ଜୟ ଜଗନ୍ନାଥ !
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଓ ଆଶୀର୍ବାଦରୁ ମୁଁ ଆଜି ବିଧାନ ସଭାରେ 2026-27 ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଅଛି । ଏହି ବଜେଟ୍ର ସବୁ ବର୍ଗର ଜନସାଧାରଣଙ୍କ ସ୍ୱପ୍ନ, ଆଶା ଓ ଆକାଂକ୍ଷା ପୂରଣ କରିବା ସହ ରାଜ୍ୟକୁ ବିକାଶର ଗତିପଥରେ ତ୍ଵରିତ ବେଗରେ ଅଗ୍ରସର କରାଇବା ଦିଗରେ ସହାୟକ ହେବ । ଆମେ ସମୃଦ୍ଧ ଓଡ଼ିଶା–2036ର ମହାଯାତ୍ରା ଆରମ୍ଭ କରିଛୁ ।
ଏହି ବଜେଟ୍ କେବଳ ଆଗାମୀ ବର୍ଷର ଆୟ–ବ୍ୟୟର ହିସାବ ନୁହେଁ; ଏହା ଏକ ସମୃଦ୍ଧ, ସଶକ୍ତ ଏବଂ ସମାବେଶୀ ଓଡ଼ିଶା ଗଠନ ଦିଗରେ ଏକ ସୁଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପ ଅଟେ । ଗତବର୍ଷ ଜୁନ ମାସରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ Vision 2036 ଓ 2047 ଆମ ପାଇଁ ଏକ ପଥପ୍ରଦର୍ଶକ ଓ ଦୀପଶିଖା ସଦୃଶ ଅଟେ । ଏହି vision କୁ ସାକାର କରିବା ପାଇଁ ଆମେ ଭିତ୍ତିଭୂମି ବିକାଶ, ପୁଞ୍ଜି ନିବେଶ, ନଗର ଉନ୍ନୟନ, ବନ୍ଦର ଭିତ୍ତିକ ବିକାଶ, ଶିଳ୍ପାୟନ, ଏବଂ କୃଷି ଓ ଜଳସେଚନ ଭଳି କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେଇ ଏହି ବଜେଟ୍ ପ୍ରସ୍ତୁତ କରିଛୁ । ଏହାସହିତ, ଶିକ୍ଷା, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ସର୍ବାଙ୍ଗୀନ ବିକାଶ, ତଥା ମହିଳା ଓ ଶିଶୁ କଲ୍ୟାଣକୁ ବିଶେଷ ଗୁରୁତ୍ୱ ଦେବା ସହିତ ସୁଦକ୍ଷ ଜନସେବା ମାଧ୍ୟମରେ ଓଡ଼ିଶାବାସୀଙ୍କ ସାମଗ୍ରିକ ଉନ୍ନତି ପାଇଁ ଆମ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ ।
ଆର୍ଥିକ ବର୍ଷ 2026-27 ପାଇଁ ମୋଟ 3 ଲକ୍ଷ 10 ହଜାର କୋଟି ଟଙ୍କା ବଜେଟ୍ ଅଟକଳ ହୋଇଅଛି, ଯାହାକି ବିଗତ ବର୍ଷର ବଜେଟ୍ ଅଟକଳ ଠାରୁ ପ୍ରାୟ 20 ହଜାର କୋଟି ଟଙ୍କା ଅଧିକ ଅଟେ । ଏହି ବଜେଟ୍ ଅଟକଳ ମଧ୍ୟରୁ 1 ଲକ୍ଷ 80 ହଜାର କୋଟି ଟଙ୍କାର ପ୍ରସ୍ତାବିତ କାର୍ଯ୍ୟକ୍ରମ ବ୍ୟୟ (Programme Expenditure) ମୋଟ ବଜେଟ୍ ଅଟକଳର 58 ପ୍ରତିଶତ ଅଟେ । ଚଳିତ ବଜେଟରେ ଆକଳନ କରାଯାଇଥିବା 72 ହଜାର 100 କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଟକଳ, ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (GSDP)ର 6.5 ପ୍ରତିଶତ ଏବଂ ସମୁଦୟ ବଜେଟର 23.3 ପ୍ରତିଶତ, ଯାହାକି ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧିକ ।
ଆପଣମାନେ ଜାଣିଥିବେ ଯେ, ମଧୁବାବୁ ପେନସନ ଯୋଜନା (MBPY) ଏବଂ NSAP ଯୋଜନାରେ 57 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ବର୍ଦ୍ଧିତ ହାରାରେ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରାଯାଉଛି । ମାତ୍ର, ଦୁଃଖର ସହିତ କହିବାକୁ ପଡୁଛି ଯେ ଆଜି ମଧ୍ୟ ରାଜ୍ୟରେ ୬ ଲକ୍ଷରୁ ଅଧିକ ଯୋଗ୍ୟ ବ୍ୟକ୍ତି ସାମାଜିକ ସୁରକ୍ଷା ପେନ୍ସନରୁ ବଞ୍ଚିତ ଅଛନ୍ତି । ଏହା ରାଜ୍ୟର ବୃଦ୍ଧ ଓ ଅସହାୟ ନାଗରିକମାନଙ୍କ ପ୍ରତି ଏକ ଅନ୍ୟାୟ । ପୂର୍ବତନ ସରକାର ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନେଇନଥିଲେ । ଆପଣମାନେ ଜାଣି ଖୁସି ହେବେ ଯେ, ଆମ ସରକାର ଏହାର ସମାଧାନ ପାଇଁ “ମଧୁବାବୁ ପେନ୍ସନ ଯୋଜନା” ଅଧୀନରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ saturation ମୋଡ୍ରେ ଅନ୍ତର୍ଭୁକ୍ତ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଆମେ ତୁରନ୍ତ ବାଦ ପଡ଼ିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ପେନସନ ପ୍ରଦାନ କରିବୁ ।
ଆମ ସରକାର ମହିଳା ମାନଙ୍କ ମର୍ଯ୍ୟାଦା ଓ ସଶକ୍ତିକରଣ ଏବଂ ଶିଶୁ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ, ଏବଂ ଚଳିତ ବର୍ଷର ବଜେଟ୍ରେ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ 16,152 କୋଟି ଟଙ୍କା ଏବଂ ମିଶନ ଶକ୍ତି କ୍ଷେତ୍ର ରେ 2804 କୋଟି ଟଙ୍କା ଦିଆଯିବା ସହିତ ଅନେକ ପରିବର୍ତ୍ତନକାରୀ ପଦକ୍ଷେପ ମାଧ୍ୟମରେ ଆମର ଦୃଢ ସଂକଳ୍ପ ପ୍ରତିଫଳିତ ହୋଇଛି । ମହିଳା ସଶକ୍ତିକରଣ ଅଧୀନରେ ଆମ ସରକାରଙ୍କ ଏକ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଝିଅ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା । ଏହି ଉଦ୍ଦେଶ୍ୟ ପାଇଁ, ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ନାମରେ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ଦେଉଛି, ଯାହା ଆର୍ଥିକ ଦୁର୍ବଳ ବର୍ଗର ପରିବାରରେ ଜନ୍ମ ହୋଇଥିବା ଝିଅଙ୍କ ନାମରେ ୨୦ ହଜାର ଟଙ୍କାର ଏକ ସଞ୍ଚୟ ଉପକରଣ ସୃଷ୍ଟି କରାଯିବ । ସ୍ନାତକ ସମାପ୍ତ କରିବା ପରେ ତାଙ୍କୁ ୧ ଲକ୍ଷ୧ ଟଙ୍କା ପ୍ରଦାନ କରାଯିବ ।
କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ 42,492 କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ 12.3% ଅଧିକ ଅଟେ ।
“ସମୃଦ୍ଧ କୃଷକ ଯୋଜନା” ଅଧୀନରେ ଧାନ କ୍ରୟ ସୁନିଶ୍ଚିତ କରିବା ପାଇଁ 6,088 କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ଏବଂ ଚାଷୀଙ୍କୁ ସମୟୋପଯୋଗୀ ଦେୟ ପ୍ରଦାନ ପାଇଁ 5,000 କୋଟିର ଟଙ୍କାର ଆବର୍ତ୍ତନ ପାଣ୍ଠି ଗଠନ ପ୍ରସ୍ତାବ ରହିଛି । ଏହା ସହିତ “ଶ୍ରୀ ଅନ୍ନ ଅଭିଯାନ”, “ଫସଲ ବିବିଧୀକରଣ କାର୍ଯ୍ୟକ୍ରମ”, “ବଳଭଦ୍ର ଜୈବିକ ଚାଷ ମିଶନ” ପରି ପଦକ୍ଷେପ ମାଧ୍ୟମରେ ସସ୍ୟ ବିବିଧତା, ପୋଷଣ ସୁରକ୍ଷା ଓ ପରିବେଶ-ମୂଳକ କୃଷିକୁ ପ୍ରୋତ୍ସାହନ ଦିଆଯିବାର ପ୍ରସ୍ତାବ ରହିଛି । ଫସଲର ବିବିଧକରଣ ଉପରେ ଆମେ ସର୍ବାଧିକ ଗୁରୁତ୍ୱ ଆରୋପ କରୁଛୁ । ତୈଳବୀଜ, ଡାଲି ଜାତୀୟ ଫସଲ, ପନିପରିବା ଓ ଫଳ ଆଦି ଚାଷକୁ ପ୍ରୋତ୍ସାହନ ଦ୍ୱାରା ଚାଷୀର ଆୟକୁ ବହୁଗୁଣିତ କରିବା ଆମର ଲକ୍ଷ୍ୟ । ଯାହା ଚାଷୀଙ୍କ ଭବିଷ୍ୟତକୁ ଅଧିକ ସୁରକ୍ଷିତ ଓ ସମୃଦ୍ଧ କରିବ ।
ଭାରତ ସରକାରଙ୍କ ଦ୍ଵାରା ପ୍ରଣିତ ବିକଶିତ ଭାରତ – ରୋଜଗାର ପାଇଁ ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଅଧିନିୟମ, 2025 ଅନୁସାରେ ଭିବି ଜି-ରାମ-ଜି ଯୋଜନା କାର୍ଯ୍ୟକାରୀ ହେବ । କେନ୍ଦ୍ରୀୟ ବଜେଟ୍, 2026-27ରେ ଭିବି ଜି-ରାମ-ଜି ପାଇଁ 95 ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି । ତେଣୁ, ମୁଁ ଗ୍ରାମୀଣ ପରିବାରଙ୍କ ଆୟକୁ ସୁଦୃଢ଼ କରିବା ଲାଗି 125 ଦିନର ରୋଜଗାରର ଗ୍ୟାରେଣ୍ଟି ନିମନ୍ତେ ଏହି ଯୋଜନା ଅଧିନରେ ଆବଶ୍ୟକୀଯ ଅର୍ଥ ବ୍ୟୟ ବରାଦର ପ୍ରସ୍ତାବ ଦେଇଛି । ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଡାଲଖାଇ (DALKHAI) “Dignified Access to Livelihood, Knowledge, Health and Allied Infrastructure” ନାମକ ଏକ ନୂତନ ପ୍ରୟାସ ଆରମ୍ଭ କରିବାକୁ ପ୍ରସ୍ତାବ ରହିଛି । ଏହି ପ୍ରୟାସ ମାଧ୍ୟମରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରି ସ୍ଥାୟୀ ଓ ସୁରକ୍ଷିତ ଜୀବିକା ସୃଷ୍ଟି କରାଯିବ ।






