ଭୁବନେଶ୍ୱର: ଚଳିତବର୍ଷ କିସ୍ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ଆଜି ଏକ ମହାଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡି଼ଶାର ୩୦ଜିଲ୍ଲାରୁ ୬୦ହଜାର ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ କିସରେ ୧ଲକ୍ଷ ଜନସମାଗମ ହୋଇଥିଲା। ଅଭିଭାବକମାନେ ଯେପରି ସୁରୁଖୁରୁରେ ପହଞ୍ଚି ସମ୍ମିଳନୀରେ ଯୋଗଦେବେ ସେଥିପାଇଁ କିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସେମାନଙ୍କ ରହିବାଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁକିଛି ସୁଚାରୁ ରୂପେ ବ୍ୟବସ୍ଥିତ କରାଯାଇଥିଲା। ଦୂର ଦୂରାନ୍ତରୁ ଆଜି ସକାଳୁ ଅଭିଭାବକମାନେ କିସରେ ପହଞ୍ଚିଥିଲେ। ଅଭିଭାବକମାନେ ଯେପରି ସୁରୁଖୁରୁରେ ସେମାନଙ୍କ ପିଲାମାନଙ୍କ ଭଲମନ୍ଦ ବୁଝିପାରିବେ ସେଥିପାଇଁ କିସ୍ ପରିସରରେ ଜିଲ୍ଲାୱାରୀ ଷ୍ଟଲ୍ମାନ ଖୋଲାଯାଥିଲା।

ସମ୍ମିଳନୀରେ ସମସ୍ତ ଜନଜାତି ଅଭିଭାବକ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଶ୍ରୀ ସାମନ୍ତ କିସ୍କୁ ଏକ ସଫଳ ଅନୁଷ୍ଠାନରେ ପରିଣତ କରିବା ସହ କିସରେ ପଢ଼ୁଥିବା ପ୍ରତ୍ୟେକଟି ପିଲାକୁ ଜଣେ ଜଣେ ସଫଳ ମଣିଷ କରି ଗଢ଼ି ତୋଳିଛନ୍ତି ବୋଲି ସେମାନେ କହିଥିଲେ। ଗତ ୩୦ ବର୍ଷ ମଧ୍ୟରେ ବହୁ ବାଧାବିଘ୍ନ ଆସିଥିଲେ ମଧ୍ୟ ଶ୍ରୀ ସାମନ୍ତ ସେଥିପ୍ରତି ଭ୍ରୁକ୍ଷେପ ନକରି ଜନଜାତିଙ୍କ ସେବାରେ ନିରନ୍ତର ନିଜକୁ ନିୟୋଜିତ କରିଛନ୍ତି। ଫଳରେ କିସ୍ ଆଜି ୩୦ ବର୍ଷର ଏକ ସଫଳ ଅନୁଷ୍ଠାନ। ୩୦ ହଜାର ଛାତ୍ରଛାତ୍ରୀ ଏଠାରୁ ଉତ୍ତୀର୍ଣ୍ଣ ହୋଇସାରିଲେଣି, ଏବେ ଏଠାରେ ୩୦ ହଜାର ପିଲା ପଢ଼ୁଛନ୍ତି ଏବଂ କିସ୍ର ବିଭିନ୍ନ ଶାଖା କ୍ୟାମ୍ପସରେ ୧୦ ହଜାର ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଶ୍ରୀ ସାମନ୍ତଙ୍କୁ ତାଙ୍କ ଉତ୍ସର୍ଗୀକୃତ ଜୀବନ ପାଇଁ ଧନ୍ୟବାଦ ଜଣାଇବା ସହ ଜନଜାତି ଅଭିଭାବକମାନେ ଶ୍ରୀ ସାମନ୍ତଙ୍କୁ ଓଡ଼ିଶାର ପ୍ରତି ଜିଲ୍ଲାରେ କୃତଜ୍ଞତା ଜଣାଇବେ ବୋଲି ଆଜି ଘୋଷଣା କରିଥିଲେ।








