ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବୈଷ୍ଣବ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ଧରି ପକାଇଛନ୍ତି । ଆଜି (ମଙ୍ଗଳବାର) ସଚିବାଳୟରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନେହୁରା ହୋଇଛନ୍ତି ତାଙ୍କୁ ଆଉ ଥରେ ରାଜ୍ୟସଭା ପଠାଇବା ପାଇଁ । ରାଜ୍ୟସଭାରେ ଓଡ଼ିଶାର ସ୍ୱର ଉଠାଇବାରେ ସେ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି । ତେଣୁ ପୁଣି ଥରେ ସୁଯୋଗ ଦେବାକୁ ବୈଷ୍ଣବ କାକୁତୀ ମିନତୀ ହୋଇଛନ୍ତି । ରାଜ୍ୟସଭାରେ ସୁଯୋଗ ଦେଇଥିବାରୁ ନବୀନଙ୍କୁ କୃତଜ୍ଞତା ପ୍ରକାଶ ଆଳରେ ଆଉ ଏକ ଚାନସ୍ର ଲୋଭ ସମ୍ବରଣ କରି ପାରିନାହାନ୍ତି । ବିକଳ ହୋଇ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ଧରି ପକାଇଛନ୍ତି । ବୈଷ୍ଣବଙ୍କ ଅଭିଳାଷକୁ ମୁଖ୍ୟମନ୍ତ୍ରୀ ମୁରୁକା ହସରେ ଉପଭୋଗ କରିଥିଲେ ମଧ୍ୟ ତାଙ୍କୁ ହତାଦର କରିନାହାନ୍ତି । ଆଇ ଉଇଲ୍ ସି ର ଆଶ୍ୱାସନା ଦେଇଛନ୍ତି । ନବୀନଙ୍କଠାରୁ ଏହି ତିନି ଶବ୍ଦିଆ ଆଶ୍ୱସନା ପାଇଲା ପରେ ବୈଷ୍ଣବଙ୍କ ମନ ପୁଣି ଆକାଶକୁ ଛୁଇଁଛି ।
ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ନେତୃତ୍ୱ ନେଉଥିବା ବୈଷ୍ଣବ ପରିଡ଼ାଙ୍କର ପ୍ରଥମ ଟାର୍ଗେଟ୍କୁ ଆସିଥିଲେ ତାଙ୍କ ନେତା ଆମ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା କହି ପଢ଼ି ପାରୁ ନ ଥିବାରୁ ସେ ଦୁଇବର୍ଷ ଧରି ବିଭିନ୍ନ ସଭାସମିତିରେ ଖୋଲାଖୋଲି ଭର୍ସନା କରି ଆସୁଛନ୍ତି । ଯେଉଁ ଦଳର ଟିକେଟରେ ସେ ରାଜ୍ୟସଭା ଗାଦି ପାଇଛନ୍ତି, ସେହି ଦଳର ସୁପ୍ରିମୋଙ୍କ ବିରୋଧରେ ଏଭଳି ଖୋଲା ବିଷୋଦଗାର କରି ବୈଷ୍ଣବ ନିଜକୁ ନିଜେ ହୀରୋ ସାଜିଥିଲେ । ତେଣୁ ଆଜିକା ଦିନରେ ସେ ବିଜେଡ଼ିର ସଭ୍ୟ ବୋଲି ଦଳୀୟ ନେତାମାନେ ବିଶ୍ୱାସ କରୁନାହାନ୍ତି ।
ନିଜେ ବୈଷ୍ଣବ ବି ନିଜର ଅତୀତକୁ ଭୁଲିଯାଇଛନ୍ତି । କ୍ଷମତା ଲୋଭରେ ସେ ବାମପନ୍ଥୀରୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ଦେଇ ବିଜେଡ଼ିରେ ପହଞ୍ଚିଥିଲେ । ଯେଉଁ ନବୀନ ପଟ୍ଟନାୟକ ଓ ବିଜେଡ଼ିର ନୀତି ଆଦର୍ଶକୁ ସେ ଗାଳିବର୍ଷା କରି କୁଶପୁତ୍ତଳିକା ଦାହ କରୁଥିଲେ କ୍ଷମତା ଲୋଭରେ ରାତାରାତି ତାଙ୍କୁ ଭଗବାନ କରିଥିଲେ । ୨୦୧୦ ମସିହାରେ ପ୍ୟାରୀ ମହାପାତ୍ରଙ୍କ ଆର୍ଶିବାଦ ବଳରେ ସେ ନବୀନ ନିବାସ ପହଞ୍ଚିଥିଲେ ଏବଂ ନବୀନଙ୍କଠାରୁ ରାଜ୍ୟସଭା ଟିକେଟ ହାତେଇନେଇଥିଲେ । ବୈଷ୍ଣବ ପରିଡ଼ାଙ୍କ ଏହି ଅତୀତ ଇତିହାସ କାହାରିକୁ ଅଜଣା ନାହିଁ । କ୍ଷମତାଲୋଭୀ ବୈଷ୍ଣବ କ୍ଷମତାଗାଦିରେ ବସି ନିଜର ସ୍ୱଭାବ ସୁଲଭ ଗୁଣରେ ନବୀନଙ୍କୁ ପାଶୋରି ଦେଇଥିଲେ ମଧ୍ୟ ଏବେ ପୁଣି ବାସ୍ତବବାଦୀ ପାଲଟିଛନ୍ତି । ଆଉ ଥରେ ରାଜ୍ୟସଭା ଯିବାର ଲାଳସା ଆଜି ବୈଷ୍ଣବଙ୍କୁ ଏଭଳି ବାସ୍ତବବାଦୀ କରିଛି । କ୍ଷମତା ଆଗରେ ସ୍ୱାଭିମାନ ଫାଭିମାନର କିଛି ମୂଲ୍ୟ ନାହିଁ ବୋଲି ସାମୟିକ ମନେପକାଇଛନ୍ତି ବାବୁ ବୈଷ୍ଣବ ପରିଡ଼ା ।






