ଭୁୁବନେଶ୍ୱର: ବାତ୍ୟା “ୟାସ୍’ ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ସକାଳ ୯ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୩ ରୁ ୪ ଘଣ୍ଟା ଧରି ଚାଲିବ । ତେବେ ପୂର୍ବ ଆକଳନ ତୁଳନାରେ ପବନର ବେଗ କମ୍ ରହିବ । ଏବେ ପବନର ବେଗ ୧୩୦ରୁ ୧୪୦ କିମି ରହିଛି ଏବଂ ଏହା ସର୍ବାଧିକ ୧୫୫ କିମି ପର୍ଯ୍ୟନ୍ତ ଯାଇପାରେ । ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ଏହା ଉପକୂଳ ଅତିକ୍ରମ କରିବ । ବାସୁଦେବପୁର ଓ ବାହାନାଗା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଛି ।
ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ ଦ୍ୱିପ୍ରହର ପର୍ଯ୍ୟନ୍ତ ୧୩୦ରୁ ୧୪୦ କିମି ବେଗରେ ପବନ ବହିବ । ତେବେ ସଂଧ୍ୟା ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହେବ । ଭଦ୍ରକ ଓ ବାଲେଶ୍ୱରର ଏହାର ଅଧିକ ପ୍ରଭାବ ରହିଥିବା ବେଳେ ମୟରୁଭଞ୍ଜ ମଧ୍ୟ ପ୍ରଭାବିତ ହେବ । ଆଜି ସଂଧ୍ୟା ଯାଏଁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ । ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବାରୁ ମୟୁରଭଞ୍ଜ ଦେଇ ଝାଡଖଣ୍ଡରେ ପ୍ରବେଶ କରିବ ବୋଲି ସେ କହିଛନ୍ତି ।
ବାତ୍ୟା “ୟାସ୍’ ପ୍ରଭାବରେ ସାମୁଦ୍ରିକ ଜୁଆର ୩ ରୁ ୪ ମିଟରେ ଉଚ୍ଚରେ ମାଡ଼ି ଆସିଛି । ଫଳରେ ତଳି ଅଞ୍ଚଳରେ ଘରଦ୍ୱାର ଭାଙ୍ଗିଦେଇଛି ସାମୁଦ୍ରିକ ଜୁଆର । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଓ ଝଡବାତ୍ୟା ଯୋଗୁଁ କଚ୍ଚା ଘରଗୁଡ଼ିକ ଭାଙ୍ଗିଯାଇଛି । ବିଭିନ୍ନ ଜାଗାରେ ରାସ୍ତା ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡିଛି ।
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଉପରେ ଲ୍ୟାଣ୍ଡଫଲ୍ ର ପ୍ରଭାବ ବେଶୀ ରହିବ । ଦିନ ୩ଟା ପର୍ଯ୍ୟନ୍ତ ଏହି ଦୁଇଟି ଜିଲ୍ଲାରେ ବେଶୀ ପ୍ରଭାବ ରହିବ । ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୮୦ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସେ ସୂଚନା ଦେଇଛନ୍ତି ।







