ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜଷ୍ଟିସ୍ ଏମ୍.ଏମ୍. ଦାସଙ୍କୁ ନେଇ ଏବେ ଓଡ଼ିଶା ରାଜନୀତିରେ ଝଡ଼ । ଚିଟ୍ଫଣ୍ଡ ତଦନ୍ତ କମିଶନ ଥାଇ ବିଜେଡ଼ି ଲିଗାଲ୍ ସେଲ୍ ମିଟିଂକୁ ମୁଖ୍ୟ ଅତିଥି ହୋଇଯିବା ଏବଂ ସେଠାରେ ଚିଟ୍ଫଣ୍ଡ ଜମାକାରୀଙ୍କ ବିରୋଧରେ ବର୍ଷି ସରକାରଙ୍କ ପକ୍ଷ ନେବା ତାଙ୍କୁ ବିବାଦୀୟ କରିଛି । ଜଷ୍ଟିସ୍ ଦାସଙ୍କ ଭଳି ବ୍ୟକ୍ତିତ୍ୱ ନିଜ ପଦମର୍ଯ୍ୟାଦା ଭୁଲି ଏମିତି ସରକାରୀ ପ୍ରେମରେ ପଡ଼ିବା ସମସ୍ତଙ୍କୁ ଆଚମ୍ବିତ କରିଛି । ସେପଟେ ବିଜେଡ଼ି ଲିଗାଲ୍ ସେଲ୍ ପକ୍ଷରୁ ଆଇନମନ୍ତ୍ରୀ ଅରୁଣ ସାହୁ ଜଷ୍ଟିସ୍ଙ୍କୁ ଆମନ୍ତ୍ରଣ କରି ଦଳକୁ ବିପଦରେ ପକାଇଛନ୍ତି । ବିଧାନସଭା ଭିତରେ ଓ ବାହାରେ ଏହାକୁ ନେଇ ଏବେ ତୁମ୍ବିତୋଫାନ । ସରକାର ଏବଂ ତାଙ୍କ ଦଳ ଗାଲୁ ମାରିବା ଛଡ଼ା ପାଖରେ ସଠିକ୍ ଜବାବ ନାହିଁ । କମିଶନଙ୍କୁ ବହିଷ୍କାର କରିବାର ତାକତ୍ ବି ନାହିଁ ।
ଜଷ୍ଟିସ୍ ଏମ.ଏମ.ଦାସଙ୍କୁ ସ୍ପଷ୍ଟବାଦୀ ଭାବି ଏକ ରାଜନୈତିକ ମଞ୍ଚରେ ମାରାତ୍ମକ ବକ୍ତବ୍ୟକୁ ସହଜରେ ଗ୍ରହଣ କରିହେଉନି । ସେଥିରୁ ତାଙ୍କର ବିଜେଡ଼ି ପ୍ରେମ ବାରିହୋଇପଡୁଛି । ହୋଇପାରେ, ସରକାର ତାଙ୍କ ମନଚିହ୍ନି ତାଙ୍କୁ ଚିଟ୍ଫଣ୍ଡ ତଦନ୍ତ କମିଶନ ଦାୟିତ୍ୱ ଦେଇଛନ୍ତି । ମାତ୍ର ସେ ଯେ ନିର୍ବିବାଦୀୟ ଓ ସାଧୁ ତାହା ତାଙ୍କ ପୂର୍ବ ଇତିହାସ କହୁନି । ହାଇକୋର୍ଟରେ ବିଚାରପତି ଥିଲା ବେଳେ ଖୋଦ୍ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ନେହୁରା ହୋଇ ତାଙ୍କ ଇଚ୍ଛାଧୀନ କୋଟାରୁ ଦୁଇ ଦୁଇଟି ପ୍ଲଟ୍ ହାତେଇଛନ୍ତି ଜଷ୍ଟିସ୍ ଦାସ । ଗୋଟିଏ ତାଙ୍କ ନାଁରେ ଏବଂ ଅନ୍ୟଟି ପତ୍ନୀଙ୍କ ନାଁରେ ।
ହାଇକୋର୍ଟର ଜଣେ ବିଚାରପତି ବିଡ଼ିଏ କିମ୍ବା ସିଡ଼ିଏରେ ମନ୍ତ୍ରୀ ଇଚ୍ଛାଧୀନ କୋଟାରୁ ପ୍ଲଟ୍ ମାଗିବା ଓ ନେବା ଖାଲି ବେଆଇନ ନୁହେଁ ଗର୍ହିତ ଅପରାଧ । ମାତ୍ର ଏହାକୁ ଜଳାଞ୍ଜଳି ଦେଇ ନିଜେ ଜଷ୍ଟିସ୍ ଦାସ ପ୍ଲଟ୍ ପାଇଁ ମନ୍ତ୍ରୀଙ୍କୁ ଅନୁଗ୍ରହପତ୍ର ଲେଖିଥିଲେ ଏବଂ ତାଙ୍କୁ ସଙ୍ଗେ ସଙ୍ଗେ ମିଳିଗଲା ଇଚ୍ଛାଧୀନ କୋଟା ପ୍ଲଟ୍ । ଚିଠିଟି ଜଷ୍ଟିସ୍ ଦାସ ଲେଖିଥିଲେ ୨୦୦୭ ଜୁଲାଇ ୨୭ ତାରିଖରେ । ଅଭିନବ ବିଡ଼ାନାସୀ ପ୍ରୋଜେକ୍ଟ ଏରିଆର ସେକ୍ଟର-୧୦ ରେ ମନ୍ତ୍ରୀ ଇଚ୍ଛାଧୀନ କୋଟାରୁ ପ୍ଲଟ୍ ଆବେଦନ କରି ଏହି ଚିଠି ଲେଖିଥିଲେ । ପୂର୍ବରୁ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସେ ଦେଇଥିବା ଅନୁରୋଧପତ୍ରରେ ପ୍ଲଟ୍ ଅପସନ୍ ବି ଦେଇଥିଲେ । ସେକ୍ଟର-୬, ୭, ୮ କିମ୍ବା ୯ ରେ “ବି’’ କାଟାଗୋରି ପ୍ଲଟ୍ ଚାହିଁଥିଲେ । ମାତ୍ର ପରବର୍ତ୍ତୀ ଚିଠିରେ ସେକ୍ଟର ୧୦ ରେ “ବି’’ କାଟାଗୋରି ପ୍ଲଟ୍ ମାଗିଥିଲେ ଏବଂ ସଙ୍ଗେ ସଙ୍ଗେ ତାଙ୍କୁ ମିଳିଗଲା ପ୍ଲଟ୍ । ସେହି ପ୍ଲଟ୍ ନମ୍ବରଟି ହେଉଛି ୧୦-୩ ବି/୮୪୨ ।
ଖାଲି ସେତିକି ନୁହେଁ ପୂର୍ବରୁ ମନ୍ତ୍ରୀ ଇଚ୍ଛାଧୀନ କୋଟାରୁ ପତ୍ନୀଙ୍କ ନାଁରେ ଜଷ୍ଟିସ୍ ନେଇଥିଲେ “ସି’’ କାଟାଗୋରି । ପ୍ରଥମତଃ ମନ୍ତ୍ରୀ ଇଚ୍ଛାଧୀନ କୋଟାରୁ ପ୍ଲଟ୍ ନେବା ଜଜ୍ଙ୍କ ପକ୍ଷେ ସମ୍ପୂର୍ଣ୍ଣ ବେଆଇନ । ଦ୍ୱିତୀୟରେ ଜଣଙ୍କ ପରିବାର ନାଁରେ ଗୋଟିଏ ପ୍ଲଟ୍ ଥିଲେ ଆଉ ଗୋଟିଏ ପ୍ଲଟ୍ ନେବା ବି ବେଆଇନ । ଆଉ ଯଦି ବି ହେରାଫେରିରେ କିଏ ନିଅନ୍ତି ତାହାକୁ ବିକ୍ରୀ କରିବା ବି ସମ୍ପୂର୍ଣ୍ଣ ବେଆଇନ । ମାତ୍ର ଜଷ୍ଟିସ୍ ଦାସ ନିଜ ପ୍ରଭାବ ବଳରେ ସବୁ ବେଆଇନକୁ ଆଇନସିଦ୍ଧ କରିବାରେ ସମର୍ଥ ହୋଇଥିଲେ । ପତ୍ନୀଙ୍କ ନାଁରେ ଥିବା ପ୍ଲଟ୍ଟି ତୃତୀୟ ପକ୍ଷକୁ ବିକ୍ରୀ କରିବାର ଅନୁମତି ଲୋଡିଥିଲେ ଏବଂ ତୁରନ୍ତ ଅନୁମତି ପାଇଯାଇଥିଲେ । ଜଣେ ଜଷ୍ଟିସ୍ ଆଇନକୁ ଆଖିଠାର ମାରି ଏଭଳି ବେଆଇନ କାର୍ଯ୍ୟ କରିବାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତାହା ଜଷ୍ଟିସ୍ଙ୍କ ସାଧୁତା, ବିଶ୍ୱନୀୟତା ଓ ନିରପେକ୍ଷତା ଉପରେ ସନ୍ଦେହ ଲଗାଇଛି ।
ଏଭଳି ଜଣେ ବିବାଦୀୟ ବିଚାରପତିଙ୍କୁ ଚିଟ୍ଫଣ୍ଡ ତଦନ୍ତ କମିଶନ ଦାୟିତ୍ୱ ଦେବା ପଛରେ ଖୋଦ୍ ସରକାରଙ୍କ ମନ୍ଦ ଉଦ୍ୟେଶ ପଦାରେ ପଡ଼ିଛି । ସେପଟେ ବିଜେଡ଼ି ଆଇନଜୀବୀ ସାମ୍ମୁଖ୍ୟ ଶାସକ ଦଳର ଏକ ରାଜନୈତିକ ଫୋରମ୍ ହୋଇଥିଲେ ମଧ୍ୟ ଶାସକଦଳର ବଡପଣ୍ଡାମାନେ ତାଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରିବା ଏବଂ ଜଷ୍ଟିସ୍ ଦାସ ତାହାକୁ ଖୁସିରେ ଗ୍ରହଣ କରି ସରକାରଙ୍କ ପକ୍ଷ ରଖି ଭାଷଣବାଜି କରିବା ସବୁ ଅପରାଧକୁ ବଳିପଡ଼ିଛି ।







