Saturday, March 14, 2026 02:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନେମ୍ ଚେଞ୍ଜର ନୁହେଁ, ଗେମ୍ ଚେଞ୍ଜର ବଜେଟ୍: ମୋହନ

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ଆଲୋଚନା ଉତ୍ତର

by Our Correspondent
30 Jul, 2024- 11:03 PM
in Latest News, News
1 min read
0
ନେମ୍ ଚେଞ୍ଜର ନୁହେଁ, ଗେମ୍ ଚେଞ୍ଜର ବଜେଟ୍: ମୋହନ

ଭୁବନେଶ୍ୱର: ୨୦୧୪-୨୫ ବଜେଟ୍ ର ସାଧାରଣ ଆଲୋଚନା ଉପରେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିକାଶ, ସୁଶାସନ ଓ ଓଡ଼ିଆ ଅସ୍ମିତା ଉପରେ ଆମ ସରକାର ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ନିଶ୍ଚୟ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିବା ସହ ଏହା ନେମ୍ ଚେଞ୍ଚର ନୁହେଁ, ଗେମ୍ ଚେଞ୍ଜର ବଜେଟ୍ ବୋଲି ବିରୋଧୀ ଦଳ ଉଦେ୍ଦଶ୍ୟରେ ମନ୍ତବ୍ୟ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଉତ୍ତର…

ମାନନୀୟା ବାଚସ୍ପତି ମହୋଦୟା !

ଜୟ ଜଗନ୍ନାଥ !

ମୁଁ ଏହି ପବିତ୍ର ଗୃହରେ ଚଳିତ ମାସ 25 ତାରିଖରେ ବର୍ଷ 2024-25 ର ପୂର୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲି । 29 ତାରିଖ ଠାରୁ ଏହି ବଜେଟ୍ ଉପରେ ସାଧାରଣ ଆଲୋଚନା ଆରମ୍ଭ ହୋଇ ବର୍ତ୍ତମାନ ତା’ର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସାଧାରଣ ଆଲୋଚନାରେ ଉଭୟ ବିରୋଧି ଓ ଶାସକ ଦଳର ମାନ୍ୟବର ସଦସ୍ୟ ମାନେ ଭାଗ ନେଇଛନ୍ତି । ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ଏହି ଆଲୋଚନା ଉପରେ ବର୍ତ୍ତମାନ ମୁଁ ମୋର ଉତ୍ତର ରଖିବି ।
2. ଗତ ନିର୍ବାଚନରେ ନିର୍ଣ୍ଣାୟକ ମତଦାନ କରି ରାଜ୍ୟବାସୀ ଆମକୁ ସରକାର ଗଠନ କରିବାର ସୁଯୋଗ ଦେଇ ଥିବାରୁ ଅଶେଷ ଧନ୍ୟବାଦ । ଓଡିଶାବାସୀ ଲମ୍ବା ସମୟ ଧରି ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଥିଲେ ସେମାନଙ୍କ ଭାଗ୍ୟ ପରିବର୍ତ୍ତନ କରିବା ପାଇଁ। କିନ୍ତୁ ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେଲା ନାହିଁ । ହତାଶ ହୋଇ ଓଡିଶାବାସୀ ସରକାର ପରିବର୍ତ୍ତନ କଲେ। ନିର୍ବାଚନ ପରେ ଏହା ଆମ ସରକାରର ପ୍ରଥମ ପୂର୍ଣାଙ୍ଗ ବଜେଟ । ଏହି ବଜେଟରେ ଆମେ ଏକ ‘ବିକଶିତ ଓଡ଼ିଶା’ ଗଠନର ସ୍ଵପ୍ନକୁ ସାକାର କରିବା ପାଇଁ ଆମେ ପରିବର୍ତ୍ତନ, ବିକାଶ, ସୁଶାସନ ଏବଂ ଓଡିଆ ଅସ୍ମିତା ଉପରେ ଗୁରୁତ୍ଵ ଦେଇଛୁ । ଏହା ଦ୍ଵାରା ଆମେ ଏକ ‘ବିକଶିତ ଭାରତ’ ଗଠନରେ ପ୍ରମୁଖ ଯୋଗଦାନ କରିବା ସହିତ, ଓଡିଶା ଗଠନର ଶହେ ବର୍ଷ ପୂର୍ତ୍ତୀରେ ‘ବିକଶିତ ଓଡ଼ିଶା’ ଗଠନ ପାଇଁ Vision-2036 ର ଏକ ସ୍ପଷ୍ଟ ଖସଡା ପ୍ରସ୍ତୁତି ଦିଗରେ କାର୍ଯ୍ୟ କରୁଛୁ |
3. ଆମ ସରକାର ହେଉଛି ଲୋକଙ୍କ ସରକାର ଏବଂ ଏହି ବଜେଟ୍ ହେଉଛି ଲୋକଙ୍କ ବଜେଟ । ନିର୍ବାଚନୀ ଇସ୍ତାହାରରେ ଆମେ ଓଡ଼ିଶାବାସୀଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲୁ । ଏହି ବଜେଟ ତାର ଏକ ପ୍ରତିଫଳନ । ଏଥିରେ ସାମାଜିକ ନ୍ୟାୟ, ଭିତ୍ତିଭୂମିର ଉନ୍ନତି, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା, ବଞ୍ଚିତଙ୍କ ପାଇଁ ସାମାଜିକ ନିରାପତ୍ତା, ମହିଳା, ଯୁବ ବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ସଂଖ୍ୟାଲଘୁ, ଭିନ୍ନକ୍ଷମ, ତଥା ବରିଷ୍ଠ ନାଗରିକ ମାନଙ୍କ ସଶକ୍ତିକରଣ ମାଧ୍ୟମରେ ସାମୁହିକ ତଥା ଦୃଢ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି ।
4. 2024-25 ଆର୍ଥିକ ବର୍ଷ ପାଇଁ ମୋଟ 2 ଲକ୍ଷ 65 ହଜାର କୋଟି ଟଙ୍କା ବଜେଟ୍ ଅଟକଳ ମଧ୍ୟରୁ କାର୍ଯ୍ୟକ୍ରମ ବ୍ୟୟ 1 ଲକ୍ଷ 55 ହଜାର କୋଟି ଟଙ୍କା ଆକଳନ କରାଯାଇଛି ଯାହାକି 2023-24 ଆର୍ଥିକ ବର୍ଷ ତୁଳନାରେ 24 ପ୍ରତିଶତ ଅଧିକ ଅଟେ। ପୁଞ୍ଜି ବ୍ୟୟ ବାବଦକୁ 58 ହଜାର 1 ଶହ 95 କୋଟି ଟଙ୍କା ଅଟକଳ ହୋଇଛି ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (GSDP) ର 6 ଦଶମିକ 3 ପ୍ରତିଶତ ଅଟେ । ଦେଶର ସମସ୍ତ ପ୍ରମୁଖ ରାଜ୍ୟ ତୁଳନାରେ ଓଡ଼ିଶାର ମୋଟ ବଜେଟରେ ପୁଞ୍ଜି ବ୍ୟୟର ଅନୁପାତ ସର୍ବାଧିକ ଅଟେ ।
