ଭୁବନେଶ୍ୱର: ବନ୍ଧା ହେଲେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ତଥା ଓଟିଭି ଚିଫ୍ ଫାଇନାନସିଆଲ୍ ଅଫିସର(ସିଏଫଓ) ମନୋରଞ୍ଜନ ଷଡ଼ଙ୍ଗୀ । ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କେଳଙ୍କାରୀରେ ସେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା(ଇଓଡବ୍ଲୁ) ଆଜି ତାଙ୍କୁ ପ୍ରାୟ ୭ ଘଣ୍ଟା ଧରି ପଚରାଉଚୁରା କରିବା ପରେ ଗିରଫ କରିଛି ।
ଶ୍ରୀ ଷଡ଼ଙ୍ଗୀଙ୍କ ବିରୋଧରେ ଆଇପିସିର ଧାରା ୪୨୦, ୪୨୩, ୪୬୭, ୪୬୮,୪୭୧, ୧୨୦(ବି) ଏବଂ ଏସସି, ଏସଟି(ପିଓଏ) ର ଧାରା ୩(୧)(ଜି)(କ୍ୟୁ)ରେ ମାମଲା ରୁଜୁ ହୋଇଛି । କ୍ୟାପିଟାଲ୍ ହସ୍ପିଟାଲ୍ ରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସଂଧ୍ୟାରେ କୋର୍ଟରେ ହାଜର କରାଯାଇଥିଲା । ଜାମିନ୍ ନାମଂଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
ସାରୁଅ ଜମି କେଳେଙ୍କାରୀରେ ମନୋରଞ୍ଜନ ଷଡ଼ଙ୍ଗୀ ଅନ୍ୟତମ ଖଳନାୟକ ବୋଲି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ହାତରେ ପ୍ରମାଣ ଲାଗିଛି । କିଛି ଦିନ ତଳେ ତାଙ୍କୁ ବାଘମାରୀ ଥାନାରେ ଜେରା କରାଯାଇଥିଲା । ଆଜି ସକାଳୁ ଇଓଡବ୍ଲୁର ଏକ ଟିମ୍ ଶ୍ରୀ ଷଡ଼ଙ୍ଗୀଙ୍କୁ ଘରୁ ଅଫିସ୍ କୁ ଡାକିନେଇ ଦୀର୍ଘ ସମୟ ଜେରା କରିବା ପରେ ତାଙ୍କୁ ଗିରଫ ବୋଲି ଘୋଷଣା କରାଯାଇଥିଲା ।
ସାରୁଅରେ ଦଳିତଙ୍କ ଜମିକୁ ଚଞ୍ଚକତାପୂର୍ଣ୍ଣ ଉପାୟରେ ଓଟିଭି ସଂସ୍ଥା ହଡ଼ପ କରିଥିବା ସିଧାସଳଖ ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ ଜମିକୁ ଶାଗମାଛ ମୂଲରେ ହାତେଇବା, ପାଚେରୀ ନିର୍ମାଣ କରି ରାସ୍ତା ଓ ପାଣି ଅବରୋଧ କରିବା ଏବଂ ପ୍ରତିବାଦ କରୁଥିବା ଲୋକଙ୍କୁ ଧମକେଇ ଆତଙ୍କରାଜ କରୁଥିବା ଭଳି ଅଭିଯୋଗ ଦୀର୍ଘଦିନରୁ ହୋଇଆସୁଥିଲା । ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା, ତାଙ୍କ ବାପା ଓ ଭାଇଙ୍କ ଇଙ୍ଗିତରେ ହିଁ ସବୁ ବେଆଇନ କାର୍ଯ୍ୟ ଓ ଗୁଣ୍ଡାରାଜ ଚାଲିଥିବା ଅଭିଯୋଗ ହୋଇଛି । ଏମାନଙ୍କ ବିରୋଧରେ ତିନି ତିନୋଟି ମାମଲା ବାଘମାରୀ ଥାନାରେ ରୁଜୁ ହୋଇଛି ।
ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ତଦନ୍ତ ବେଳେ ବହୁ ସଙ୍ଗୀନ ତଥ୍ୟ ସାମନାକୁ ଆସିଥିଲା । ସାରୁଅ ଗ୍ରାମର ବାସିନ୍ଦା ହାଲୁରି ପାହାଡ଼ସିଂହଙ୍କ ଅଭିଯୋଗ ଓ ଓରଟେଲ୍ ରେ ଡ୍ରାଇଭର୍ ଗଞ୍ଜାମର ରବୀନ୍ଦ୍ର କୁମାର ସେଠୀଙ୍କ ପିଟିସନ୍ ହିଁ ଓଟିଭି ଜମି ଜାଲିଆତି ଓ ବେଆଇନ କାରବାରର ପର୍ଦ୍ଦା ଖୋଲିଥିଲା । ଦଳିତ ବର୍ଗର ରବୀନ୍ଦ୍ରଙ୍କୁ ପ୍ରକୃତରେ ସାରୁଅରେ ଦଳିତ ବର୍ଗର ଜମି କିଣିବା ପାଇଁ ବ୍ୟବହାର କରାଯାଉଥିଲା । ଏହି ସବୁ ଜମି ଆସୁଥିଲା ଓଟିଭି ଗ୍ରୁପ୍ ର ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ ଖାତାକୁ ।
