ଭୁବନେଶ୍ୱର: ବିଜେଡି ଛାଡ଼ିଥିବା କଟକିଆ ଛାତ୍ରନେତା ହରିଶଙ୍କର ରାଉତଙ୍କୁ କଂଗ୍ରେସ ଆପଣାଇଛି । ରବିବାର ଦିନ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆୟୋଜନରେ କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଏଆଇସିସି ସଂଗଠନ ସମ୍ପାଦକ କେସି ବେଣୁଗୋପାଳ, ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ, ସହ ପ୍ରଭାରୀ ଶାହନୱାଜ ଚୌଧୁରୀଙ୍କ ସମେତ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାସ ଏବଂ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ହରିଶଙ୍କର ଏବଂ ତାଙ୍କ ସମର୍ଥକମାନେ କଂଗ୍ରେସରେ ମିଶିଛନ୍ତି ।
ରୋଚକ କଥା ହେଉଛି, ବିଜେଡିରୁ ଆମଦାନୀ କଟକିଆ ନେତାଙ୍କ ମିଶ୍ରଣ ପର୍ବରେ କଂଗ୍ରେସର କୌଣସି କଟକିଆ ନେତାଙ୍କୁ ଦେଖିବାକୁ ମିଳିନାହିଁ । କଟକରେ କଂଗ୍ରେସ ବୋଲେ ମହମ୍ମଦ ମୋକିମ୍ ଙ୍କୁ ବୁଝାଉଥିବା ବେଳେ ସେ କିମ୍ବା ତାଙ୍କ ଝିଅ କଟକ ବାରବାଟୀର ବିଧାୟିକା ସୋଫିଆ ଫିରଦୋଷଙ୍କ ଅନୁପସ୍ଥିତି ଅଧିକ ଚର୍ଚ୍ଚାର ବିଷୟ ହୋଇଛି ।
କହିବା ବାହୁଲ୍ୟ ଯେ ବିଜେଡିରୁ ଆସିଥିବା ହରିଶଙ୍କରଙ୍କର ପରିଚୟ ସେମିତିରେ କଟକ ଭିତରେ ସୀମିତ । ବିଜେଡି ଛାମୁଆ ସଂଗଠନରେ ସେ ରାଜ୍ୟ ପଦାଧିକାରୀ ଥିଲେ ମଧ୍ୟ ତାଙ୍କୁ କଟକିଆ ଛାତ୍ରନେତା ଭାବେ ଗଣାଯାଏ । ରାଜ୍ୟସ୍ତରରେ ତାଙ୍କର ଜମାରୁ କାଟତି ନାହିଁ ।
କଂଗ୍ରେସ ମହଲର ସୂଚନା ଅନୁଯାୟୀ, ବିଜେଡି ରାଜ୍ୟ ଛାତ୍ର ସଭାପତି ପୂର୍ବ ଆଶାୟୀ ହରିଶଙ୍କରଙ୍କ ଉପରେ ଭକ୍ତ ଦାସ ବହୁ ପୂର୍ବରୁ ଆଖି ରଖିଥିଲେ । ବିଜେଡିରୁ ହରିଶଙ୍କର ନିରାଶ ହେଲା ପରେ ସେ ତାଙ୍କ ଇଚ୍ଛାକୁ ସାକାର କରିଛନ୍ତି । ହରିଶଙ୍କରଙ୍କୁ କଂଗ୍ରେସକୁ ଆଣି ଭକ୍ତ ଭାବିଛନ୍ତି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବେ । କାଳେ ମହମ୍ମଦ ମୋକିମ୍ ଙ୍କୁ ପାନେ ଦେବେ ଏବଂ ଯୁବ ଚେହେରା ଦୃଷ୍ଟିରୁ ସୋଫିଆଙ୍କୁ ହରିଶଙ୍କର ମୁକାବିଲା କରିବେ ।
