ଭୁବନେଶ୍ୱର: ଓଡ଼ିଶା ନିର୍ବାଚନ ଫଳ ଉପରେ ବିଭିନ୍ନ ଜାତୀୟ ସଂସ୍ଥାର ଏକଜିଟ୍ ପୋଲ୍ ଆକଳନକୁ ଭୁଲ୍ କହିଛି ବିଜେଡି । ୨୦୧୯ ନିର୍ବାଚନ ବେଳେ କରାଯାଇଥିବା ଏକଜିଟ୍ ପୋଲ୍ କିଭଳି ଭୁଲ୍ ପ୍ରମାଣିତ ହୋଇଥିଲା ତାହା ସାମନାକୁ ଆଣିବା ସହ ୨୦୨୪ରେ ମଧ୍ୟ ତାହାର ପୁନରାବୃତ୍ତି ହେବ ବୋଲି କୁହାଯାଇଛି । ଓଡ଼ିଶାରେ ବିଜେଡି ଅତି କମ୍ ରେ ୧୨ ଟି ଲୋକସଭା ଆସନ ଏବଂ ୧୧୫ ବିଧାନସଭା ଆସନ ପାଇ ଏକ ଦୃଢ଼ ସରକାର ଗଢ଼ିବ ବୋଲି ଦଳ ଦାବି କରିଛି ।
ଅଧିକାଂଶ ଜାତୀୟ ସର୍ଭେ ସଂସ୍ଥାର ଏକଜିଟ୍ ପୋଲ୍ ରେ ଓଡ଼ିଶାରୁ ବିଜେପି ୧୫ କିମ୍ବା ଅଧିକ ଲୋକସଭା ଆସନରେ ଜିତିବା ନେଇ ପୂର୍ବାନୁମାନ କରିଛନ୍ତି । ସେହି ସଂସ୍ଥାମାନେ ବିଧାନସଭା ଆସନର ଆକଳନ କରି ନ ଥିଲା ବେଳେ ‘ସ୍କୁଲ୍ ଅଫ୍ ପଲିଟିକ୍ସ’ ନାମକ ଏକ ସଂସ୍ଥା ବିଜେପିକୁ ୭୮ ରୁ ୯୦ ଆସନ ଦେଇଛନ୍ତି । ବିଜେଡିକୁ ୪୬ ରୁ ୫୯ ଆସନରେ ସୀମିତ ରଖିଛନ୍ତି । ତେବେ ଓଡ଼ିଶାର ଦୁଇଟି ଗଣମାଧ୍ୟମ ସଂସ୍ଥା ‘ପ୍ରଗତିବାଦୀ’ ଏବଂ ‘ନନ୍ଦିଘୋଷ/ସକାଳ’ ପକ୍ଷରୁ ହୋଇଥିବା ଆକଳନ ଭିନ୍ନ କଥା କହୁଛି ।
‘ପ୍ରଗତିବାଦୀ’ ଆକଳନ ଅନୁଯାୟୀ, ବିଜେଡିକୁ ୧୧ ଓ ବିଜେପିକୁ ୧୦ ଲୋକସଭା ଆସନ ମିଳିବ । ବିଜେଡିକୁ ୯୪ ଏବଂ ବିଜେପିକୁ ୪୧ ବିଧାନସଭା ଆସନ ମିଳିବ । କଂଗ୍ରେସ ୧୦ଟି ଏବଂ ଅନ୍ୟାନ୍ୟ ଦୁଇଟି ଆସନ ପାଇବେ । ‘ନନ୍ଦିଘୋଷ/ସକାଳ’ ଆକଳନରେ ୨୦୧୯ ନିର୍ବାଚନ ଫଳାଫଳ ତୁଳନାରେ ବିଜେଡି ଭଲ ପ୍ରଦର୍ଶନ କରିବ । ବିଜେଡିକୁ ୧୧୭ ଆସନ, ବିଜେପିକୁ ୧୧ଟି ଓ କଂଗ୍ରେସକୁ ୨ଟି ଆସନ ମିଳିବ । ୧୭ଟି ବିଧାନସଭା ଆସନରେ କଡ଼ା ମୁକାବିଲା ହେବ । ଲୋକସଭାରେ ବିଜେଡିକୁ ୧୧ ଓ ବିଜେପିକୁ ୬ ଆସନ ମିଳିବ । ୪ଟି ଆସନରେ କଡ଼ା ଟକ୍କର ହେବ ।
ଏଭଳି ବିଭିନ୍ନ ଆକଳନକୁ ନେଇ ସବୁ ମହଲରେ ଉତ୍କଣ୍ଠା ଲାଗି ରହିଥିବା ବେଳେ ଲୋକସଭାରେ ବିଜେପିର ଆସନ ନେଇ ଜାତୀୟ ସଂସ୍ଥାଗୁଡ଼ିକର ଏକଜିଟ୍ ପୋଲ୍ ବିଜେପି ଶିବିରରେ ଖୁସିର ପରିବେଶ ସୃଷ୍ଟି କରିଛି । ଏପରିକି ରାଜ୍ୟରେ ସରକାର ଗଠନ କରିବେ ବୋଲି ସେମାନଙ୍କର ବିଶ୍ୱାସ ଆସିଛି । ଅନ୍ୟପକ୍ଷରେ ଏହି ଏକଜିଟ୍ ପୋଲ୍ କୁ ମିଛ କହି ଉଡ଼ାଇ ଦେଇଛି ବିଜେଡି । ୨୦୧୯ ଏକଜିଟ୍ ପୋଲ୍ କ’ଣ କହିଥିଲା ତାହା ଦଳ ସାମନାକୁ ଆଣିଛି ।








