ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୁରେଶ ପୂଜାରୀ । ଆଜି ରାତିରେ ଅନୁଷ୍ଠିତ ହେବାକୁ ଥିବା ସଂସଦୀୟ ବୋର୍ଡ ବୈଠକରେ ତାଙ୍କ ନାଁ ଉପରେ ମୋହର ବାଜିପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଆସନ୍ତାକାଲି ବିଧାୟକ ଦଳ ବୈଠକରେ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ଚୟନ ହୋଇ ନାଁ ଘୋଷଣା ହେବ ।
ଏହି ସୂତ୍ରର ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପଦବୀ ଦୌଡ଼ରେ ସବା ଆଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଥିଲେ ମଧ୍ୟ ଜାତୀୟ ରାଜନୈତିକ ଦୃଶ୍ୟପଟରେ ତାଙ୍କର ଭୂମିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିକ ଗୁରୁତ୍ୱ ଦେଉଛନ୍ତି । ତେଣୁ ତାଙ୍କୁ ଓଡ଼ିଶା ନ ପଠାଇବାକୁ ଏକପ୍ରକାର ମନସ୍ଥିର କରିଛନ୍ତି । ଏଭଳି ସ୍ଥଳେ ଦଳର ବରିଷ୍ଠ ନେତା ତଥା ବ୍ରଜରାଜନଗରର ବିଧାୟକ ସୁରେଶ ପୂଜାରୀଙ୍କ ନାଁ ବିଚାର କରାଯାଉଛି । ଆଜି ମୋଦୀ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ ।
ଇତିମଧ୍ୟରେ, ହାଇକମାଣ୍ଡଙ୍କଠାରୁ ଡକରା ପାଇ ସୁରେଶ ପୂଜାରୀ ଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ରାତିରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ତାଙ୍କର ଆଲୋଚନା କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।