ମୋକିମ୍ ଙ୍କ ନାଁ ଶୁଣିଲେ ଭକ୍ତଙ୍କର ନାହି ଡେଉଁଥିବା କଂଗ୍ରେସ ମହଲରେ ସମସ୍ତଙ୍କୁ ଜଣା । ପିସିସି ସଭାପତି ଦାୟିତ୍ୱ ନେବା ପରଠାରୁ ମୋକିମ୍ ଙ୍କୁ ସାଇଜ୍ କରିବା ତାଙ୍କର ପ୍ରାଥମିକତା ରହି ଆସିଛି । କେବଳ କଟକ ନୁହେଁ, କଂଗ୍ରେସ ରାଜନୀତିରେ ସୋଫିଆଙ୍କର ଲୋକପ୍ରିୟତାରେ ଭକ୍ତ ବିଚଳିତ ଅଛନ୍ତି । କଟକରେ ହରିଶଙ୍କର କୁଆଡ଼େ ସୋଫିଆଙ୍କ ଲୋକପ୍ରିୟତା ଛଡ଼ାଇ ଆଣିବେ ବୋଲି ତାଙ୍କର ପରାମର୍ଶଦାତା ବୁଝାଇଛନ୍ତି ।
ଭକ୍ତଙ୍କର ଏହି ଅଭିଳାଷକୁ ଜାଣିଥିବା କଂଗ୍ରେସ କର୍ମୀମାନେ ମୁହଁରେ ରୁମାଲ୍ ଦେଇ ହସୁଛନ୍ତି । କାହିଁ ରାମ କାହିଁ ରାମିଆ ଭଣ୍ଡାରି.. ଓଡ଼ିଆ ଢ଼ଗ ବୋଲି ଭକ୍ତଙ୍କୁ ଆକ୍ଷେପ କରୁଛନ୍ତି ।
ଉଲ୍ଲେଖଥାଉକି, ବଲାଙ୍ଗୀରରେ ନରସିଂହ ମିଶ୍ର ଏବଂ ତାଙ୍କ ପୁଅଙ୍କୁ ସଫା କରିବା ପାଇଁ ଭକ୍ତ ଦାସଙ୍କ ଗୋଟିଚାଳନା ପୂର୍ବରୁ କଂଗ୍ରେସରେ ଚର୍ଚ୍ଚାର ବିଷୟ ହୋଇଥିଲା । ସାମ୍ବାଦିକରୁ ଅଚାନକ ନେତା ବନିଥିବା ଅରବିନ୍ଦ ଦାସଙ୍କୁ କଂଗ୍ରେସକୁ ଆଣି ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ନରସିଂହଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କ ଜାଗାରେ ଅରବିନ୍ଦ ଦାସଙ୍କୁ ବଲାଙ୍ଗୀରରୁ ପ୍ରାର୍ଥୀ କରିବା କୁଆଡ଼େ ତାଙ୍କର ଯୋଜନା ରହିଛି ।
ପିସିସି ସଭାପତିଙ୍କର ତଥାକଥିତ କାର୍ଯ୍ୟକଳାପକୁ ଦଳର ବରିଷ୍ଠ ନେତାମାନେ ନାପସନ୍ଦ କରିଛନ୍ତି । ଦୁର୍ବଳ କଂଗ୍ରେସ ସଂଗଠନକୁ ସଜାଡ଼ିବା ପରିବର୍ତ୍ତେ ଦଳୀୟ ଶତ୍ରୁମାନଙ୍କୁ ଦମନ ଯୋଜନା କଂଗ୍ରେସକୁ ଆହୁରି ମହଙ୍ଗା ପଡ଼ିବ ବୋଲି ସେମାନେ ସତର୍କ କରାଇଛନ୍ତି । ଏମିତି ଚାଲିଲେ ଭକ୍ତ ଦାସ ଆଗ ନିଜେ ସଫା ହୋଇଯିବେ ବୋଲି ସେମାନେ କହିଛନ୍ତି ।
ତେବେ ଏ ସମ୍ପର୍କରେ ଭକ୍ତଙ୍କର ପ୍ରତିକ୍ରିୟା ମିଳିନାହିଁ ।







