ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହୋଇଛି । ସମୁଦାୟ ୩୭ଟି ଆସନରୁ ପ୍ରଥମ ଦଫାରେ ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି । ଓଡ଼ିଶାରୁ ଦୁଇଟି ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ମନମୋହନ ସାମଲ ଏବଂ ସୁଜିତ୍ କୁମାର । ତେବେ ଆଜି ଘୋଷିତ ଏହି ତାଲିକାରେ ତୃତୀୟ ପ୍ରାର୍ଥୀଙ୍କ ନାଁ ନାହିଁ । ଚତୁର୍ଥ ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ପରେ ସୂଚନା ଦିଆଯାଇଥିଲା । ସମ୍ପୂର୍ଣ୍ଣ ତାଲିକା ଘୋଷଣା ହୋଇ ନ ଥିବାରୁ ଚତୁର୍ଥ ପ୍ରାର୍ଥୀ ନେଇ କେନ୍ଦ୍ରୀୟ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ ।
ମନମୋହନ ସାମଲ ଗତ ସାଧାରଣ ନିର୍ବାଚନରେ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ହାରିଥିଲେ । ରାଜ୍ୟ ସଭାପତି ଭାବେ ସେ ଦାୟିତ୍ୱ ତୁଲାଉଛନ୍ତି । ସୁଜିତ୍ କୁମାର ପୂର୍ବରୁ ବିଜେଡିରୁ ରାଜ୍ୟସଭା ଯାଇଥିଲେ । ଗତବର୍ଷ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପି ପଳାଇ ଆସିଥିଲେ ଏବଂ ବିଜେପି ତାଙ୍କୁ ପ୍ରାର୍ଥୀ କରି ପୁନଃନିର୍ବାଚିତ କରିଥିଲା । ଆସନ୍ତା ଏପ୍ରିଲ୍ ୪ ରେ ତାଙ୍କର କାର୍ଯ୍ୟକାଳ ସରୁଛି । ତାଙ୍କର ସୋ÷ଭାଗ୍ୟ ଯେ ବିଜେପି ତାଙ୍କୁ ପୁଣି ଥରେ ରାଜ୍ୟସଭା ପଠାଇବାକୁ ମନସ୍ଥ କରିଛି । ତେବେ ରାଜ୍ୟସଭା ଯିବା ଆଶା ରଖିଥିବା ଦଳର ଅନେକ ବରିଷ୍ଠ ନେତାଙ୍କୁ ଏଥିପାଇଁ ନିରାଶ ହେବାକୁ ପଡ଼ିଛି ।
Continue Reading







