ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେ ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇଜି ଆଶିଷ ସିଂଙ୍କ ବିରୋଧରେ ନିର୍ବାଚନ କମିସନଙ୍କ କାର୍ଯ୍ୟାନୁଷ୍ଠାନକୁ ଦୁର୍ଭାଗ୍ୟଜନକ କହିଛନ୍ତି ବିଜେଡିର ମୁଖ୍ୟ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ୍ । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ନେତୃମଣ୍ଡଳୀଙ୍କ ଇଚ୍ଛାରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି କୌଣସି ଅଫିସରଙ୍କୁ ବ୍ୟବହାର କରୁନାହାନ୍ତି ବୋଲି ସେ ଦୃଢ଼ତାର ସହ କହିଛନ୍ତି । ଅନ୍ୟପକ୍ଷରେ, ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସୁଥିବା କେନ୍ଦ୍ରୀୟ ନେତାଙ୍କୁ ବିଜେପିର ପ୍ରତିଶ୍ରୁତି ମନେପକାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳି ଦେଇ ଅସମ୍ମାନ କରି ଚାଲିଥିବା ଏହି ଦଳକୁ ଓଡ଼ିଶାବାସୀ ଉଚିତ୍ ଜବାବ ଦେବେ ବୋଲି ସେ କହିଛନ୍ତି ।
ଆଜି ଶଙ୍ଖ ଭବନଠାରେ ଗଣମାଧ୍ୟମକୁ ଶ୍ରୀ ପାଣ୍ଡିଆନ୍ କହିଥିଲେ, ଏଇଟା ବଡ଼ ଦୁର୍ଭାଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟ କରୁଥିବା କିଛି ଅଫିସରଙ୍କ ବିରୋଧରେ ନିର୍ବାଚନ କମିସନ ପଦକ୍ଷେପ ନେଇଛନ୍ତି । ଯେଉଁ ଦୁଇଜଣ ଅଫିସରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହୋଇଛି ସେମାନେ ଓଡ଼ିଶାର ଦୁଇ ଆଉଟଷ୍ଟାଣ୍ଡିଂ ଓ ସଚ୍ଚୋଟ ଅଫିସର । ଓଡ଼ିଶାରେ ନକ୍ସଲ ନିୟନ୍ତ୍ରଣରେ ଏମାନଙ୍କ ବଡ଼ ଭୂମିକା ରହିଛି । ଗଜପତି, ମାଲକାନଗିରି ପ୍ରଭୃତି ନକ୍ସଲ ପ୍ରବଣ ଜାଗାରେ ନିଜ ଜୀବନକୁ ପାଣି ଛଡ଼େଇ ନକ୍ସଲଙ୍କ ବିରୋଧରେ ଲଢ଼େଇ କରିଛନ୍ତି । ନିଷ୍ଠା, ସଂକଳ୍ପ ଓ ତ୍ୟାଗ ପାଇଁ ଦେଶର ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ପୁରସ୍କୃତ ହୋଇଛନ୍ତି । ବିଜେପିର ଇସାରାରେ ଏବଂ ରାଜନୈତିକ ଉଦେ୍ଦଶ୍ୟରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ମୁଁ ଭାବୁଛି । ଏଇଟା ଠିକ୍ କଥା ନୁହେଁ । ବିଜେପି ନେତୃମଣ୍ଡଳୀ ଯାହା ଚାହୁଁଛନ୍ତି ସେଇଟା ହେଉଛି । ଏଇଟା ବଡ଼ ଦୁଃଖର କଥା । ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି, ନିର୍ବାଚନ ପ୍ରକ୍ରିୟାରେ କୌଣସି ଅଫିସରଙ୍କୁ ବ୍ୟବହାର କରୁନାହାନ୍ତି । ବିଜେଡି ବହୁତ ମଜବୁତ ଅଛି । ଆମର ୧ କୋଟି କର୍ମୀ ଅଛନ୍ତି । ଆମର ଆଉ କିଛି ଦରକାର ନାହିଁ । ବିଜେପିକୁ ଦରକାର ପଡ଼ିପାରେ ।