ରବୀନ୍ଦ୍ରଙ୍କୁ ସ୍ପଳ୍ପ ଦରମାରେ ଡ୍ରାଇଭର୍ ନିଯୁକ୍ତି ଦେଇ ତାଙ୍କର ପରିଚୟପତ୍ର ଓ ଦସ୍ତଖତକୁ ସମ୍ବଳ କରାଯାଇଥିଲା । ଏସସି ବର୍ଜର ଜମିଜମା କାଗଜପତ୍ରରେ ସେ କେବଳ ଦସ୍ତଖତ ମାରୁଥିଲେ । ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଓ ଅନ୍ୟ ଦୁଇ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏହା କାର୍ଯ୍ୟକାରୀ କରାଯାଉଥିଲା । ରବୀନ୍ଦ୍ରଙ୍କୁ ମାଧ୍ୟମ କରାଯାଇ ୭ ଏକରରୁ ଅଧିକ ଦଳିତ ଜମିକୁ ଶାଗମାଛ ଦରରେ କିଣାଯାଇଛି । ଏହି କାରବାରରେ ରବୀନ୍ଦ୍ରଙ୍କୁ ଟଙ୍କାଟିଏ ମଧ୍ୟ ମିଳୁ ନ ଥିଲା ।
ଖାଲି ଶାଗମାଛ ଦରରେ ବିକ୍ରୀ କରିବାକୁ ବାଧ୍ୟ କରାଯାଉ ନ ଥିଲା, ଜମି ବିକ୍ରୀ କାଗଜପତ୍ରରେ ଅନେକ ଜାଲିଆତି କରାଯାଇଥିବା ଦଲିଲରୁ ଧରାପଡ଼ିଛି । ହାଲୁରି ପାହାଡ଼ସିଂହଙ୍କ ଜମି ବିକ୍ରୀ କାଗଜପତ୍ରରେ ଉଭୟ ବିକ୍ରେତା ଓ ଖରିଦଦାରଙ୍କର ଗୋଟିଏ ଠିକଣା ରହିଛି । ବାହାଘର ପାଇଁ ଜମି ବିକ୍ରୀ କରାଯାଇଥିବା ଦର୍ଶାଯାଇଥିଲା ବେଳେ ଘର ତିଆରି ପାଇଁ ଜମି ବିକିବାକୁ ଅନୁମତି ଦିଆଯାଇଛି । କ୍ରେତା ରବି ସେଠୀଙ୍କ ଦସ୍ତଖତରେ ତାଳମେଳ ନାହିଁ । କାଗଜପତ୍ରରେ ତାଙ୍କୁ ବ୍ୟବସାୟୀ ବୋଲି ଦର୍ଶାଯାଇଛି । ରବି ସେଠୀ ନିଜର ସେଠି ଜମିଥିବା ଦର୍ଶାଇଛନ୍ତି ଯାହା ମିଛ ।
କେବଳ ପାହାଡ଼ସିଂହଙ୍କ ମାମଲା ନୁହେଁ । ରବି ସେଠୀଙ୍କୁ ମୋହରା କରି ଏକର ଏକର ଦଳିତଙ୍କ ଜମିକୁ ଓଟିଭି ସଂସ୍ଥା ହାତେଇଥିବା ଜିଲ୍ଲା ପ୍ରଶାସନ ଓ ପୁଲିସ ତଦନ୍ତରୁ ଜଣାପଡ଼ିଲାଣି । ଓଟିଭି ବେଆଇନ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ହେଲା ଦିନୁଁ ଚପି ଯାଇଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ବଢ଼ିବାରେ ଲାଗିଛି ।
ଗତମାସ ୧୪ ତାରିଖରେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଥିଲା । ୨୯ ତାରିଖରେ ସାରୁଅ ଯାଇ ୮ ଜଣ ଅଭିଯୋଗକାରୀଙ୍କୁ ପଚରାଉଚୁରା କରିଥିଲା । ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ମଧ୍ୟ ବାଘମାରୀ ଥାନାକୁ ଡାକି ପଚରାଉଚୁରା କରିଥିଲା । ତଦନ୍ତକାଳରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ହାତରେ ଓଟିଭି ଜାଲିଆତିର ଆହୁରି ସାଂଘାତିକ ତଥ୍ୟ ଲାଗିଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।
