ଭୁବନେଶ୍ୱର: ନିର୍ବାଚନ ପରାଜୟର ୬ ମାସ ବିତିଯାଇଥିଲେ ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚୈତନ୍ୟ ଉଦୟ ନ ହେବା ସମସ୍ତଙ୍କୁ ବିସ୍ମିତ କରୁଛି । ଦୀର୍ଘ ୨୮ ବର୍ଷ ଧରି ଓଡ଼ିଶାବାସୀଙ୍କ ଭଲ ପାଇବାକୁ ସତେ ଯେମିତି ସେ ତୁଚ୍ଛ କରିଦେଇଛନ୍ତି । ଯେଉଁସବୁ ଭୁଲ୍ ପାଇଁ ଲୋକେ ତାଙ୍କୁ ଶାସନଗାଦିରୁ ହଟାଇଲେ, ସେହି ଭୁଲ୍ ମାନି ସେ ମନସ୍ତାପ କରିବା କେହି ଅନୁଭବ କରୁନାହାନ୍ତି । ତାହା ହୋଇଥିଲେ ତ୍ରୁଟି ସଜାଡ଼ି ଆଗକୁ ବଢ଼ନ୍ତେ । ମାତ୍ର ତାହା ହେଉ ନାହିଁ । ଅବସ୍ଥା, ଯଥା ପୂର୍ବଂ ତଥା ପରଂ । ଅନ୍ୟ ମୁଣ୍ଡରେ ନଡ଼ିଆ ବାଢ଼େଇବାର ଅଭ୍ୟାସରୁ ନିଜକୁ ମୁକୁଳେଇ ପାରିନାହାନ୍ତି । ନବୀନ ନିବାସରେ ବସି କ୍ଷମତାଭୋଗର ହାଙ୍ଗ ଓଭର୍ ଯାଇନି । ଦଳୀୟ ନେତାମାନେ ଏହା ଯେ ବୁଝିନାହାନ୍ତି ତାହା ନୁହେଁ । ମାତ୍ର ସେମାନେ ନାଚାର । ନବୀନଙ୍କୁ ଅନ୍ତରରୁ ଭଲ ପାଉଥିବା ସାଧାରଣ ଜନତା ଏବଂ ଦଳୀୟ କର୍ମୀମାନେ ବିଚଳିତ । ପାଣ୍ଡିଆନଙ୍କ ମୁଣ୍ଡରେ ଅଠା ବୋଳି ନବୀନଙ୍କୁ ସାବାସି ଦେବାର ସମୟ ଆଉ ନାହିଁ । ବିଜେଡିର ବିପର୍ଯ୍ୟୟ ପାଇଁ ନବୀନ ପଟ୍ଟନାୟକ ଏକାନ୍ତ ଦାୟୀ ବୋଲି ସମସ୍ତଙ୍କର ହୃଦବୋଧ ହେଲାଣି । ଆଗକୁ ଯାହା ଘଟିବ ସେଥିପାଇଁ ସେ ହିଁ ଦାୟୀ ରହିବେ ।
ବିଜେଡିର ନିର୍ବାଚନ ପରାଜୟ ପରେ ନବୀନ ନିବାସ ଚଳଚଞ୍ଚଳ ହୋଇଥିଲା । ଦଳୀୟ ନେତାମାନଙ୍କର ଭିଡ଼ ଦେଖିବାକୁ ମିଳିଲା । ଜିଲ୍ଲାୱାରୀ ପରାଜୟର ସମୀକ୍ଷା କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଚେହେରା, ହାବଭାବ ତାଙ୍କର ହଠାତ ବଦଳିଗଲା । ମନରେ ପରାଜୟର ଗ୍ଲାନି ନ ଥିଲା । ଘଣ୍ଟା ଘଣ୍ଟା ବସି ସମସ୍ତଙ୍କ କଥା ମନଧ୍ୟାନ ଦେଇ ଶୁଣିଲେ । ପ୍ରାର୍ଥୀମାନଙ୍କୁ ଜଣ ଜଣ କରି ପରାଜୟର କାରଣ ପଚାରି ବୁଝିଲେ । ସମସ୍ତଙ୍କୁ ଶାନ୍ତ୍ୱନା ଦେଇ ମନବଳ ବଢ଼ାଇଲେ । ଲୋକଙ୍କ ସେବାରେ ପୂର୍ବଭଳି କାମ ଜାରି ରଖିବାକୁ ଉତ୍ସାହିତ କଲେ । ଇସାରା ଦେଲେ- ଯାହା ହୋଇଗଲା ହୋଇଗଲା । ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଆପଣମାନଙ୍କ ସାଙ୍ଗରେ ଅଛି ।
