ଭୁୁବନେଶ୍ୱର: ଭୁବନେଶ୍ୱରରେ କଂଗ୍ରେସରୁ ମେୟର ଭାବେ ଲଢ଼ିବେ ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ୟ । ଆଜି କଂଗ୍ରେସ ପକ୍ଷରୁ ତାଙ୍କ ନାଁ ଘୋଷଣା କରାଯାଇଛି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଧାୟକ ସୁର ରାଉତରାୟ ମଧୁସ୍ମିତାଙ୍କ ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି । ପୂର୍ବରୁ କଟକ ମେୟର ପ୍ରାର୍ଥୀ ଭାବେ ଗିରିବାଳା ବେହେରାଙ୍କ ନାଁ କଂଗ୍ରେସ ଘୋଷଣା କରିସାରିଛି ।
ମଧୁସ୍ମିତା ହେଉଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତଃ କାଙ୍ଗାଳି ଚରଣ ପଣ୍ଡାଙ୍କ ବୋହୂ । ଛାତ୍ର ରାଜନୀତିରୁ ଆସିଛନ୍ତି । କମଳା ନେହେରୁ ମହିଳା କଲେଜ ଛାତ୍ର ସଂସଦର ସେ ଥିଲେ ସଭାନେତ୍ରୀ । ଜଣେ ଟାଣୁଆ ଛାତ୍ରନେତା ଭାବେ ତାଙ୍କର ପରିଚୟ ଥିଲା । ପରବର୍ତ୍ତୀ ସମୟରେ ସମାଜସେବାରେ ନିଜକୁ ସାମିଲ କରିଥିଲେ । ରାଜନୈତିକ ପରିବାରରେ ବୋହୁ ହୋଇଥିବାରୁ ସେ ରାଜନୀତି ସହ ଓତଃପ୍ରୋତଃ ଜଡ଼ିତ ଥିବା କୁହାଯାଉଛି ।
କଂଗ୍ରେସର ଆଶାୟୀ ମେୟର ପ୍ରାର୍ଥୀଙ୍କ ମଧ୍ୟରେ ମଧୁସ୍ମିତାଙ୍କ ସମେତ ରଶ୍ମି ମହାପାତ୍ର ଏବଂ ସୁଭଦ୍ରା ମିଶ୍ରଙ୍କ ନାଁ ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ହାଇକମାଣ୍ଡ ଶେଷରେ ମଧୁସ୍ମିତାଙ୍କ ନାଁରେ ମୋହର ମାରିଛନ୍ତି ।
ସେପଟେ ବିଜେଡ଼ି ଓ ବିଜେପି ର ପ୍ରାର୍ଥୀତ୍ୱ ଚୂଡ଼ାନ୍ତ ହୋଇସାରିଥିଲେ ମଧ୍ୟ ଏ ଯାଏଁ ଘୋଷଣା ହୋଇନାହିଁ । ଦୁଇ ଦଳ ପକ୍ଷରୁ ଆଜି ସଂଧ୍ୟା କିମ୍ବା ଆସନ୍ତକାଲି ସକାଳ ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇଯିବ ବୋଲି ସୂଚନା ମିଳିଛି ।