ତେବେ ଓଟିଭିରେ ସିଏଫଓ ଭାବେ କାର୍ଯ୍ୟ କରୁଥିବା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଛୋଟ ମାଛ ବୋଲି କୁହାଯାଉଛି । ଓଟିଭି ଏମଡି ଜାଗୀ ପଣ୍ଡା, ତାଙ୍କ ବାପା ଓ ଭାଇ ଏହି କେଳେଙ୍କାରୀର ମୁଖ୍ୟ କାର୍ପଟଦାର ବୋଲି ସାରୁଅ ଅଞ୍ଚଳରୁ ଖାଲି ଅଭିଯୋଗ ହୋଇନି ବରଂ ସେମାନଙ୍କ ବିରୋଧରେ ଥାନାରେ ଏତଲା ଗଡୁଛି । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏହି ବଡ଼ ମୁଣ୍ଡରେ ହାତ ମାରିବାକୁ ସାହାସ କରିବ ନା ନାହିଁ ତାହା ସମସ୍ତଙ୍କର ଉତ୍କଣ୍ଠା ବଢ଼ାଇଛି ।
ଓଟିଭିର ସ୍ପଷ୍ଟୀକରଣ
ଓଟିଭି ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ଗିରଫକୁ ରାଜ୍ୟ ସରକାରଙ୍କ ଓଟିଭି ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ବୋଲି କୁହାଯାଇଛି । ଗତ ଦୁଇମାସରେ ଓଟିଭି ବିରୋଧରେ ୧୩ଟି ମିଥ୍ୟା ମାମଲା ରୁଜୁ ହୋଇଛି ଏବଂ ସେଥିମଧ୍ୟରୁ ଅଧିକାଂଶ କୋର୍ଟ ଦ୍ୱାରା ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ଓଟିଭି ନିର୍ଭିକ ଭାବେ ସମ୍ବାଦ ପରିବେଷଣ କରୁଥିବାରୁ ସରକାରଙ୍କ ଆକ୍ରୋଶର ଶିକାର ହେଉଥିବା ଏଥିରେ ସଫେଇ ଦିଆଯାଇଛି ।
ସାରୁଅରେ ଓଟିଭିର ଗୁଣ୍ଡାଗର୍ଦ୍ଦି ଜାରି!
ସାରୁଅ ଗାଁର କିଛି ଠିକା କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗତକାଲି ଦୁଇଜଣ ଓଟିଭି କର୍ମଚାରୀଙ୍କୁ ପୁଲିସ ଗିରଫ କରିଥିଲା । ମାତ୍ର ଆଜି ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ସାରୁଅ ଓଟିଭି ତରଙ୍ଗ ଗେଟ୍ ସାମନାରେ ଠିକା କର୍ମଚାରୀମାନେ ଧାରଣା ଜାରି ରଖିଛନ୍ତି ।
ଓଟିଭିର ଠିକା କର୍ମଚାରୀ କାମ କରୁଥିବା ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିମାନଙ୍କୁ ସଂସ୍ଥା ଠିକ୍ ରେ ଦରମା ଦେଉନାହିଁ ବୋଲି ସେମାନଙ୍କର ଅଭିଯୋଗ । ବରଂ ସେମାନଙ୍କୁ ଠିକ୍ ରେ ଦରମା ମିଳୁଥିବା ଏବଂ ଓଟିଭି ସହ କୌଣସି ବିବାଦ ନାହିଁ ବୋଲି ଲେଖାଥିବା ଏକ ସାଦା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ ।
ପ୍ରତିବାଦକାରୀମାନଙ୍କୁ ଓଟିଭିର ଦୁଇ କର୍ମଚାରୀ ଧକ୍କା ମାରି ଅଫିସ୍ ରୁ ବାହାର କରିଦେବାରୁ ଗଣ୍ଡଗୋଳ ହୋଇଥିଲା । ଆହତ ଠିକା କର୍ମଚାରୀଙ୍କ ଅଭିଯୋଗକ୍ରମେ ପୁଲିସ ଓଟିଭି କର୍ମଚାରୀ ଦୀନବନ୍ଧୁ ସାମନ୍ତ ଓ ବିଶ୍ୱଜିତ ରାଉତରାୟଙ୍କୁ ଗିରଫ କରିଥିଲା । ତେବେ ଆଜି ଓଟିଭି ଗୁଣ୍ଡାମାନେ ଆନ୍ଦୋଳନରତ ଠିକା କର୍ମଚାରୀଙ୍କୁ ପୁଣି ଧମକ ଦେବାରୁ ସେଠାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କାକୁ ନଜରରେ ରଖି ପୁଲିସ ସେଠାରେ ମୁତୟନ ଅଛନ୍ତି ।







