ଭୁବନେଶ୍ୱର: ଓଡ଼ିଆ ଚଳଚିତ୍ର ଜଗତର ବାଦଶାହା ଉତ୍ତମ ମହାନ୍ତି ଆଉ ଇହ ଜଗତରେ ନାହାନ୍ତି । ଲିଭର୍ ସୋରିସିସ୍ ରୋଗରେ ପୀଡ଼ିତ ଏହି ପ୍ରସିଦ୍ଧ କଳାକାର ତଥା ସମସ୍ତଙ୍କର ଅତିପ୍ରିୟ “ଉତ୍ତମ ଭାଇ’ ଗୁରୁବାର ସଂଧ୍ୟାରେ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ୍ ରେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୬୬ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।
କିଛି ଦିନ ତଳେ ଭୁବନେଶ୍ୱରରେ ଏକ ଫିଲ୍ମ ସୁଟିଂ ବେଳେ ଉତ୍ତମ ମହାନ୍ତି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କିଛି ଦିନ ରହିଲା ପରେ ଭଲ ହୋଇ ଘରକୁ ଫେରିଥିଲେ । ମାତ୍ର ପୁଣି ଥରେ ଦେହ ଖରାପ ହେବାରୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଇଥିଲା । ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ଡାକ୍ତରମାନଙ୍କ ପରାମର୍ଶକ୍ରମେ ତାଙ୍କୁ ଏୟାରଲିଫ୍ଟ କରାଯାଇ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ କୁ ନିଆଯାଇଥିଲା । ଦୂରାରୋଗ୍ୟ ଲିଭର ସୋରିସିସ୍ ରୋଗରେ ସେ ଆକ୍ରାନ୍ତ ଥିଲେ ଏବଂ ତାଙ୍କ ଅବସ୍ଥା ସୁଧୁରିବା ବଦଳରେ ଦିନକୁ ଦିନ ଆହୁରି ଖରାପ ହୋଇପଡ଼ିଥିଲା । ତାଙ୍କୁ ବଞ୍ଚାଇ ରଖିବା ପାଇଁ ଡାକ୍ତରମାନେ ବହୁ ଉଦ୍ୟମ କରିଥିଲେ ମଧ୍ୟ ଗୁରୁବାର ସଂଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ଉତ୍ତମ ମହାନ୍ତି ଜଣେ କିମ୍ବଦନ୍ତୀ ସିନେ କଳାକାର । ଏକଦା ଓଡ଼ିଆ ଚଳଚିତ୍ର ଜଗତରେ ହୀରୋ କହିଲେ ଉତ୍ତମ ମହାନ୍ତିଙ୍କୁ ହିଁ ବୁଝାଯାଉଥିଲା । ସେ ଥିଲେ ଓଡ଼ିଆ ଚଳଚିତ୍ର ଜଗତର ପ୍ରଥମ ସୁପରଷ୍ଟାର । ୧୯୭୭ ମସିହାରେ ଅଭିମାନ ଚଳଚିତ୍ରରୁ କ୍ୟାରିୟର୍ ଆରମ୍ଭ କରିଥିବା ଉତ୍ତମ ମହାନ୍ତି ୧୫୦ ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଛନ୍ତି । ନିଝୁମ ରାତିର ସାଥୀ(୧୯୭୯), ଫୁଲ ଚନ୍ଦନ(୧୯୮୨), ଦଣ୍ଡା ବାଳୁଙ୍ଗା(୧୯୮୪) ଫିଲ୍ମ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲା । ଲୋକପ୍ରିୟ ଟିଭି ସିରିଏଲ୍ ସାରା ଆକାଶରେ ମଧ୍ୟ ସେ ଅଭିନୟ କରିଥିଲେ । ଏଥିସହ ୩୦ ଟି ବଙ୍ଗଳା ଚଳଚିତ୍ରରେ ସେ ତାଙ୍କ ଅଭିନୟର ସ୍ୱାକ୍ଷର ଛାଡ଼ିଛନ୍ତି ।
୧୯୯୯ ମସିହାରେ ତାଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ମିଳିଥିଲା । ୨୦୧୨ ରେ ଓଡ଼ିଶା ଲିଭିଂ ଲିଜେଣ୍ଡ ସମ୍ମାନ ଏବଂ ବହୁଥର ରାଜ୍ୟ ଚଳଚିତ୍ର ପୁରସ୍କାରରେ ସେ ସମ୍ମାନିତ ହୋଇଥିଲେ ।
ଉତ୍ତମ ମହାନ୍ତି କେବଳ ଜଣେ ଦକ୍ଷ ଓ ପ୍ରତିଭାବାନ ଅଭିନେତା ନ ଥିଲେ । ଜଣେ ଭଲ ମଣିଷ ଭାବେ ସେ ସମସ୍ତଙ୍କ ହୃଦୟରେ ରହିଛନ୍ତି ଏବଂ ରହିବେ । ଜଣେ ସରଳ, ନିଷ୍କପଟ ଏବଂ ବିଶାଳ ହୃଦୟର ମଣିଷ ଥିଲେ । ତାଙ୍କର ବ୍ୟକ୍ତିତ୍ୱ ଓ ଆଚାର ବ୍ୟବହାର ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଥିଲା । ସାନବଡ଼ ସମସ୍ତଙ୍କୁ ସେ ଭଲ ପାଉଥିଲେ ଏବଂ ସମ୍ମାନ ଦେଉଥିଲେ । ତାଙ୍କ ବ୍ୟକ୍ତିତ୍ୱର ଏହି ଅନନ୍ୟ ଦିଗଟି ସାଧାରଣ ଜୀବନରେ ତାଙ୍କୁ ବହୁ ଉପରେ ରଖିଥିଲା ।
ପତ୍ନୀ ଅପରାଜିତା ମହାନ୍ତି ଏବଂ ପୁଅ ବାବୁସାନ ଚଳଚିତ୍ର ଜଗତର ବହୁ ବଡ଼ ଚେହେରା ।
ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତାଙ୍କ ସମେତ ରାଜନୀତି, ସାମାଜିକ ଏବଂ ଚଳଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଉତ୍ତମ ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି । ଆସନ୍ତାକାଲି ସକାଳେ ତାଙ୍କ ମରଶରୀର ଭୁବନେଶ୍ୱରରେ ପହଞ୍ଚିବ ବୋଲି ସୂଚନା ମିଳିଛି ।







