ଭୁବନେଶ୍ୱର: ୪ ଦିନ ହସ୍ପିଟାଲରେ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ନବୀନ ପଟ୍ଟନାୟକ । ଆଜି ରାତି ୧୦.୨୦ ମିନିଟ୍ ରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ସେ ନବୀନ ନିବାସ ଫେରି ଆସିଛନ୍ତି । ତାଙ୍କର ସୁସ୍ଥତା କାମନା କରିଥିବା ସମସ୍ତଙ୍କୁ ତଥା ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି । ହସ୍ପିଟାଲରେ ତାଙ୍କର ଭଲ ଭାବରେ ଯତ୍ନ ନିଆଯାଇଥିବାରୁ ସେଥିପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ଡିହାଇଡ୍ରେସନ୍ ଯୋଗୁଁ ଗତ ୧୭ ତାରିଖ ସଂଧ୍ୟାରେ ସେ ସମ୍ମମ୍ ଅଲଟିମେଟ୍ ରେ ଭର୍ତ୍ତି ହୋଇଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସମସ୍ତଙ୍କର ଉଦବେଗ ଥିଲା । ତାଙ୍କର ଆଶୁ ଆରୋଗ୍ୟ କାମନା କରି ସମସ୍ତେ ପ୍ରାର୍ଥନା କରିଥିଲେ । କେବଳ ବିଜେଡି ପରିବାର ନୁହଁନ୍ତି, ଶାସକ ଦଳର ନେତାଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତାଙ୍କଠାରୁ ଆରମ୍ଭ କରି ପିସିସି ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।
ହସ୍ପିଟାଲରୁ ଡିସଚାର୍ଜ ହେଲା ପରେ ନବୀନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଁ ବିଲକୁଲ୍ ଭଲ ଅଛି( I am fine now) ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ।