ଭୁବନେଶ୍ୱର: ସମସ୍ତଙ୍କ ପାଇଁ ଥିଲା ନିଆରା ଅନୁଭବ । ସ୍ଥାନୀୟ ଭଞ୍ଜ କଳାମଣ୍ଡପରେ ଖଚାଖଚ ଭିଡ଼ । ଦର୍ଶକଙ୍କ ମଧ୍ୟରେ ଥିଲେ ବହୁ ସାରସ୍ୱତ ସାଧକ, ନେତା, ପ୍ରଶାସକ, ସାମ୍ବାଦିକ ତଥା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି । ସଂଧ୍ୟା ଠିକ୍ ୬ଟା ୧୮ ମିନିଟ୍ ରେ ରେ ଆରମ୍ଭ ହେଲା କାର୍ଯ୍ୟକ୍ରମ । ତେବେ ମଞ୍ଚ ଉପରେ ବସିବାକୁ ଚେୟାର ଖଣ୍ଡେ ନ ଥିଲା କି ଭାଷଣ ମାରିବାକୁ ଅତିଥି ନ ଥିଲେ । କେବଳ ପଛରେ ଥିଲା ପରଦା । ସେହି ପରଦାରୁ ବାହାରି ଆସୁଥିଲା ‘ସାଇତା ସତ’ ର ଗୋଟେ ପରେ ଗୋଟେ ପକ୍ତିଂ । ଭାସି ଆସୁଥିଲା ସ୍ରଷ୍ଟା(ନାୟକ)ଙ୍କ ସ୍ୱର । ଯେଉଁ ସ୍ୱରରେ ଥିଲା ସୃଜନତାର ଶିହରଣ ।
ଦ୍ୱିତୀୟ ଭାଗରେ ଦେଖିବାକୁ ମିଳିଥିଲା ସଙ୍ଗୀତର ମୂର୍ଚ୍ଚନା । ବାହାରେ ତୁହାକୁ ତୁହା ବର୍ଷା ବେଳକୁ ଭିତରେ ‘ବେହାଲ୍ ବର୍ଷା’ ରେ ଦର୍ଶକଙ୍କୁ ଭିଜାଉଥିଲେ ସେହି ଅନନ୍ୟ ସ୍ରଷ୍ଟା । ମଞ୍ଚ ଉପରେ ନାୟକଙ୍କ ଆଗମନକୁ ଦର୍ଶକ ଚାହିଁ ବସିଥିବା ବେଳେ ନାୟକ କିନ୍ତୁ ଅନ୍ତର୍ଦ୍ଧାନ ଥିଲେ । ପରଦାରେ ବସି ସଙ୍ଗୀତର ମୂର୍ଚ୍ଛନା ତୋଳୁଥିଲେ । ବେଶ୍ ରୋମାଣ୍ଟିକ୍ ଭାବ ସାଙ୍ଗକୁ ଉଦାସ ଚେହେରାରେ ସମସ୍ତଙ୍କ ମନ ଟାଣି ନେଉଥିଲେ । ତାଙ୍କ ବେହାଲ ବର୍ଷାରେ ଦର୍ଶକ ହୋଇଯାଇଥିଲେ ମତୁଆଲା ।








