ଭୁବନେଶ୍ୱର: ଦିବ୍ୟାଙ୍ଗ ହେଲେ ମଧ୍ୟ ହାରି ନାହିଁ ତାଙ୍କ ମନୋବଳ, ଯୁବାବସ୍ଥାରେ ଗୋଡ଼ ହରାଇଥିଲେ ମଧ୍ୟ ପରିବାର ମୁହଁରେ ଆହାର ଯୋଗାଇବାପାଇଁ ଅନେକ ପରିଶ୍ରମ କରୁଛନ୍ତି ସେ, ତାଙ୍କ କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ ସହାୟ ହେଲା ଓଡ଼ିଶା ମୋ ପରିବାର । ସ୍ଵାବଲମ୍ବୀ ହେବାକୁ ଯୋଗାଇ ଦେଲା କୃତ୍ରିମ ଗୋଡ଼ ।
ଏ ହେଉଛି ଜଣେ ଗରିବ ଘରେ ଜନ୍ମିତ, ଛୋଟ ବେଳୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ୨୪ବର୍ଷିୟ ଯୁବକ ବାସୁଦେବ ଶବରଙ୍କ କାହାଣୀ । ଘର ଗଜପତି ଜିଲ୍ଲା ଅନନ୍ତପୁର ଗ୍ରାମରେ, ଛୋଟବେଳୁ, ଅଭାବ ଅନଟନରେ ଦିନ କଟୁଥିଲା ବାସୁଦେବଙ୍କର, ବାପା ଓ ମା’ ଦୁହେଁ ମୂଲ ଲାଗି ଘର ଚଳାଉଥିଲେ, ସେଥିରେ ପୁଣି ଦଣ୍ଡେ ଖାଇ ଦଣ୍ଡେ ଉପାସ ରହୁଥିଲେ । ଏହି ପରିସ୍ଥିତିକୁ ସୁଧାରିବାକୁ ଚେଷ୍ଟା କଲା ବେଳକୁ ଭଗବାନ ବାସୁଦେବଙ୍କଠାରୁ ତାଙ୍କ ଗୋଡ଼ ଛଡେଇ ନେଲେ । ସେ ଅର୍ଥ ଉପାର୍ଜନ କରିବା ପାଇଁ ଦୁରଦେଶକୁ ଯାଉଥିବା ସମୟରେ ଚଳନ୍ତା ଟ୍ରେନ୍ ରୁ ଖସି ପଡ଼ିଥିଲେ, ଯାହା ଫଳରେ ତାଙ୍କ ବାମ ଗୋଡ଼ କଟାଯାଇଥିଲା । ଗୋଟିଏ ଗୋଡ଼ରେ ନିଜ ଦୈନନ୍ଦିନ କାମ କରିବାକୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ଏପଟେ ଘରର ପରିସ୍ଥିତି ସମୟକ୍ରମେ ଜଟିଳ ହୋଇ ଚାଲିଥିଲା। ସବୁ ପରେ ବି, ନିଜେ କିଛି କାମ କରି ପରିବାର ଚଳାଇବାକୁ ଉଦ୍ୟମ ଜାରି ରଖିଥିଲେ । ଏହି ଘଟଣା ସମ୍ପର୍କରେ ଯୁବ ସମାଜସେବୀ(ବିଜୁ ଜନତା ଦଳ)ଅଶ୍ଵିନୀ ସେଠୀ ଜାଣିବା ପରେ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ(ଓଡ଼ିଶା-ମୋ ପରିବାର)ଙ୍କୁ ଖବର ଦେଇଥିଲେ ।
ଠିକ୍ ସେହିପରି, ଯାଜପୁର ଜିଲ୍ଲା ସୁଙ୍ଗୁଡ଼ା ଗ୍ରାମର ୫୦ବର୍ଷିୟ ବ୍ୟକ୍ତି ଗୋଲକ ଚନ୍ଦ୍ର ସାହାଣୀ ମଧ୍ୟ ୧୦ ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ନିଜ ବାମ ହାତ ହରାଇ ଥିଲେ । ବଡ଼ଚଣା ବିଧାୟକ ଶ୍ରୀ ଅମର ଶତପଥି ଘଟଣା ସମ୍ପର୍କରେ ଜାଣିବା ପରେ ସଙ୍ଗେସଙ୍ଗେ ଓଡ଼ିଶା-ମୋ ପରିବାରକୁ ଖବର ଦେଇଥିଲେ ।








