ଭୁବନେଶ୍ୱର: ରାଜ୍ୟର ସବୁ ୟୁନିଫର୍ମ ସେବାରେ ଅଗ୍ନିବୀରମାନଙ୍କ ପାଇଁ ୧୦% ସଂରକ୍ଷଣ ରହିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏହି ଘୋଷଣା କରିଛନ୍ତି । ଓଡ଼ିଶାର ଯେଉଁ ଅଗ୍ନିବୀରମାନେ ସେନାବାହିନୀରେ ଭର୍ତ୍ତି ହୋଇ ନ ଥିବେ, ସେମାନଙ୍କ ପାଇଁ ସବୁ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ଆଜି ଦିଲ୍ଲୀ ଯିବା ପୂର୍ବରୁ ଲୋକସେବା ଭବନରେ ସାମ୍ବାଦିକମାନଙ୍କୁ ଡାକି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ । ସେ କହିଥିଲେ, ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକମାନେ ଆମର ଗର୍ବ ଓ ଗୌରବ । ଆମର ଅଗ୍ନିବୀରମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି ।
ଅଗ୍ନିବୀର ଯୋଜନା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ଯୋଜନା । ଏହି ଯୋଜନା ଦେଶର ଯୁବସମାଜକୁ ଦକ୍ଷ, ସାହାସୀ ଓ ଯୋଗ୍ୟ କରିବାରେ ସହାୟକ ହୋଇଛି । ଜୀବନର ସବୁ କ୍ଷେତ୍ରରେ ଆହ୍ୱାନକୁ ଗ୍ରହଣ କରିପାରୁଥିବା ଯୁବସମାଜ ଗଠନରେ ଏହି ଯୋଜନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ରାଜ୍ୟ ସରକାର ଓଡ଼ିଶାର ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।







