ଭୁବନେଶ୍ୱର: ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ । କିମ୍ସ ସୁପର ସ୍ପେଶିଆଲିଟି ଓ କିମ୍ସ କ୍ୟାନ୍ସର ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ କିମ୍ସ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ କ୍ୟାନସର ସେଣ୍ଟର ଉଦ୍ଘାଟନ କରିଥିଲେ । କିମ୍ସ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍ ହସ୍ପିଟାଲ୍ (ପିବିଏମ୍ଏଚ୍) ଏବେ ୧୬୦୦ ଶଯ୍ୟା ବିଶିଷ୍ଟ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହସ୍ପିଟାଲରେ ପରିଣତ ହୋଇଛି । ବିଶେଷ କରି ଆର୍ଥିକ ଅନଗ୍ରସର ଓ ସାଧାରଣ ବର୍ଗର ରୋଗୀ ଏହି ହସ୍ପିଟାଲ୍ରେ ସୁଲଭ ଦରରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇ ପାରିବେ । ଦେଶର ଖ୍ୟାତି ସମ୍ପନ୍ନ ଡାକ୍ତର ଓ ବିଶେଷଜ୍ଞ କିମ୍ସ ସୁପରସ୍ପେଶିଆଲିଟି ହସ୍ପିଟାଲ୍ ଓ କ୍ୟାନ୍ସର ସେଣ୍ଟରରେ ଯୋଗଦେଇଥିବାରୁ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟର ରୋଗୀମାନେ ଉତ୍ତମ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ପାଇପାରିବେ ।