କେନ୍ଦ୍ର ସରକାରଙ୍କ ଉପରେ ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ବିଜେପି ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରେ ଅଛନ୍ତି । ଚାଷୀଙ୍କ ସମସ୍ୟାକୁ ଦୂର କରିପାରିଲେ ନାହିଁ । ୨୦୧୪ ରେ କହିଥିଲେ, ଆମେ ଯଦି କ୍ଷମତାକୁ ଆସିବୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣ କରିବୁ । ଚାଷୀଙ୍କୁ ଆୟକୁ ଦୁଇଗୁଣ କରିବୁ । ମାତ୍ର ଦୁଇଟା ଯାକ ହେଲା ନାହିଁ । ୧୦ ବର୍ଷ ହେଲା ଚାଷୀଙ୍କ କଥା ମନେ ପକାଇଲେ ନାହିଁ । ମାତ୍ର ନିର୍ବାଚନ ୧୦ ଦିନ ପୂର୍ବରୁ ସେମାନେ ଚାଷୀଙ୍କୁ ମନେ ପକାଉଛନ୍ତି ଧାନର ମୂଲ୍ୟ ୩୧୦୦ ଟଙ୍କା କରିବାକୁ । ଏହାଠାରୁ ବଡ଼ ଦୁର୍ଭାଗ୍ୟର କଥା କିଛି ନାହିଁ ।
ସେହିଭଳି, ୨୦୧୪ ରେ ଶାସନକୁ ଆସିଲା ବେଳେ ଦରଦାମ ବୃଦ୍ଧି ରୋକିବାକୁ ପ୍ରତିଶ୍ରୁତି ଦେଇଥିଲେ । ତେଲ, ଡାଲି, ପେଟ୍ରୋଲ, ଡିଜେଲ, ଏଲପିଜି ସିଲିଣ୍ଡର ଦର କମ କରିବାକୁ କହିଥିଲେ । ମାତ୍ର ସବୁ ପ୍ରତିଶ୍ରୁତି ଭୁଲିଗଲେ । ବହୁତ ବଡ଼ ବଡ଼ କଥା କହିଥିଲେ । ପ୍ରତିବର୍ଷ ଦୁଇ କୋଟି ଯୁବକଙ୍କୁ ରୋଜଗାର ଦେବୁ ବୋଲି କହିଥିଲେ । ମାତ୍ର ଦୁଇ ଲକ୍ଷ ରୋଜଗାର ବି ଦେଇପାରିଲେନି । ଓଡ଼ିଶା ପ୍ରତି ବହୁତ ଅବହେଳା ଓ ଅନ୍ୟାୟ ହୋଇଛି । ପ୍ରତିବର୍ଷ କୋଇଲାରୁ ୨୭ ହଜାର କୋଟି ପାଉଛନ୍ତି ଏମସିଏଲ । ନାଲକୋ ୩/୪ ହଜାର କୋଟି ପାଉଛନ୍ତି । ରେଲୱେ ୨୦/୨୫ ହଜାର କୋଟି ପାଉଛନ୍ତି । ସବୁ ମିଶିଲେ ଓଡ଼ିଶାରୁ ୬୦/ ୭୦ ହଜାର କୋଟି କେନ୍ଦ୍ର ନେଉଛନ୍ତି । ମାତ୍ର ଦେଉଛନ୍ତି ୫/୬ ହଜାର କୋଟି । ୧୦ ଗୁଣରୁ ଅଧିକ ଟଙ୍କା ଓଡ଼ିଶାରୁ ନେଉଛନ୍ତି । ନବାବେଳେ ଚତୁର୍ଭୁଜ, ଦବାବେଳେ ଖାଲି ହାତ ।
ଏଇଟା ପ୍ରଶ୍ନ ପଚାରିଲେ, ରତ୍ନଭଣ୍ଡାର କଥା କହିବେ । କି ଆଉ କିଛି କଥା କହି କଥା ଡାଇଭର୍ଟ କରିବାକୁ ଚେଷ୍ଟା କରୁଛନ୍ତି । କିମ୍ବା ଅଶାଳୀନ ଭାଷାରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ଏହା ଓଡ଼ିଶାବାସୀ ସମସ୍ତେ ଜାଣୁଛନ୍ତି । ୧ ତାରିଖରେ ଏହାର ଦୃଢ଼ ଜବାବ ଦେବେ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ ।