ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଦକ୍ଷିଣାଞ୍ଚଳ ଆରଡିସି ଶ୍ରୀମତୀ ରୂପା ରୋସନ ସାହୁ ଆଜି ସେହି ଗାଁକୁ ଯାଇ ଲୋକଙ୍କୁ ଭେଟିଥିଲେ । ତାଙ୍କ ସାଙ୍ଗରେ ଥିଲେ ଜିଲ୍ଲାପାଳ ଅମ୍ରିତ ଋତୁରାଜ । ଆମ୍ବଟାକୁଆ ସେମାନଙ୍କର ପାରମ୍ପରିକ ଖାଦ୍ୟ ଏବଂ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ରାସନ ଚାଉଳ ମହଜୁଦ ଅଛି ବୋଲି ଉପମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ ଏବଂ ବିଧାୟକ ଦେଇଥିବା ମନ୍ତବ୍ୟରେ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଆରଡିସି ଏବଂ ଜିଲ୍ଲାପାଳଙ୍କୁ ସେମାନଙ୍କ ଆକ୍ରୋଶର ସାମନା କରିବାକୁ ପଡ଼ିଥିଲା । ଗ୍ରାମବାସୀଙ୍କୁ ବୁଝାସୁଝା କରି ସେଠାରୁ ଫେରିଥିଲେ ଆରଡିସି ।
ଆମ୍ବଟାକୁଆ ମୃତ୍ୟୁ ଖବର ଆସିବା ପରଠୁ ବିଭିନ୍ନ ଦଳର ନେତା ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ମାଣ୍ଡିପଙ୍କା ଗାଁକୁ ଯାଇ ବାସ୍ତବତା ଅନୁଧ୍ୟାନ କରିଛନ୍ତି । ଗ୍ରାମବାସୀମାନେ ୩ ମାସର ରାସନ୍ ଚାଉଳ ପାଇ ନ ଥିଲେ । ଅଘଟଣ ଘଟିବା ପରେ ଚଳିତ ମାସ ୨ ତାରିଖରେ ତରବରିଆ ଭାବେ ଚାଉଳ ବଣ୍ଟନ କରାଯାଇଛି । ଲୋକଙ୍କ ରାସନ୍ କାର୍ଡରୁ ଏହା ସ୍ପଷ୍ଟ ହୋଇସାରିଛି । ଆମ୍ବଟାକୁଆ ଜାଉ ସେମାନଙ୍କର ପାରମ୍ପରିକ ଖାଦ୍ୟ ନୁହେଁ । ଅଭାବ ପଡ଼ିଲେ ଏହା ଖାଇବାକୁ ବାଧ୍ୟ ହୋଇଥାନ୍ତି ବୋଲି ଗାଁ ଓ ଅଞ୍ଚଳବାସୀ କହିଛନ୍ତି ।
ମାତ୍ର ଏହି ସତ୍ୟକୁ ଲୁଚାଇବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରଥମରୁ ଉଦ୍ୟମ କରିଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ ଆମ୍ବଟାକୁଆ ସ୍ଥାନୀୟ ଆଦିବାସୀଙ୍କର ପାରମ୍ପରିକ ଖାଦ୍ୟ । ତେଣୁ ଅଭାବ ଯୋଗୁଁ ସେମାନେ ଆମ୍ବଟାକୁଆ ଖାଇନାହାନ୍ତି । ଲୋକଙ୍କୁ ଠିକ୍ ଭାବରେ ରାସନ୍ ଚାଉଳ ଦିଆଯାଇଛି ଏବଂ ସମସ୍ତଙ୍କ ପରିବାରରେ ପର୍ଯ୍ୟାପ୍ତ ଚାଉଳ ମହଜୁଦ ଅଛି ବୋଲି ଯୋଗାଣମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ।
ଯୋଗାଣମନ୍ତ୍ରୀଙ୍କର ଏଭଳି ମିଛ ଓ ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ବିଜେଡି ତାଙ୍କର ଇସ୍ତଫା ଦାବି କରିଛି । ଯୋଗାଣମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି ।