ନବୀନ ପଟ୍ଟନାୟକଙ୍କ ଏହି ଆପଣା ପଣ ହତାସିଆ ଦଳୀୟ ନେତା ଓ କର୍ମୀମାନଙ୍କ ମୁହଁରେ ହସ ଫୁଟାଇଲା । ବିଜେଡିକୁ କ୍ଷମତାକୁ ଫେରାଇ ତାଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବେ ବୋଲି ଆତ୍ମବିଶ୍ୱାସ ରଖିଲେ । ନବୀନଙ୍କ ପ୍ରଶଂସକମାନଙ୍କ ମନରେ ମଧ୍ୟ ଏହି ଆଶା ସଂଚାର ହେଲା । ନବୀନ ବାବୁ ଠିକ୍ ଅଛନ୍ତି ମାନେ ନିଶ୍ଚୟ କିଛି ତ ଗୋଟେ ହେବ ବୋଲି ସେମାନେ ଭାବିନେଲେ ।
ଇତିମଧ୍ୟରେ ୬ ମାସ ବିତିଗଲାଣି । ମାତ୍ର ନବୀନଙ୍କ ଇସାରା ପାଣିଫୋଟକା ଭଳି ହୋଇଛି । ତାଙ୍କ କାର୍ଯ୍ୟଧାରାରେ ସେମିତି କିଛି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ଯେଉଁ ସବୁ କାରଣ ପାଇଁ ଦଳ ଏତେବଡ଼ ବିପର୍ଯ୍ୟୟର ସାମନା କଲା ତାହାର ପ୍ରତିକାର କରିବାକୁ ଏ ପର୍ଯ୍ୟନ୍ତ ଉଦ୍ୟମ ମଧ୍ୟ କରିନାହାନ୍ତି । ଦଳର ବରିଷ୍ଠ ନେତାମାନଙ୍କୁ ତଥାପି ବିଶ୍ୱାସକୁ ନେଇପାରୁନାହାନ୍ତି । ନାମକୁ ମାତ୍ର ତିନି ଚାରିଟି କମିଟି ଗଢ଼ିଛନ୍ତି ସତ ହେଲେ କୌଣସି କ୍ଷମତା ଦେଇନାହାନ୍ତି । କମିଟିର ନିଜସ୍ୱ ବିଚାର ନାହିଁ । ନବୀନ ନିବାସରୁ ଯାହା ନିର୍ଦ୍ଦେଶ ଆସୁଛି ତାହା କେବଳ ପାଳନ ହେଉଛି । କମିଟି ସଦସ୍ୟମାନେ କିଛି ପରାମର୍ଶ ଦେବାର ଜୁ ନାହିଁ । ସୁତରାଂ ଦଳ ଆଗରୁ ଯେମିତି ଚାଲିଥିଲା, ସେମିତି ଚାଲିଛି । ନେତାମାନଙ୍କର ଯେଭଳି ଗୁରୁତ୍ୱ ନ ଥିଲା, ଏବେ ବି ନାହିଁ ।
କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ନଭେମ୍ବରରୁ ନବୀନ ବାବୁ ସାରା ରାଜ୍ୟ ବୁଲିବେ ବୋଲି ଦଳ ପକ୍ଷରୁ ମାସେ ପୂର୍ବରୁ ପ୍ରଚାର କରାଗଲା । ଢ଼େଙ୍କାନାଳରେ ନବୀନଙ୍କ ଗସ୍ତ ପାଇଁ ଟେଣ୍ଟ ବନ୍ଧାର ଫଟୋ ବି ଭାଇରାଲ୍ କରାଗଲା । ମାତ୍ର ନଭେମ୍ବର ସରିଗଲା ପଛେ ନବୀନ ବାବୁ ନବୀନ ନିବାସରୁ ବାହାରିଲେନି । ବିଭିନ୍ନ ଅଞ୍ଚଳରୁ ଆସୁଥିବା ନେତା ଓ କର୍ମୀଙ୍କ ସହ ଫଟୋ ଉଠାଇବାରେ ତାଙ୍କ କାର୍ଯ୍ୟ ସୀମିତ ରହିଛି ।