5. କେନ୍ଦ୍ର ବଜେଟରେ ମଧ୍ୟ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜି ଖର୍ଛ ଉପରେ ଗୁରୁତ୍ଵ ଦିଆଯାଇଛି । ରାଜ୍ୟ ମାନଙ୍କୁ ପୁଞ୍ଜି ଖର୍ଚ୍ଚ ପାଇଁ ସହାୟତା (SACI) ରାଶିକୁ 1 ଲକ୍ଷ 50 ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିରୁ ଓଡିଶା ପ୍ରାୟ 6 ହଜାର କୋଟି ଟଙ୍କାର ସହାୟତା (50 ବର୍ଷୀୟ ସୁଧ ବିହୀନ ଋଣ) ପାଇବ, ଯାହାକି ଆମେ ଆମର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ଖର୍ଚ୍ଚ କରିପାରିବୁ । ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପୂର୍ବୋଦୟ ଉପରେ ଗୁରୁତ୍ଵ ଦେଇଛନ୍ତି ଏବଂ ଏହି ଯୋଜନାରେ ଓଡିଶାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଆମ ରାଜ୍ୟରେ ପୁଞ୍ଜି ନିବେଶ ଓ ଶିଳ୍ପ ବିକାଶରେ ସହାୟକ ହେବ ।
ମାନ୍ୟବର ବିରୋଧୀ ଦଳ ନେତା ଏହି ବଜେଟକୁ ଏକ “Name Changing Budget” କହିଛନ୍ତି । ଜୁମଲା ବି କହିଛନ୍ତି। କିଏ Name changer ଆଉ କିଏ game changer, ଏଠି ମୁଁ ପ୍ରକୃତ କଥା ରଖିବି ଆଉ ଖୀର ନୀର ଅଲଗା ହେବ। ପୂର୍ବ ସରକାର ଥିଲା ଜୁମଲା ସରକାର। ଭୋଟ ବ୍ୟାଙ୍କ ପାଇଁ ଯୋଜନା କରୁଥିଲେ । ଅନେକ ଯୋଜନା ଆରମ୍ଭ ହୋଇ ବନ୍ଦ ହୋଇଯାଉଥିଲା। ତେଣୁ ଲୋକମାନେ ସେ ସରକାରକୁ ବଦଳାଇ ଦେଲେ। ଆମ ସରକାର ଓଡିଆ ଅସ୍ମିତାର ସରକାର । ସମସ୍ତ ଓଡିଆ ବରପୁତ୍ରଙ୍କୁ ଉଚିତ ସମ୍ମାନ ଦେବା ଆମ ସରକାରଙ୍କର ଏକ ପ୍ରାଥମିକତା । ଅନେକ ଓଡିଆ ବରପୁତ୍ରଙ୍କର ଓଡିଆ ଭାଷା, ଐତିହ୍ୟ, ସଂସ୍କୃତି, ସମାଜ ସେବା, ସ୍ଵାଧୀନତା ସଂଗ୍ରାମ ତଥା ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ବିଶେଷ ଅବଦାନ ରହିଅଛି । ତେଣୁ ଏହି ମହାନ ବରପୁତ୍ରଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ସେମାନଙ୍କ ନାମରେ କେତେକ ଯୋଜନା ନାମିତ କରିବା କଣ ଭୁଲ ? ଯଦି ଜଣକ ନାଁରେ ସମସ୍ତ ଯୋଜନାକୁ ନାମିତ କରିଦେବା ଓ ବରପୁତ୍ର ମାନଙ୍କୁ ଭୁଲି ଯିବା, ତେବେ ତାହା ମଧ୍ୟ ଓଡିଶାର ଅସ୍ମିତା ପ୍ରତି ଆଘାତ ଦେବ। ସହିଦ୍‌ ମାଧୋ ସିଂହ ଙ୍କ ନାଁରେ ଯୋଜନା କରିବା କଣ ଜୁମଲା ? ମାଧୋ ସିଂହ ଙ୍କୁ କେତେ ଲୋକ ଜାଣିଛନ୍ତି। ଓଡିଶା ପ୍ରତି ତାଙ୍କର ଅବଦାନ କଣ ଅଛି, ତାହା ଜାଣିଛନ୍ତି କି ? “ମାଧବ ସିଂହ ବରିହା ବା ମାଧୋ ସିଂହ ଓଡ଼ିଶାର ବରଗଡ଼ ଜିଲ୍ଲାର ଘେଂସ ଅଞ୍ଚଳର ଆଦିବାସୀ ବିଂଝାଲ ଜମିଦାର ଥିଲେ ଏବଂ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ସମ୍ବଲପୁର ବିଦ୍ରୋହରେ ବୀର ସୁରେନ୍ଦ୍ର ସାଏଙ୍କ ଘନିଷ୍ଠ ସହଯୋଗୀ ଥିଲେ । ଡିସେମ୍ବର ୧୮୫୭ରେ କ୍ୟାପ୍ଟେନ୍ ଉଡ (E. G. Wood) ନାଗପୁରରୁ ସମ୍ବଲପୁର ଅଭିମୁଖେ ବାହାରିଥିଲେ । ମାଧୋ ସିଂହ ବିଦ୍ରୋହୀଙ୍କ ସହ ସିଙ୍ଗୋଡା ଘାଟିରେ ତାଙ୍କ ପ୍ରଗତିକୁ ଅଟକାଇ ଥିଲେ ଏବଂ ଅନେକ ବ୍ରିଟିଶ ସୈନିକଙ୍କୁ ହତ୍ୟା କରିଥିଲେ । ଇଂରେଜ୍ ସେନାପତି କ୍ୟାପ୍ଟେନ୍ ଉଡ ପରାସ୍ତ ହୋଇ ପ୍ରାଣବିକଳରେ ପଳାୟନ କରିଥିଲେ । ମାଧୋ ସିଂହ ଅଧିକାଂଶ ସମୟ ଏହି ଘାଟିରେ ରହି ବ୍ରିଟିଶ କବଳରୁ ମୁକ୍ତ ରଖିଥିଲେ । ଇଂରେଜ୍ ପ୍ରଶାସନ ଘେଂସକୁ ପୋଡି ଦେଇଥିଲେ ଓ ମାଧୋ ସିଂହଙ୍କୁ ଗୁପ୍ତଚର ଲଗାଇ ଗିରଫ କରି ବିନା ବିଚାରରେ December 31, 1୮58 ରେ ସମ୍ୱଲପୁରରେ ଫାଶିଖୁଣ୍ଟରେ ଝୁଲାଇ ଦେଇଥିଲେ । ତାଙ୍କ ପୁଅମାନେ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ଏବଂ ନିଜ ଜୀବନ କୁ ବଳିଦାନ ଦେଇଥିଲେ” । ତାଙ୍କ ନାମରେ ଏକ ଯୋଜନା ପ୍ରଣୟନ କରି ଆମେ ସମସ୍ତେ ଗର୍ବିତ ଅନୁଭବ କରିବା ଉଚିତ ।
6. ସେହିପରି ଇଂରାଜୀ ଶବ୍ଦ ବ୍ୟବହାର କରି ନାମିତ ହୋଇଥିବା ଯୋଜନାକୁ ଓଡିଆ ଶବ୍ଦ ଦ୍ଵାରା ନାମିତ କରିବା କଣ ଭୁଲ ? ଉଦାହରଣ ସ୍ୱରୂପ “Chief Minister’s Power Development Programme” କୁ “ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା” ଭାବେ ନାମିତ କରିବା କଣ ଭୁଲ ? ଆମର ଚିର ନମସ୍ୟ ପଞ୍ଚସଖା (ଯଥା : ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, କୃପାସିନ୍ଧୁ ମିଶ୍ର ଏବଂ ଗୋଦାବରୀଶ ମିଶ୍ର) ଙ୍କର ଓଡିଶାର ଶିକ୍ଷା କ୍ଷେତ୍ର ପାଇଁ ଅବଦାନ ଅତୁଳନୀୟ । ସେମାନଙ୍କ ସମ୍ମାନାର୍ଥେ “ମୋ ସ୍କୁଲ” ଯୋଜନାକୁ “ପଞ୍ଚସଖା ଶିକ୍ଷା ସେତୁ ଯୋଜନା” ଭାବେ ନାମିତ କରିବା କଣ ଭୁଲ ?
7. ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତ ଓଡିଆ ଜାତିର ପ୍ରାଣ କେନ୍ଦ୍ର ତଥା “ଓଡ଼ିଆ ଅସ୍ମିତା” ଆମର ପରିଚୟ । ଶ୍ରୀଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ତଥା ଯାତ୍ରୀ ସୁବିଧା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପାଇଁ 5 ଶହ କୋଟି ଟଙ୍କାର କର୍ପସ ପାଣ୍ଠି ତଥା ଓଡ଼ିଆ ଅସ୍ମିତା ପାଇଁ 2 ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ନିମନ୍ତେ ଏହି ବଜେଟରେ ବ୍ୟବସ୍ଥା କରାଯାଇଛି । ଏତଦ୍‌ବ୍ୟତୀତ ଘଟଗାଁ ସ୍ଥିତ ମା ତାରିଣୀ ପୀଠର ପାରିପାର୍ଶ୍ୱିକ ଉନ୍ନୟନ ପାଇଁ 50 କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରହିଛି । ପୂର୍ବ ସରକାର କଣ ଏହା କରିପାରି ନଥାନ୍ତେ ? ଏହା ନ କରି ସମାଲୋଚନା କରିବା ହେଉଛି ତାଙ୍କର ଅସହିଷ୍ଣୁତା।
8. ଓଡିଆ ଭାଷା ଏବଂ ସାହିତ୍ୟର ପ୍ରଚାର ପ୍ରସାରକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓଡିଆ ଭାଷା ବୃତ୍ତି ଯୋଜନାରେ ଅଧିକ ସଂଖ୍ୟକ ହିତାଧିକାରୀଙ୍କୁ ବର୍ଦ୍ଧିତ ପରିମାଣର ରାଶି ଯୋଗାଇ ଦିଆଯିବ । ଏହାବ୍ୟତୀତ, ଐତିହ ସମ୍ପନ୍ନ (ହେରିଟେଜ୍) ବିଦ୍ୟାଳୟ ବିକାଶ ଯୋଜନା ମାଧ୍ୟମରେ 1 ଶହ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ବିଦ୍ୟାଳୟଗୁଡିକର ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଓଡିଆ ଭାଷାର ପ୍ରସାର ପାଇଁ ଆଇନ ପାଠ୍ୟକ୍ରମ, ବୈଷୟିକ ବିଦ୍ୟା ଏବଂ ଭେଷଜ ପାଠ୍ୟକ୍ରମଗୁଡିକ ଓଡିଆ ଭାଷାରେ ଶିକ୍ଷାଦାନ କରାଯିବ । ସତ୍ୟବାଦୀଠାରେ ଥିବା ଓଡିଆ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିଭୂମି ବିକାଶ ପାଇଁ 50 କୋଟି ଟଙ୍କା ପ୍ରସ୍ତାବ ରହିଅଛି ।
ଯଥାର୍ଥ ଉତ୍ତର ଦେବା ମୋର ଧର୍ମ। ମୁଁ କେବଳ ଅର୍ଥ ମନ୍ତ୍ରୀ ନୁହେଁ, ମୁଖ୍ୟମନ୍ତ୍ରୀ ମଧ୍ୟ । ସେଥିରେ ଯଦି ବିରୋଧୀ ଦଳ କକ୍ଷ ତ୍ୟାଗ କରି ଚାଲିଯିବେ, ତେବେ ସେଥିପାଇଁ ମୁଁ ଦୁଃଖିତ।
9. ରାଜ୍ୟରେ ସୁଦୃଢ ସ୍ୱାସ୍ଥ୍ୟସେବା ଭିତ୍ତିଭୁମି ସ୍ଥାପନ କରିବା ସହ ସରକାରୀ ସ୍ତରରେ ସୁଲଭ ମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ସାର୍ବଜନୀନ ଉପଲବ୍‌ଧି ସୁନିଶ୍ଚିତ କରାଇବା ନିମନ୍ତେ ଆମ ସରକାର ପ୍ରତିଶୃତିବଦ୍ଧ । ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବାପାଇଁ ସମୁଦାୟ 21 ହଜାର 2 ଶହ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ଏହା ବିଗତ ବର୍ଷର ବଜେଟ ଆକଳନ ତୁଳନାରେ ପ୍ରାୟ 32 ପ୍ରତିଶତ ଅଧିକ ଅଟେ ଓ ସମୁଦାୟ ରାଜ୍ୟ ବଜେଟର 8 ପ୍ରତିଶତ ଅଟେ । ଏହା ଦ୍ଵାରା ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟର ଆକାର ପଞ୍ଚଦଶ ଅର୍ଥ ଆୟୋଗ ସୁପାରିଶ ସ୍ତରରେ ପହଞ୍ଚି ପାରିଛି ।
10. ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ବିଶ୍ଵର ସର୍ବବୃହତ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା । କିନ୍ତୁ ପରିତାପର ବିଷୟ ହେଉଛି ଯେ ଆଜି ପର୍ଯ୍ୟନ୍ତ ଓଡିଶା ବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରି ରଖାଯାଉଥିଲା । ଆମ ସରକାର ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) ଓ ରାଜ୍ୟର ନିଜସ୍ୱ ଯୋଜନା – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନ ମାଧ୍ୟମରେ ଯୋଗ୍ୟ ପରିବାରମାନଙ୍କୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡ଼ିକରେ ନଗଦ ବିହୀନ (କ୍ୟାଶ ଲେସ) ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାପାଇଁ ବ୍ୟବସ୍ଥା କରାଯାଇଛି । ଏହି ପଦକ୍ଷେପ ଦ୍ଵାରା ଓଡିଶା ବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ପଞ୍ଜୀକୃତ ଦେଶର ସମସ୍ତ 27 ହଜାର ହସପିଟାଲରେ ଚିକିତ୍ସା ସୁବିଧା ମିଳିପାରିବ । ଏଠାରେ ମୁଁ ଉଲ୍ଲେଖ କରିବାକୁ ଚାହେଁ ଯେ ଉତ୍କଳମଣି ଗୋପବନ୍ଧୁ ହେଉଛନ୍ତି ସେବା ଓ ବଳିଦାନର ପ୍ରତୀକ । ତେଣୁ ତାଙ୍କ ନାମରେ “ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା” ନାମିତ ହେବାରେ ଆପଣ ମାନେ ପ୍ରଶ୍ନବାଚୀ କରିବା ଉଚିତ ନୁହେଁ । ସରକାରଙ୍କର ଏହି ନାମକରଣକୁ ଅଗଣିତ ଗୋପବନ୍ଧୁ ପ୍ରେମୀ ପ୍ରଶଂସା କରିଛନ୍ତି । କେହି ବିରୋଧ କରିନାହାନ୍ତି। ବିରୋଧୀ ଦଳ କେବଳ ବିରୋଧ କରିବା ବାହାନାରେ ବିରୋଧ କରୁଛନ୍ତି। ସମାଜର ମୁଖ୍ୟ ସଂପାଦକ ଡଃ ପ୍ରଭାସ ଆଚାର୍ଯ୍ୟ କହିଛନ୍ତି ଯେ ଏହାଦ୍ବାରା ଉତ୍କଳମଣି ଗୋପବନ୍ଧୁଙ୍କୁ ପ୍ରକୃତ ସମ୍ମାନ ଦିଆଯାଇ ପାରିଛି ।
11. ରାଜ୍ୟରେ ଡାକ୍ତରଙ୍କ ଘୋର ଅଭାବକୁ ଦୂର କରିବା, ରାଜ୍ୟର ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଏବଂ ଯୋଗ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ଡାକ୍ତର ଓ ଆନୁଷଙ୍ଗିକ ସ୍ୱାସ୍ଥ୍ୟକର୍ମୀ ମାନଙ୍କର ବ୍ୟାପକ ନିଯୁକ୍ତି ଅଭିଯାନ ଆରମ୍ଭ କରାଯିବ । ଚଳିତ ବର୍ଷ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି 3 ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯିବ । ମେଡିକାଲ କଲେଜ ଓ ହସ୍ପିଟାଲରେ ଅତ୍ୟାବଶ୍ୟକ ଔଷଧ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପକରଣ ଅଭାବରୁ ଯେପରି ସ୍ୱାସ୍ଥ୍ୟ ସେବା ବ୍ୟାହତ ନହୁଏ, ସେଥିପାଇଁ ମେଡିକାଲ କଲେଜ ଗୁଡିକ ପାଇଁ 200 କୋଟି ଟଙ୍କାର କର୍ପସ ପାଣ୍ଠି ର ବ୍ୟବସ୍ଥା କରାଯାଇଛି ।
12. ବ୍ୟକ୍ତିର ବିକାଶର ମୂଳଭିତ୍ତି ରୂପେ ଆମ ସରକାର ଶିକ୍ଷାର ଗୁରୁତ୍ୱକୁ ହୃଦୟଙ୍ଗମ କରନ୍ତି । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଯୁବ ଶକ୍ତିର ବ୍ୟାପକ ବିକାଶ ସୁନିଶ୍ଚିତ କରିବା ନିମିତ୍ତ ଶିକ୍ଷା କ୍ଷେତ୍ର ଲାଗି 2024-25 ଆର୍ଥିକ ବର୍ଷରେ 35 ହଜାର 5 ଶହ 36 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
13. ପ୍ରାଥମିକ ସ୍ତରରେ ପ୍ରତ୍ୟେକ ଛାତ୍ର ପାଇଁ ଶିକ୍ଷାର ମୂଳଦୁଆ ପଡିଥାଏ । ଆମେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଦ୍ୱାରା ଛାତ୍ରକୁ ପରବର୍ତ୍ତୀ ସ୍ତର ପାଇଁ ପ୍ରସ୍ତୁତ କରିପାରିବା । ଏହି ଲକ୍ଷ୍ୟରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନାମକ ଏକ ନୂତନ ଯୋଜନାରେ 50 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ଗୋଦାବରୀଶ ମିଶ୍ର ହେଉଛନ୍ତି ଓଡିଶାର ଜଣେ ବିଶିଷ୍ଟ ଶିକ୍ଷାବିତ । ସିଏ ଓଡିଶାର ଶିକ୍ଷାମନ୍ତ୍ରୀ ଥିଲେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପନ କରି ଥିଲେ । ଏଭଳି ମହାନ ଓଡିଆଙ୍କ ନାମରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନାମିତ ହେବା ତାଙ୍କ ଉଚିତ ସମ୍ମାନ ।
14. ଅନୁସୂଚିତ ଜନଜାତି ସ୍କୁଲ ଡ୍ରପ-ଆଉଟ ହାରକୁ ରୋକିବା ପାଇଁ ଆମର ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ “ମାଧୋ ସିଂହ ହାତ ଖର୍ଚ୍ଚ” ନାମକ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବୁ । ଆମର ଡ୍ରପ ଆଉଟ ହାର ଆଜି ଦେଶରେ ଶୀର୍ଷ ସ୍ଥାନରେ ଅଛି। ଏହି ଯୋଜନାରେ ଅଧିକ ଡ୍ରପ-ଆଉଟ ହେଉଥିବା ଶ୍ରେଣୀରେ ନାମ ଲେଖାଇଥିବା ପ୍ରତ୍ୟେକ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ 5 ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଏହା ଦ୍ୱାରା ଚଳିତ ବର୍ଷ ପ୍ରାୟ 3 ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ । ଏହାଦ୍ବାରା ଡ୍ରପ ଆଉଟ ହାର ବହୁ ପରିମାଣରେ କମିଯିବ। ତେଣୁ ବଜେଟ୍ ଆକଳନ 2024-25 ରେ ଏହି ଯୋଜନା ଅଧିନରେ 1 ଶହ 56 କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ପ୍ରସ୍ତାବ ରହିଛି ।
15. ଏତଦବ୍ୟତୀତ, ବିଦେଶୀ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓ ଡକ୍ଟରେଟ୍ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ “ଓଡ଼ିଆ ଉତ୍ତମ ଛାତ୍ରବୃତ୍ତି” ଯୋଜନା ମାଧ୍ୟମରେ ପ୍ରତିବର୍ଷ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଶତ ପ୍ରତିଶତ ଛାତ୍ରବୃତ୍ତି ପ୍ରଦାନ କରାଯିବ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପାଇଁ 1 ହଜାର 1 ଶହ 70 କୋଟି ଟଙ୍କା ପ୍ରଦାନ କରାଯାଇଛି । PM-SHRI ଓ ଉଚ୍ଚତର ଶିକ୍ଷା ଅଭିଯାନ (USHA) ଆଦି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଗୁଡିକୁ ପୂର୍ବ ସରକାର କାର୍ଯ୍ୟକାରୀ କରୁ ନଥିଲେ। ଆମେ ହଜାର ହଜାକ କୋଟି ଟଙ୍କା ହରାଉଥିଲୁ। ତେଣୁ ନୂଆ ସରକାର ଆସିବା ପରେ ଏସବୁ ଯୋଜନାମାନ କାର୍ଯ୍ୟକାରୀ କରାଯାଇ ସ୍କୁଲ, କଲେଜ ଓ ବିଶ୍ଵବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିର ବିକାଶ କରାଯିବ ।
16. “ମୁଖ୍ୟମନ୍ତ୍ରୀ ଶିକ୍ଷାର୍ଥୀ ପ୍ରୋତ୍ସାହନ ଯୋଜନା” ମାଧ୍ୟମରେ ଯୋଗ୍ୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ନିମିତ୍ତ ଛାତ୍ରବୃତ୍ତି ପ୍ରଦାନ ପାଇଁ 7 ଶହ 1 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଅଛି । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଲାପଟପ୍‌ ବିତରଣ କରିବା ପାଇଁ “ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ” ଯୋଜନା ଅଧିନରେ 54 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି ।
17. ଶିକ୍ଷକମାନେ ହେଉଛନ୍ତି ଶିକ୍ଷା ବ୍ୟବସ୍ଥାର ମୂଳସ୍ତମ୍ଭ । ପ୍ରଥମ ପର୍ଯ୍ୟାୟରେ ଖାଲି ପଡିଥିବା ପ୍ରାୟ 20 ହଜାର ଶିକ୍ଷକ ପଦବୀ ଖୁବ ଶୀଘ୍ର ପୂରଣ କରାଯିବ । ଏତତ୍ ବ୍ୟତୀତ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ପଦବୀ ଗୁଡିକ ପୂରଣ କରିବାପାଇଁ ପଦକ୍ଷେପ ନିଆଯିବ ।
18. “ବିକଶିତ ଓଡ଼ିଶା”ର ପରିକଳ୍ପନାକୁ ସାକାର କରିବାକୁ ଆମେ “ସମୃଦ୍ଧ କୃଷକ ଯୋଜନା” କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଛୁ । ଏହି ଯୋଜନାରେ କୃଷକମାନେ ଆର୍ଥିକ ସହାୟତା ଲାଭ କରି ସଫଳ ଓ ସମୃଦ୍ଧ ହୋଇ ପାରିବେ । ବହୁ ବର୍ଷ ଧରି ଚାଷୀ ମାନଙ୍କର ନିରନ୍ତର ଦାବି ତଥା ମାନ୍ୟବର ବିଧାୟକମାନେ କୃଷକମାନଙ୍କର ଆୟ ବୃଦ୍ଧି ନିମନ୍ତେ ଧାନ କ୍ରୟ ମୂଲ୍ୟ କ୍ଵିଣ୍ଟାଲ ପିଛା ବୃଦ୍ଧି କରିବା ପାଇଁ ଦାବି କରି ଆସୁଥିଲେ । ଆମ ନିର୍ବାଚନ ପ୍ରତିଶୃତି ଅନୁଯାୟୀ ପ୍ରଥମ କ୍ୟାବିନେଟରେ ଆମ ସରକାର ଧାନ କ୍ରୟ ମୂଲ୍ୟ କ୍ଵିଣ୍ଟାଲ ପିଛା 31 ଶହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଯାହା ବର୍ତ୍ତମାନର ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟ (MSP) ଠାରୁ କ୍ୱିଣ୍ଟାଲ ପିଛା 8 ଶହ ଟଙ୍କା ଅଧିକ ହେବ । ଏଥି ପାଇଁ ଆମେ 5 ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତାବ ରଖିଛୁ । ବିଗତ ବର୍ଷ ଗୁଡିକରେ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ରବି ଓ ଖରିଫ ଋତୁକୁ ମିଶାଇ ପ୍ରାୟ 80 ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ କରିଥାଏ । କ୍ଵିଣ୍ଟାଲ ପିଛା 8 ଶହ ଟଙ୍କା ଲେଖା ସହାୟତା ହିସାବକୁ ନେଲେ ମୋଟ ଖର୍ଚ୍ଚର ପରିମାଣ 6 ହଜାର 4 ଶହ କୋଟି ଟଙ୍କା ହେବ । ଯେହେତୁ, 31 ମାର୍ଚ୍ଚ 2025 ସୁଦ୍ଧା ରବି ଫସଲର ଧାନ ସଂଗୃହିତ ହୋଇ ନଥିବ, ତେଣୁ ଏହି ବଜେଟରେ କେବଳ ଖରିଫ ଧାନ ସଂଗ୍ରହ ପାଇଁ ଆବଶ୍ୟକ 5 ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମୁଁ ଏହି ଗୃହକୁ ପ୍ରତିଶ୍ରୁତ୍ତି ଦେବାକୁ ଚାହେଁ ଯଦି ଅତିରିକ୍ତ ଅର୍ଥର ଆବଶ୍ୟକତା ରହେ ଏଥିପାଇଁ ଆମେ ବ୍ୟବସ୍ଥା କରିବୁ ।
19. ଆମ ସରକାର କିପରି ଧାନ ଫସଲ ବ୍ୟତୀତ ଅନ୍ୟାନ୍ୟ ଅର୍ଥକାରୀ ଫସଲ, ଉଦ୍ୟାନ କୃଷି, ଜୈବିକ କୃଷି ଓ ଜଳବାୟୁ ସହନଶୀଳ ଶସ୍ୟ ଉତ୍ପାଦନକୁ ପ୍ରୋତ୍ସାହନ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି । ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ମଣ୍ଡିଆ ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ପାଇଁ ଏହି ବଜେଟରେ 6 ଶହ 49 କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରଖୁଛି । ଏହା ଦ୍ୱାରା ଆଦିବାସୀ ଅଞ୍ଚଳରେ ମଣ୍ଡିଆ ଚାଷୀ ମାନଙ୍କୁ ପ୍ରୋତ୍ସାହନ ମିଳିବ । ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ କରାଯାଇଛି ।
20. ରାଜ୍ୟରେ ଦୈନିକ ଦୁଗ୍ଧ ଉତ୍ପାଦନକୁ ଦ୍ୱିଗୁଣିତ କରିବା ପାଇଁ ଏକ ନୂତନ umbrella ଯୋଜନା -“ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା” କାର୍ଯ୍ୟକାରୀ କରାଯିବ । ବିଭିନ୍ନ ପ୍ରାଣୀ ମଙ୍ଗଳ କାର୍ଯ୍ୟକ୍ରମ ନିମନ୍ତେ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ରହିଛି ।
21. ମାନ୍ୟବର ବିରୋଧୀ ଦଳର ନେତା, ଆମ ସରକାର ତଥା ଭାରତୀୟ ଜନତା ପାର୍ଟି ନିର୍ବାଚନ ବେଳେ ଦେଇଥିବା କେତେଗୁଡିଏ ପ୍ରତିଶ୍ରୁତିର ପରିପାଳନକୁ ନେଇ ସଂଶୟ ପ୍ରକାଶ କରିଛନ୍ତି । କୃଷକ, ମହିଳା, ଅସହାୟ, ବୃଦ୍ଧ, ବିଧବା ଏବଂ ଦିବ୍ୟଙ୍ଗ ମାନଙ୍କ କଲ୍ୟାଣ ତଥା ବିକଶିତ ଓଡିଶା ଗଠନ ପାଇଁ ଆମର ସଂକଳ୍ପ ପ୍ରତି ତାଙ୍କର ସନ୍ଦେହ ନିରର୍ଥକ ଏବଂ ଓଡିଶା ବାସୀ ଦେଇଥିବା ଜନାଦେଶର ଉପହାସ । ଏହା ତାଙ୍କର ହତାସାର ଅଭିବ୍ୟକ୍ତି ।
22. ମହିଳାମାନଙ୍କର ସଶକ୍ତିକରଣ ଓ ଗରିମା ରକ୍ଷା, ଆମ ସରକାରଙ୍କର ଏକ ପ୍ରାଥମିକତା । ଏହି ଉଦ୍ଦେଶ୍ୟରେ ମହିଳା ଓ ଶିଶୁ କଲ୍ୟାଣ କାର୍ଯ୍ୟକ୍ରମ ନିମନ୍ତେ 2023-24 ଆର୍ଥିକ ବର୍ଷର ବଜେଟ୍‌ ଅଟକଳରେ ଥିବା 6 ହଜାର 2 ଶହ 24 କୋଟି ଟଙ୍କାକୁ 3 ଗୁଣା ବୃଦ୍ଧି କରାଯାଇ 2024-25 ଆର୍ଥିକ ବର୍ଷରେ 17 ହଜାର 9 ଶହ 42 କୋଟି ଟଙ୍କା କରାଯାଇଛି । ଆମର ସଂକଳ୍ପ ପତ୍ର ଅନୁଯାୟୀ ପ୍ରଥମ କ୍ୟାବିନେଟ୍ ବୈଠକରେ “ସୁଭଦ୍ରା ଯୋଜନା” ଶୁଭାରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ । ଏହି ଯୋଜନା, ମହିଳାମାନଙ୍କୁ ଉଦ୍ୟୋଗୀ, ସଶକ୍ତ ଓ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାଧୀନ କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବଜେଟ୍ ରେ 10 ହଜାର କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ମୁଁ ଏଠାରେ ସୁଚାଇ ଦେବାକୁ ଚାହେଁ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ଏଥି ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ନିୟମାବଳୀ ପ୍ରସ୍ତୁତ କରୁଛି । ଆମ ପ୍ରତିଶୃତି ଅନୁଯାୟୀ ଆମ ସରକାର ଗଠନର 100 ଦିନ ମଧ୍ୟରେ ଏହି ପ୍ରକ୍ରିୟା ସମାପ୍ତ କରାଯାଇ ହିତାଧିକାରୀ ମାନଙ୍କୁ ଯୋଜନା ମୁତବକ ସୁବିଧା ଯୋଗାଇ ଦିଆଯିବ । ଏହି ବଜେଟରେ ଏଥି ନିମନ୍ତେ 10 ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ଏବଂ ଆବଶ୍ୟକ ହେଲେ ଅତିରିକ୍ତ ବଜେଟରେ ମଧ୍ୟ ବ୍ୟୟ ବରାଦ କରାଯିବ ।
23. ମାନ୍ୟବର ବିରୋଧୀ ଦଳର ନେତାଙ୍କର ଲକ୍ଷପତି ଦିଦି ଯୋଜନା ପ୍ରତି ଥିବା ଭ୍ରାନ୍ତ ଧାରଣାକୁ ମୁଁ ଏହି ଗୃହରେ ଦୂର କରିବାକୁ ଚାହୁଁଛି । ମାନ୍ୟବର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଚାହାନ୍ତି ଯେ, ପ୍ରତ୍ୟେକ ମହିଳା ସଶକ୍ତ ହୁଅନ୍ତୁ, ଏବଂ ଜଣେ ଜଣେ ଉଦ୍ୟୋଗୀ ହୋଇ ନିଜ ପରିବାର ତଥା ଦେଶକୁ ବିକଶିତ କରନ୍ତୁ । ଏହି ମର୍ମରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM) ଅଧୀନସ୍ଥ ଜୀବିକା ସଂଯୋଜନ ପଦକ୍ଷେପଗୁଡିକର ସହାୟତାରେ, ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ମାଧ୍ୟମରେ ସରକାରୀ ଦ୍ରବ୍ୟ ଓ ସେବା ଆହରଣ, ଗୁରୁତ୍ୱପୂର୍ଣ୍ଣ ସରକାରୀ ବ୍ୟବସାୟ ସୃଷ୍ଟି, ଏବଂ ଅଧିକ ଆୟ ଓ ଜୀବିକା ଅର୍ଜନ ସୁଯୋଗ ସୃଷ୍ଟି କରାଯାଇ ଅଧିକ ସଂଖ୍ୟକ “ଲକ୍ଷପତି ଦିଦି” ସୃଷ୍ଟି କରାଯିବ । ଏତଦବ୍ୟତୀତ, ମହିଳାମାନଙ୍କୁ ସୁବିଧାରେ ଋଣ, ମାର୍କେଟ ଲିଙ୍କେଜ, ଉତ୍ପାଦିତ ସାମଗ୍ରୀର ବିପଣନ, ଓ ବ୍ରାଣ୍ଡିଂ ଆଦି ସୁଯୋଗ ଯୋଗାଇ ଦିଆଯାଇ ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ ଓ ଆତ୍ମନିର୍ଭର କରାଯିବ । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇ 2027 ମସିହା ସୁଦ୍ଧା ଆମେ ଓଡ଼ିଶାରେ 25 ଲକ୍ଷ “ଲକ୍ଷପତି ଦିଦି” ସୃଷ୍ଟି କରିବାକୁ ପ୍ରତିବଦ୍ଧ ।
24. ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ “ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ” ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ବିଭିନ୍ନ ବର୍ଗ, ବିଶେଷତଃ ଗରିବ ଓ ଦୁର୍ବଳ, ଲୋକଙ୍କୁ ସାମାଜିକ ନ୍ୟାୟ ନୀତି ମାଧ୍ୟମରେ ସମାନତା ଓ ଅନ୍ତର୍ଭୁକ୍ତିକରଣ ପାଇଁ ଅନେକ ପଦକ୍ଷେପ ନେବାକୁ ଯୋଜନା କରିଛୁ । ଦକ୍ଷତା ବିକାଶ ଓ ଆୟ ସୃଷ୍ଟିକାରୀ ଯୋଜନା ମାଧ୍ୟମରେ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଅନୁସୂଚିତ ଜାତି ସଂପ୍ରଦାୟ ମଧ୍ୟରେ ଦାରିଦ୍ର୍ୟ ହ୍ରାସ କରିବାପାଇଁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନା (ପି.ଏମ୍-ଅଜୟ) କାର୍ଯ୍ୟକାରୀ କରାଯିବ ।
25. ଆମ ପ୍ରତିଶ୍ରୁତି ମୁତାବକ, ପ୍ରଥମ ପର୍ଯ୍ୟାୟରେ 80 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକ ଓ 80 ପ୍ରତିଶତ ବା ତଦୁର୍ଦ୍ଧ୍ଵ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଲାଗି ଉଭୟ ମଧୁବାବୁ ପେନ୍‌ସନ ଯୋଜନା (MBPY) ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ (NSAP) ଅଧୀନରେ ସାମାଜିକ ସୁରକ୍ଷା ଭତ୍ତାକୁ ୧ ହଜାର ଟଙ୍କାରୁ 3 ହଜାର 5 ଶହ ଟଙ୍କାକୁ ବୃଦ୍ଧି କରାଯିବ । ଘୋଷଣାପତ୍ରରେ ଆମେ ଉଲ୍ଲେଖ କରିଥିବା ସମସ୍ତ ସଂକଳ୍ପ ଗୁଡିକୁ ପର୍ଯ୍ୟାୟକ୍ରମେ ପୂରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ଆବଶ୍ୟକତା ଭିତ୍ତିରେ 5 ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କୁ ବର୍ଦ୍ଧିତ ହାରରେ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯିବ ଏବଂ ଏ ବବାଦକୁ ବାର୍ଷିକ ଅତିରିକ୍ତ 1500 କୋଟି ଟଙ୍କା ଖର୍ଚ୍ଚ ହେବ । ଅନ୍ୟ ସମସ୍ତ ହିତାଧିକାରୀମାନଙ୍କୁ ପର୍ଯ୍ୟାୟ କ୍ରମେ ଆମ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତି ମୁତାବକ ସେମାନଙ୍କ ପେନ୍‌ସନ ରାଶି ବୃଦ୍ଧି କରାଯିବ । ସାମାଜିକ ସୁରକ୍ଷା ପେନ୍‌ସନ ପାଇଁ, ଏହି ବଜେଟ୍‌ରେ ମୋଟ 7 ହଜାର 6 ଶହ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ତେଣୁ, ମାନ୍ୟବର ବିରୋଧୀ ଦଳର ନେତାଙ୍କର ଆମ ସରକାରଙ୍କ ନୀତି ଓ ନିୟତକୁ ସମାଲୋଚନା କରିବା ନିରାଧାର ଅଟେ ।
26. ଜନସାଧାରଣ ସମ୍ମାନର ସହ ସାବଲୀଳ ଜୀବନଯାପନ କରିବା ପାଇଁ ଆବଶ୍ୟକୀୟ ସୁବିଧା ଯୋଗାଇଦେବା ପାଇଁ ଆମେ ପ୍ରତିଶୃତି ବଦ୍ଧ । ବାସଗୃହ, ପାନୀୟ ଜଳ, ପରିମଳ, କର୍ମ ନିଯୁକ୍ତି, ଓ ଉତ୍ତମ ପରିବହନ ବ୍ୟବସ୍ଥା ଆମେ ସୁନିଶ୍ଚିତ କରିବୁ । ଆମ ନିର୍ବାଚନ ଇସ୍ତାହାରରେ ଆଗାମୀ 5 ବର୍ଷରେ 15 ଲକ୍ଷ ଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛୁ । ଭାରତ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଆହୁରି ବିସ୍ତାର କରି 3 କୋଟି ଅତିରିକ୍ତ ଗ୍ରାମୀଣ ଏବଂ ସହରାଞ୍ଚଳ ଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହି ଅନୁଯାୟୀ ଆମର ଲୋକଙ୍କ ଆବାସ ଆବଶ୍ୟକତାକୁ ପୂରଣ କରିବା ପାଇଁ କରିବାକୁ ଅତିକମ୍ ରେ 15 ଲକ୍ଷ ଘର ଯୋଗାଇ ଦେବାକୁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଛି । ଚଳିତ ବଜେଟରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୃହ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 6 ହଜାର 7 ସହ 82 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଦିଆଯାଇଛି । ସେହିପରି ପାନୀୟ ଜଳ ଯୋଗାଣ ପାଇଁ ‘ଜଳ ଜୀବନ ମିଶନ’ ରେ 6 ହଜାର କୋଟି ଟଙ୍କାକୁ ମିଶାଇ ମୋଟ 8 ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
27. ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଏହି ବଜେଟରେ ବିଶେଷ ଗୁରୁତ୍ଵ ଦିଆଯାଇଛି । ଶିଳ୍ପ, MSME ଓ ଅନ୍ୟାନ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ଜରିଆରେ ଆଗାମୀ 5 ବର୍ଷରେ 3 ଲକ୍ଷ 50 ହଜାର ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ନିଶ୍ଚିତ ଭାବରେ ପୂରଣ କରାଯିବ। ଏହାବ୍ୟତୀତ, ଖାଲି ପଡ଼ିଥିବା ଦେଢ଼ ଲକ୍ଷ ମୂଳ ସରକାରୀ ପଦବୀକୁ ଆଗାମୀ 5 ବର୍ଷ ମଧ୍ୟରେ ନିରପେକ୍ଷ ଓ ସ୍ୱଚ୍ଛତାର ସହିତ ପୂରଣ କରିବା ପାଇଁ ବ୍ୟାପକ ନିଯୁକ୍ତି ଅଭିଯାନ ହାତକୁ ନିଆଯିବ । ଏଥି ମଧ୍ୟରୁ ପ୍ରଥମ 2 ବର୍ଷରେ ଅନ୍ୟୁନ 65 ହଜାର ପଦବୀ ପୂରଣ କରାଯିବ ।
28. ଉତ୍ତମ ଆର୍ଥିକ ପରିଚାଳନା ଦ୍ୱାରା ହିଁ ଏକ ଉନ୍ନତ ଓ ବିକଶିତ ରାଜ୍ୟ ଗଠନ ସମ୍ଭବପର । ଏହାକୁ ଦୃଷ୍ଟିରେ ରଖି, ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧିନିୟମ, 2005 ରେ ଧାର୍ଯ୍ୟ ସମସ୍ତ ବିତ୍ତୀୟ ସୁଚକାଙ୍କ ସୀମା ମଧ୍ୟରେ 2024-25 ଆର୍ଥିକ ବର୍ଷର ବଜେଟ ପ୍ରସ୍ତୁତ କରାଯାଇଛି । କିଛି ମାନ୍ୟବର ସଦସ୍ୟ ରାଜ୍ୟର ମୁଣ୍ଡ ପିଛା ଋଣ ଉପରେ ଚିନ୍ତା ପ୍ରକଟ କରିଛନ୍ତି । ମୁଁ ଏଠାରେ ଆହୁରି ସୂଚାଇ ଦେବାକୁ ଚାହେଁ ଯେ, ଋଣ ଭାରର ପୋଷଣୀୟତା (Debt Sustainability) ମାପିବା ପାଇଁ ଦୁଇ ଗୋଟି ପରିମାପକର ବ୍ୟବସ୍ଥା କରାଯାଇଛି –
i. ଋଣ ଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ଅନୁପାତ (Debt-GSDP ratio) 25 ପ୍ରତିଶତ ମଧ୍ୟରେ ସୀମିତ ରହିବା ଆବଶ୍ୟକ, ଏବଂ
ii. ସୁଧ ଦେୟ ଓ ରାଜସ୍ୱ ଆୟ (IP/RR ratio) ର ଅନୁପାତ 15 ପ୍ରତିଶତ ମଧ୍ୟରେ ରଖିବା ଆବଶ୍ୟକ ।
29. 2024-25 ବଜେଟ ଆକଳନ ଅନୁଯାୟୀ, ବର୍ଷ ଶେଷରେ ରାଜ୍ୟର Debt-GSDP ratio 13.56 ପ୍ରତିଶତ ଏବଂ IP/RR ratio 2.6 ପ୍ରତିଶତରେ ସୀମିତ ରହିବ । ରାଜସ୍ୱ ବଳକା ସ୍ଥିତି ବଜାୟ ରହିବା ସହ ସମସ୍ତ ଋଣ ପୁଞ୍ଜି ଖର୍ଚ୍ଚ ପାଇଁ ବ୍ୟବହୃତ ହେବ । ଆହୁରି ମଧ୍ୟ ଋଣ ସମ୍ବନ୍ଧରେ ରାଜ୍ୟର ସ୍ଥିତି ଏବଂ Medium Term ରେ କିଭଳି ସ୍ଥିତିରେ ରହିବ, ସେ ବାବଦକୁ ସମସ୍ତଙ୍କ ଅବଗତି ନିମନ୍ତେ ଆମେ “Status Paper on Public Debt” ନାମକ ଏକ ପୁସ୍ତିକା ଏହି ଗୃହରେ ବଜେଟ୍‍ ସହ ଉପସ୍ଥାପନ କରିଛୁ । ତେଣୁ ଏହି ଗୃହ ରାଜ୍ୟର ଋଣ ହାରର ପୋଷଣୀୟତା (Sustainability) ବାବଦକୁ ସନ୍ଦେହ ପ୍ରକାଶ କରିବାର ଆବଶ୍ୟକତା ନାହିଁ ।
30. 2024-25 ବଜେଟକୁ ଶିକ୍ଷାବିତ, ନାଗରିକ ସମାଜ, ଛାତ୍ର, ବ୍ୟବସାୟ ସଂଘ ଇତ୍ୟାଦି କ୍ଷେତ୍ରରୁ ଭୂୟସୀ ପ୍ରଶଂସା ମିଳିଅଛି । ଶ୍ରୀ ପଞ୍ଚାନନ କାନୁନଗୋ ମହାଶୟ, ଯିଏକି BJD ସରକାରଙ୍କର ଅର୍ଥମନ୍ତ୍ରୀ ଥିଲେ, ସେ ମଧ୍ୟ ଏହି ବଜେଟରେ ମୁଖ୍ୟତଃ କୃଷି କ୍ଷେତ୍ର, ପର୍ଯ୍ୟଟନ କ୍ଷେତ୍ର ଓ ଜଗନ୍ନାଥ ମନ୍ଦିର ପାଇଁ ପାଣ୍ଠିର ଉପାଦେୟତା କୁ ପ୍ରଶଂସା କରିଛନ୍ତି । ମୁଁ ବଜେଟ ଉପରେ ଜନସାଧାରଣଙ୍କ କେତେକ ପ୍ରତିକ୍ରିୟାକୁ ଏ ଗୃହରେ ଉପସ୍ଥାପନ କରିବି :
1. ଏହି ବଜେଟ ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବ । : ଶରତ କୁମାର କର, ଶିକ୍ଷାବିତ
2. ଏହି ବଜେଟ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିବ । : ସୌମେନ୍ଦ୍ର ଦାସ, ସହସମ୍ପାଦକ, ସେବାସମିତି
4. ଏହି ବଜେଟ ବିକଶିତ ଓଡିଶା ପାଇଁ ନୂଆ ପଥ । : ସୌମ୍ୟ ରଞ୍ଜନ ସାହୁ, ଛାତ୍ର
5. ଓଡିଆ ଅସ୍ମିତା ପାଇଁ ବଡ ପ୍ୟାକେଜ । : ତନୟା ଦାସ ଗୋସ୍ଵାମୀ, ଶିଶୁ ଅନନ୍ତ ସ୍ମୃତି ସଂସଦ, ବାଲିପାଟଣା
6. ଏହା ଏକ ଲୋକାଭିମୁଖୀ ବଜେଟ । : ପ୍ରମୋଦ କୁମାର ଖୁଣ୍ଟିଆ, ଶିକ୍ଷାବିତ
7. ଯାହା ପ୍ରତିଶୃତି ଦେଇଥିଲେ, ପୂରଣ କରିଛନ୍ତି । : ଆନନ୍ଦ କୁମାର ପୃଷ୍ଟି, ଚାଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ର
8. ଏହି ବଜେଟ ବାସ୍ତବିକ ପ୍ରଶଂସନୀୟ । : ମାନସ ରଞ୍ଜନ ଜେନା, ଶିକ୍ଷାବିତ
9. ଏହି ବଜେଟ ଦୁରଦୃଷ୍ଟିସମ୍ପନ୍ନ ଓ ବାସ୍ତବଧର୍ମୀ ବଜେଟ । : ପ୍ରବୋଧ କୁମାର ହୋତା, ଅବସରପ୍ରାପ୍ତ ପ୍ରଫେସର
