ଭୁବନେଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସମର୍ଥନ ଯୋଗାଡ ଅଭିଯାନରେ ଆଜି ନିଜ ଜନ୍ମମାଟି ଓଡ଼ିଶା ଆସିଛନ୍ତି । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଉଭୟ ବିଜେପି ଏବଂ ବିଜେଡି ନେତୃମଣ୍ଡଳୀ ଭାବୀ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରୁ ପାଛୋଟି ଆଣିଥିଲେ ।

ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ଭବ୍ୟ ଆୟୋଜନ ହୋଇଥିଲା । ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଓ ବାଦ୍ୟଯନ୍ତ୍ରରେ ସେହି ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଠିକ୍ ଦିନ ୧୧ଟାରେ ବିମାନ ବନ୍ଦରରୁ ବାହାରିଥିଲେ ଦ୍ରୌପଦୀ ମୁର୍ମୁ । ତାଙ୍କୁ ପାଛୋଟି ଆଣିବା ପାଇଁ ବିଜେପି ପକ୍ଷରୁ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲା ବେଳେ ବିଜେଡି ପକ୍ଷରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ବାସନ୍ତୀ ହେମ୍ବ୍ରମ୍, ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ସାଂସଦ ଡକ୍ଟର ସସ୍ମିତ୍ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।








