ଗୋପାଳ ସାହୁଙ୍କ ରିପୋର୍ଟ
ଏହା କେଉଁ ଗାଁ ଗହଳି କି ଘଞ୍ଚ ବଣ ଜଙ୍ଗଲ ଘେରା ନିପଟ ମଫସଲ କଥା ନୁହେଁ, ଖୋଦ୍ ରାଜଧାନୀ ଭୁବନେଶ୍ବର ମହାନଗର କଥା। ଯୋଉଠି ରାଜ୍ୟର ସବୁ ବଡ଼ ବଡ଼ ବାବୁ, ବାବୁଆଣୀ, ବିଧାୟକ, ମନ୍ତ୍ରୀ, ତନ୍ତ୍ରୀ ରହୁଛନ୍ତି। ଏଇ ମହାନଗରରେ ଯେମିତି ହଜାର ହଜାର ନିରାଶ୍ରୟ ଲୋକ ରାସ୍ତା କଡ଼ ଫୁଟପାଥରେ ମାଗିଯାଚି ମୁଠାଏ ଗଣ୍ଡାଏ ଖାଇ ଜୀବନ ବିତଉଛନ୍ତି, ସେମିତି ଅସଂଖ୍ୟ ବୁଲା ଜୀବଜନ୍ତୁ ମଧ୍ୟ ବିଭିନ୍ନ ଜଳଖିଆ ଦୋକାନ ହୋଟେଲର ବଳକା ଅଇଁଠା ଖାଇ ଜୀବନ ବଞ୍ଚାନ୍ତି।
କରୋନା ମହାମାରୀ ଡରରେ ହଠାତ୍ ତାଲାବନ୍ଦ ଘୋଷଣା ହେଲା। କିନ୍ତୁ ଫୁଟପାଥରେ ବଞ୍ଚୁଥିବା ମଣିଷ ଏବଂ ଜୀବଜନ୍ତୁଙ୍କ କଥା କାହା ମନକୁ ଆସିଲା ନାହିଁ। ଏମିତିକି ହଜାର ହଜାର ନିରାଶ୍ରୟ ଲୋକଙ୍କ ଭରସା, ଆହାର କେନ୍ଦ୍ର ମଧ୍ୟ କିଛି ଦିନ ବନ୍ଦ କରିଦେଇଥିଲେ। ଅବଶ୍ୟ ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ଆହାର କେନ୍ଦ୍ର ପୁଣି ଚାଲୁକଲେ।
କିନ୍ତୁ ଦୁଃଖର କଥା ସରକାର ଏଭଳି ଦୁର୍ଦ୍ଦିନରେ ମଧ୍ୟ, ରୋଜଗାର ହରେଇଥିବା ଗରିବ ନିରାଶ୍ରୟଙ୍କ ପାଇଁ ଆହାର କେନ୍ଦ୍ରରେ ଏପର୍ଯ୍ୟନ୍ତ ପାଞ୍ଚ ଟଙ୍କା ଛାଡ଼ କରିପାରି ନାହାଁନ୍ତି। ତାଲାବନ୍ଦ ସମୟରେ କଥା କହି ପାରୁଥିବା ମଣିଷର ଅବସ୍ଥା ଯଦି ଏତେ ଦୁର୍ଦ୍ଦଶା ପୁର୍ଣ୍ଣ ତା’ହେଲେ ସହରରେ ବୁଲୁଥିବା ଅସଂଖ୍ୟ କୁକୁର, ଷଣ୍ଢ ଏବଂ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ଅବସ୍ଥା କେମିତି ଥିବ ତାହା ସହଜରେ ଅନୁମେୟ ।
ତାଲାବନ୍ଦ ସମୟରେ ବୁଲା କୁକୁର ଏବଂ ଷଣ୍ଢ ମାନଙ୍କୁ ଖାଦ୍ୟ ଦେବାପାଇଁ ଭୁବନେଶ୍ୱର ମହାନଗର ନିଗମ ୧୦ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟ କରିଥିବା ଜଣାପଡିଛି। ଅତଏବ ରାଜକୋଷରୁ ଅଜସ୍ର ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ବାସ୍ତବରେ ତାହା କେତେ ଫଳପ୍ରଦ? କଥାରେ ଅଛି ସରକାରୀକା ମାଲ୍ ଦରିଆମେ ଡାଲ୍। କିଏ ଖାଇଲେ କେତେ, କିଏ ବଞ୍ଚିଲେ କେତେ, କିଏ ମଲେ କେତେ ଗଲେ କେତେ, କେହି ଦେଖିବାକୁ ନାହିଁ କି ବାବୁମାନଙ୍କର ଯାଏ ଆସେ ନାହିଁ।
ବର୍ତ୍ତମାନ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଏବଂ ଆମର କିଛି ପୁରାତନ ଫଟୋ ଏଠାରେ ଉପସ୍ଥାପନ କରୁଛୁ।
(୧) ଏବଂ (୨) ମହାନଗର ନିଗମ ତରଫରୁ କେବଳ ଡଙ୍କାଏ ଡଙ୍କାଏ ଶୁଖିଲା ଭାତ ରାସ୍ତା ଉପରେ ରଖିଦେଉଥିଲେ, ଯାହାକୁ କୁକୁର ମାନେ ନାକ ଟେକି ଚାଲି ଯାଉଥିଲେ। ଆମେ ଫଟୋ ଉଠାଇବା ପାଇଁ ଆସିବାରୁ ଖାଦ୍ୟ ଦେଉଥିବା ବାବୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲେ।