10. ଏହି ବଜେଟ ରାଜ୍ୟରେ କୃଷି ଓ କୃଷକଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବ । : ପଞ୍ଚାନନ କାନୁନଗୋ, ପୂର୍ବତନ ଅର୍ଥ ମନ୍ତ୍ରୀ
31. ଏହି ବଜେଟରେ ଆମେ 2036 ମସିହାରେ ଆମ ରାଜ୍ୟକୁ “ବିକଶିତ ଓଡିଶା” ରେ ପରିଣତ କରିବାପାଇଁ ଆଧାର ଶିଳା ସ୍ଥାପନ କରିଛୁ । ତେଣୁ ଏହି ବଜେଟ ଏକ “GAME CHANGER BUDGET” । ଆମେ ଦେଇଥିବା ନିର୍ବାଚନୀ ପ୍ରତିଶୃତି କୁ କାର୍ଯ୍ୟକାରୀ କରିବା ସହିତ ଆର୍ଥିକ ଶୃଙ୍ଖଳା କୁ ବଜାୟ ରଖିବୁ । ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଉପଲବ୍ଧ ସମ୍ୱଳର ସୁବିନିଯୋଗ ନିମନ୍ତେ ଏ ବଜେଟ୍‌ ରେ ଅର୍ଥ ବ୍ୟବସ୍ଥା କରାଯାଇଛି । ତେଣୁ ଏହି ବଜେଟକୁ “ଜୁମଲା” ବୋଲି ଆଖ୍ୟାୟିତ କରିବା କେତେଦୂର ସମୀଚୀନ ? ଏହା “ଜୁମଲା” ବଜେଟ ନୁହେଁ, ବରଂ ଏହା ଏକ ଜନକଲ୍ୟାଣକାରୀ, ବାସ୍ତବବାଦୀ ଓ ଯୁଗାନ୍ତକାରୀ ବଜେଟ ଅଟେ । ସେଥିପାଇଁ ବୋଧେ ବିରୋଧୀ ଦଳ ଅସହିଷ୍ଣୁ ହୋଇ କକ୍ଷ ତ୍ୟାଗ କଲେ।
32. ବିଗତ ସରକାର ଅନେକ ଯୋଜନା ଓ ପ୍ରକଳ୍ପ ପାଇଁ କୌଣସି ଅର୍ଥ ବରାଦ ନ କରି କେବଳ ଘୋଷଣାରେ ସୀମିତ ରଖିଥିଲେ। ସବୁ ପ୍ରକଳ୍ପକୁ ବିଶ୍ବସ୍ତରୀୟ କରିବେ ବୋଲି କହି ଓଡିଶାବାସୀଙ୍କୁ ଜୁମଲା ଦେଖାଇ ଚାଲିଥିଲେ। ବିଶ୍ବସ୍ତରୀୟ ନୂଆ ବାରବାଟୀ ଷ୍ଟାଡିଅମ ନିର୍ମାଣ ପାଇଁ ଘୋଷଣା କରିଥିଲେ। ଏହା ଜୁମଲାର ଏକ ବିରାଟ ନିଦର୍ଶନ । ମୋଦୀଜୀଙ୍କ ସରକାର ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଥିଲେ। ମାତ୍ର ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଶଙ୍ଖ ଚିହ୍ନ ଲଗାଇ ଲୋକଙ୍କୁ ବ୍ୟାଗ ଯୋଗାଇ ଦେବା କଣ ଥିଲା ? ତା ଥିଲା ଏକ ବଡ ଜୁମଲା । ୫-ଟି ସ୍କୁଲ ରୂପାନ୍ତର ନାଁରେ କୋଟି କୋଟି ଟଙ୍କା ବରବାଦ କରି ରାଜ୍ୟଯାକର ସ୍କୁଲକୁ ସବୁଜ ରଙ୍ଗରେ ରଙ୍ଗେଇବାର ଅର୍ଥ କଣ ? ଏଥିରୁ ଓଡିଶାର ଛାତ୍ରଛାତ୍ରୀ ପାଇଲେ କଣ ? ଏବେ ଓଡିଶାର ଡ୍ରପ ଆଉଟ ହାର ସବୁଠାରୁ ଅଧିକ। ଏହା ବି ଥିଲା ଏକ ବିରାଟ ଜୁମଲା । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଆ ଜାତିର ଆରାଧ୍ୟ ଦେବତା। କିନ୍ତୁ ମନ୍ଦିରର ମାତ୍ର ଗୋଟିଏ ଦ୍ବାର ଖୋଲା ରଖି ବାରି ତିନି ଦ୍ବାର ବନ୍ଦ ରଖି ଭକ୍ତ ଓ ଭଗବାନଙ୍କ ଭିତରେ ପ୍ରାଚୀର ସୃଷ୍ଟି କରିବା କଣ ଥିଲା ? ଯଦି ଭକ୍ତ ଓ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ସୁରୁଖୁରୁରେ ଦର୍ଶନ ନ କରିପାରିବେ, ତାହା କଣ ଏକ ଜୁମଲା ନୁହେଁ ?
33. ପି.ଏମ୍‌ ଆବାସ ଯୋଜନାରେ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଘର ଦେଇଥିଲେ । ୨୦୨୩-୨୪ ଆର୍ଥିକ ବର୍ଷରେ ୯.୫୭ ଲକ୍ଷ ଘର ଯୋଗାଇ ଦେଇଥିଲେ। ଅନ୍ୟ ରାଜ୍ୟ ତୁଳନାରେ ଓଡିଶାକୁ ଅଧିକ ଘର ଦେଇଥିଲେ। କିନ୍ତୁ ସେମାନେ ପି.ଏମ୍‌ ଆବାସରେ ଚଞ୍ଚକତା କରି ଦଳୀୟ ଷ୍ଟିକର ମାରିବା କଣ ଜୁମଲା ନୁହେଁ କି ? କାଳିଆ ଯୋଜନାରେ ମଧ୍ୟ ୧୦ ହଜାର ଟଙ୍କା ଦେବେ ବୋଲି କହିଥିଲେ। କିନ୍ତୁ ତାଙ୍କ ସରକାର ଆଉଥରେ ଆସିଯିବା ପରେ କେବଳ ଅକ୍ଷୟ ତୃତୀୟା, ନୂଆଖାଇ ଆଦି ପର୍ବରେ ମଝିରେ ମଝିରେ ସହାୟତା ଦେବା ଆରମ୍ଭ କଲେ। ଏହା କମ ଜୁମଲା ନୁହେଁ କି ? ପିଠା ଯୋଜନା କୁଆଡେ ଗଲା ? ଜାଗା ମିଶନକୁ କହୁଥିଲେ ବିଶ୍ବର ସବୁଠାରୁ ବୃହତ ସଫଳ ଯୋଜନା। କିନ୍ତୁ କାହିଁ ସେ ଯୋଜନା ? ଏହା ହେଉଛି ବିଶ୍ବର ସବୁଠାରୁ ବିଫଳ ଯୋଜନା । ପଦ୍ମପୁରକୁ ନୂତନ ଜିଲ୍ଲା କରିବା କୁଆଡେ ଗଲା ? ଏହା କଣ ଏକ ମସ୍ତବଡ ଜୁମଲା ନୁହେଁ କି ? କୁଲଟା, ଭୁଲିଆ, ଅଗ୍ରିଆ ଆଦି ସମାଜକୁ ଜାଗା ଦେବେ ବୋଲି କହିଥିଲେ। କୁଆଡେ ଗଲା ସେ ଜାଗା ? କିଏ ଜୁମଲା, କିଏ Name changer, ଲୋକେ ସବୁ ଜାଣିଛନ୍ତି ।
34. ନୂଆ ଓଡିଶା ଗଠନର ଆମର ଯେଉଁ ଚିନ୍ତାଧାରା ଅଛି, ୨୦୩୬ରେ ବିକଶିତ ଓଡିଶାର ସ୍ବପ୍ନ ପୂରଣ ପାଇଁ ଆମର ଯେଉଁ ଲକ୍ଷ୍ୟ ଅଛି, ସେଥିପାଇଁ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆଗେଇ ଆସନ୍ତୁ। ବିକାଶିତ ଭାରତରେ ଓଡିଶା ରହିବ ପ୍ରଥମ ସ୍ଥାନରେ। ଆମ ପାଖରେ ଯେଉଁ ୧୨ ବର୍ଷ ସମୟ ଅଛି, ଏଥିରେ ଏହି ୫ ବର୍ଷରେ ମୂଳଦୁଆ ପଡିବ। ବିକାଶ, ସୁଶାସନ ଓ ଓଡିଆ ଅସ୍ମିତା ଉପରେ ଆମ ସରକାର ଯେଉଁ ପ୍ରତିଶ୍ରୁତି ଦେଇଛି ତାହା ନିଶ୍ଚୟ ପୂରଣ ହେବ।
35. ଏହାକୁ ଗୃହର ଅନୁମୋଦନ ଦେବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।
ଧନ୍ୟବାଦ
ଜୟ ହିନ୍ଦ
ବନ୍ଦେ ଉତ୍କଳ ଜନନୀ

Previous Post

କିଟ୍‍ ବିଶ୍ୱବିଦ୍ୟାଳୟକୁ ଜାତିସଂଘର ସ୍ୱତନ୍ତ୍ର ମାନ୍ୟତା

Next Post

ମମତା ମହନ୍ତଙ୍କୁ ମନାଇଦେଲା ବିଜେପି !

Next Post
ମମତା ମହନ୍ତଙ୍କୁ ମନାଇଦେଲା ବିଜେପି !

ମମତା ମହନ୍ତଙ୍କୁ ମନାଇଦେଲା ବିଜେପି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA