ଭୁବନେଶ୍ୱର: କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହରଡ଼ଘଣାରେ ପଡ଼ିଛନ୍ତି । ସିସୋର୍ ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବରୁ ସିବିଆଇ ଦ୍ୱାରା ଗିରଫ ହୋଇଥିବା ପ୍ରଭାତଙ୍କ ଏସବିଆଇ କଟକ ବ୍ରାଞ୍ଚ ଆକାଉଣ୍ଟ ଜମାରାଶି ଏବଂ ନୋଇଡାସ୍ଥିତ ମିଡିଆ ଗୁରୁ କନସଲଟାଣ୍ଟସ୍ ପ୍ରାଇଭେଟ ଲିମିଟେଡର ସମୁଦାୟ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିଛି । ମନି ଲଣ୍ଡରିଂ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଗତ ୨୦୧୭ ସେପ୍ଟେମ୍ବର ମାସରେ ସିବିଆଇ ଦ୍ୱାରା ପ୍ରଭାତ ବିଶ୍ୱାଳ ଗିରଫ ହୋଇଥିଲେ । ତାଙ୍କ ନିର୍ବାଚନମଣ୍ଡଳୀରେ ସିସୋର କମ୍ପାନିର ବ୍ୟବସାୟ ପାଇଁ ଅନୁଗ୍ରହ ରାଶି ବାବଦକୁ ସେ ସଂସ୍ଥା ମାଲିକ ପ୍ରଶାନ୍ତ ଦାଶଙ୍କଠାରୁ ୨୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ଏହି ଟଙ୍କା ଶ୍ରୀ ବିଶ୍ୱାଳଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନସଫର ହୋଇଥିବା କୁହାଯାଇଥିଲା ।
ସିିସୋର ସଂସ୍ଥା ଲୋକଙ୍କୁ ଅଧିକ ସୁଧର ଲୋଭ ଦେଖାଇ ବିପୁଳ ଟଙ୍କା ଆଦାୟ କରୁଥିଲା । ଏହି ଟଙ୍କାରୁ ୨୫ ଲକ୍ଷ ଟଙ୍କା ପ୍ରଭାତ ବିଶ୍ୱାଳଙ୍କ ପାଖକୁ ଯାଇଥିବା ବେଳେ ୪ କୋଟି ଟଙ୍କା ମିଡିଆ ଗୁରୁ କନସଲଟାଣ୍ଟସ୍ ପ୍ରାଇଭେଟ ଲିମିଟେଡ କୁ ଯାଇଥିଲା । ଏସଟିଭି ଚାନେଲ୍ ସ୍ଥାପନ ପାଇଁ ଏହି ଟଙ୍କା ନୋଇଡ଼ାସ୍ଥିତ ସଂପୃକ୍ତ ସଂସ୍ଥାକୁ ଦିଆଯାଇଥିଲା ।
ରିଜର୍ଭ ବ୍ୟାଙ୍କ ଏବଂ ଷ୍ଟକ୍ ଏକ୍ସଚେଞ୍ଜ ବିନା ଅନୁମତିରେ ଚିଟଫଣ୍ଡ ସଂସ୍ଥା ଜରିଆରେ ଆଦାୟ ଏହି ଟଙ୍କା ମନି ଲଣ୍ଡରିଂ ଆକ୍ଟ, ୨୦୦୦ର ଅନ୍ତର୍ଭୁକ୍ତ ହୋଇଥିବାରୁ ଇଡି ପ୍ରଭାତ ବିଶ୍ୱାଳ ଏବଂ ମିଡିଆ ଗୁରୁ କନସଲଟାଣ୍ଟସ୍ ର ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କା ବାଜ୍ୟାପ୍ତି କରିଛି । ମନି ଲଣ୍ଡରିଂ ମାମଲାରେ ଇଡି ଏ ପର୍ଯ୍ୟନ୍ତ ୨୬୧ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କଲାଣି ।