ସେମିତି ଦଳୀୟ କାର୍ଯ୍ୟକଳାପ ଶଙ୍ଖଭବନ ସାମ୍ବାଦିକ ସମ୍ମିଳନୀରେ ସୀମିତ ରହିଯାଇଛି । ଶଙ୍ଖ ଭବନରେ ସବୁଦିନ କୌଣସି ନା କୌଣସି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ ବା ପ୍ରେସ୍ ବାଇଟ୍ ପାଇଁ ଡକାଯାଇଛି । ନିର୍ଦ୍ଦିଷ୍ଟ କୁହାଳିଆ ନେତାମାନେ କ୍ୟାମେରା ଆଗକୁ ଆସୁଛନ୍ତି । ମାତ୍ର ତାହା କାମଚଳା ସଦୃଶ ହେଉଛି । ଲୋକଙ୍କୁ ପ୍ରଭାବିତ କରୁନାହିଁ । ଓଲଟି ସେମାନଙ୍କ ମୁହଁ ଦେଖି ଦେଖି ଲୋକେ ବିରକ୍ତ ହେଲେଣି ।
୬ ମାସିଆ ବିଜେପି ସରକାରଙ୍କ ବିରୋଧରେ ପ୍ରସଙ୍ଗର ଅଭାବ ନାହିଁ । ରାଜ୍ୟରେ ଦରଦାମ ବୃଦ୍ଧି ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି । ମାତ୍ର ବିଜେଡି ଏହାକୁ ରାଜରାସ୍ତା ଆଣିବାକୁ ଏଯାଏଁ ସକ୍ଷମ ହୋଇନାହିଁ । ବିଧାନସଭା ଭିତରେ ବିଜେଡିର ସ୍ୱର ସୀମିତ ରହିଯାଇଛି ।
ଯାହାର ପରିଣାମ ହୋଇଛି- କର୍ମୀ ମହଲ ହତାଶ ଓ ନିରୁତ୍ସାହିତ । ଯୋଉ କାରଣରୁ ଦଳର କିଛି ବରିଷ୍ଠ ନେତା ଜଣଙ୍କ ପରେ ଜଣେ ମିଡିଆରେ ମୁହଁ ଖୋଲି ଅସନ୍ତୋଷ ଝାଡ଼ିଲେଣି । ନବୀନ ପଟ୍ଟନାୟକଙ୍କ ନାଁ ବିକି ଦଳୀୟ ଶୃଙ୍ଖଳା ଭିତରେ ନିଜକୁ ଆବଦ୍ଧ ରଖିବାକୁ ଉଚିତ ମନେ କରୁନାହାନ୍ତି । ଦଳ ଏମିତି ଚାଲିଲେ ଭବିଷ୍ୟତ ଅନ୍ଧାର ବୋଲି ଅଧିକାଂଶ ନେତା ଆଶଙ୍କା କଲେଣି । ନେତାମାନଙ୍କର ଏହି ଆଶଙ୍କା କର୍ମୀ ମହଲକୁ ବ୍ୟାପିବା ଆରମ୍ଭ କଲାଣି ।
ଜ୍ୱଳନ୍ତ ଉଦାହରଣ ହେଉଛି ବଡ଼ମ୍ବା । ବିଜେଡି ପାଇଁ ଲମ୍ବା ସମୟ ଧରି ଝାଳ ବୁହାଇଥିବା ତୃଣମୂଳସ୍ତରର ନେତାମାନେ ନେତୃତ୍ୱ ଉପରୁ ଆସ୍ଥା ହରାଇ ସେଠାରେ ବିଜେପିକୁ ଡେଇଁଛନ୍ତି । ଖାଲି ବଡ଼ମ୍ବା ନୁହେଁ, ସ୍ଥାନୀୟ ନେତୃତ୍ୱର ନିଷ୍କ୍ରିୟତା ଯୋଗୁଁ ଅନେକ ଜାଗାରେ ଦଳୀୟ ଫାଟ ଆଁ କଲାଣି । କଳାହାଣ୍ଡିଠାରୁ ଆରମ୍ଭ କରି ବ୍ରହ୍ମପୁର, ମୟୁରଭଞ୍ଜ ସବୁଠି ଅଡୁଆ ସ୍ଥିତି ସୃଷ୍ଟି ହୋଇଛି ।
ଏଭଳି ସାରା ରାଜ୍ୟରେ ବିଜେଡି କର୍ମୀଙ୍କ ମନବଳ ଚହଲିବାକୁ ଆରମ୍ଭ କରିଛି । ଠୋସ୍ କାର୍ଯ୍ୟକ୍ରମ ଅଭାବରୁ ଦଳୀୟ ନେତୃତ୍ୱ ଉପରୁ ବିଶ୍ୱାସ ତୁଟି ଯାଉଛି । ଏଥିଯୋଗୁଁ ବିନା ଉଦ୍ୟମ ଓ ପରିଶ୍ରମରେ ବିଜେପି ନିଜର ଶକ୍ତି ବୃଦ୍ଧି କରିବାର ଅପୂର୍ବ ସୁଯୋଗ ପାଇଛି । ଅନ୍ୟ ଅର୍ଥରେ କହିଲେ, ୬ ମାସର ବିଜେପି ସରକାର ଉପରେ ଲୋକେ ସନ୍ତୁଷ୍ଟ ନ ଥିଲେ ମଧ୍ୟ ବିଜେଡି ନେତୃତ୍ୱ ସେମାନଙ୍କୁ ସନ୍ତୁଷ୍ଟ ରହିବାକୁ ଏକରକମ ବାଧ୍ୟ କରୁଛନ୍ତି ।
ରାଜନୈତିକ ସମୀକ୍ଷକମାନଙ୍କ ମତରେ, ନବୀନ ବାବୁ ୨୪ ବର୍ଷର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ମାତ୍ର ସଚ୍ଚା ରାଜନେତା ନୁହଁନ୍ତି । ତୃଣମୂଳସ୍ତରର ସଂଘର୍ଷ ସେ ଜାଣିନାହାନ୍ତି । ସେମିତି ହୋଇଥିଲେ, ଗୋଟିଏ ପରାଜୟରୁ ଶିକ୍ଷାଲାଭ କରି ଆଗକୁ ବଢ଼ି ଚାଲନ୍ତେ । ଦେଶର ସମସାମୟିକ ରାଜନୀତିରେ ଲାଲୁ ଯାଦବ, ମମତା ବାନାର୍ଜୀ, ଚନ୍ଦ୍ରବାବୁ ନାଇଡୁଙ୍କ ସଂଘର୍ଷ ସମସ୍ତେ ଦେଖିଛନ୍ତି । ଆଜି ମହାରାଷ୍ଟ୍ରରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଦେବେନ୍ଦ୍ର ଫଡନାବିସଙ୍କ ରାଜନୈତିକ ଜୀବନଯାତ୍ରାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହେଉଛି ।
ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଥାଇ ନିର୍ବାଚନ ହାରିବା ପରେ ଫଡନାବିସଙ୍କର ଏକ ମନ୍ତବ୍ୟ ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେଉଛି । ସେ କହିଥିଲେ..ମେଁ ସମୁଦର ହୁଁ, ଲଟକର୍ ଆପୋଷ ଆଉଗାଁ( ମୁଁ ସମୁଦ୍ର, ପୁଣି ଫେରି ଆସିବି) ।
ଫଡନାବିସଙ୍କର ସେହି ଆତ୍ମବିଶ୍ୱାସ ଆଜି ମହାରାଷ୍ଟ୍ରରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି । ସେଥିପାଇଁ ତାଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଛି । ନବୀନ ବାବୁ ଏବଂ ତାଙ୍କର ସହଯୋଗୀମାନେ ଏଥିରୁ ଶିକ୍ଷାଲାଭ କରିବା ଦରକାର । ନବୀନ ପଟ୍ଟନାୟକଙ୍କ ପାଇଁ ବର୍ତ୍ତମାନ ସମୟରେ ବୟସ ବାଧକ ହୋଇପାରେ । ମାତ୍ର ତାଙ୍କର ଲୋକପ୍ରିୟତା ଏବେ ବି ଅତୁଟ ବୋଲି ସେ ହୃଦୟଙ୍ଗମ କରିବା ଦରକାର । ଲୋକଙ୍କ ଭଲ ପାଇବାର ମୂଲ୍ୟ ତାଙ୍କୁ ଦେବାକୁ ପଡ଼ିବ । ଦଳରେ ବିକଳ୍ପ ନେତୃତ୍ୱ ତିଆରି କରିବାକୁ ପଡ଼ିବ । ନଚେତ୍ ବିଜେଡି ଦୁର୍ଗକୁ ସମ୍ଭାଳି ରଖିବା କଷ୍ଟ ହୋଇଯିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।