଁ ୧ କୋଟି, ମାନେଶ୍ୱର ମାଲବାହୀ ଟ୍ରେନ ମରାମତି କାରଖାନା ପାଇଁ ୧୦ କୋଟି, କଳାହାଣ୍ଡିରେ ବିଦ୍ୟୁତ ଇଞ୍ଜିନ ମରାମତି କାରଖାନା ପାଇଁ ମିଳିଛି ୧ କୋଟି ।







