ଭୁୁବନେଶ୍ୱର: ଦୁବାଇ ନିବେଶକ ସମ୍ମିଳନୀରେ ଓଡ଼ିଶାକୁ ୨୧ ହଜାର କୋଟିର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଛି । ଏଥିରେ ୧୯ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଦୁବାଇରେ ଆୟୋଜିତ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରୁ ଏହି ସଫଳତା ମିଳିଛି । ଲୁଲୁ ଗ୍ରୁପ୍, ଏନବିଟିସି ଗ୍ରୁପ୍, ସରାଫ୍ ଗ୍ରୁପ୍, ଟ୍ୱେଣ୍ଟି ଫୋର୍ଟିନ୍ ହୋଲଡିଂ ଆଣ୍ଡ ଟାବଲେଜ ଗ୍ରୁପ୍, ଶୋଭା ଗ୍ରୁପ୍, ଆରବ ଆଣ୍ଡ ଇଣ୍ଡିଆ ସ୍ପାଇସେସ୍ ଏଲଏଲସି, ତବରିଦ ଆଣ୍ଡ ଡିପି ଭଳି ମଧ୍ୟପ୍ରାଚ୍ୟରର ବୃହତ୍ତ ଶିଳ୍ପସଂସ୍ଥାଗୁଡ଼ିକ ଏହି ପୁଞ୍ଜି ନିବେଶ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ଇନଫ୍ରାଷ୍ଟ୍ରକଚର, ହସ୍ପିଟାଲିଟି, ଲଜିଷ୍ଟିକ୍, କେମିକାଲ୍ସ, ଫୁଡ୍ ପ୍ରସେସିଂ ଆଦି କ୍ଷେତ୍ରରେ ଏହି ପୁଞ୍ଜି ବିନିଯୋଗ ହେବ ।

ଆସନ୍ତା ନଭେମ୍ବର ୩୦ ରୁ ଡିସେମ୍ବର ୪ ଯାଏଁ ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ହେବ ବୋଲି ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମେଟାଲ୍ସ ଏବଂ ମେଟାଲ୍ସ ଡାଉନଷ୍ଟ୍ରିମ୍, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ, ଟେକ୍ସାଟାଇଲ୍ସ, ଫୁଡ୍ ପ୍ରସେସିଂ, କ୍ଲିନ୍ ଏନର୍ଜି ପ୍ରଭୃତି କ୍ଷେତ୍ରକୁ ଏଥିରେ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମଧ୍ୟ ପ୍ରାଚ୍ୟର ନିବେଶକମାନଙ୍କୁ ଏଥିରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି ।

ଦୁବାଇର ହୋଟେଲ୍ ଓବେରୟଠାରେ ଆୟୋଜିତ ହୋଇଥିଲା ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ । ଫିକି ଏବଂ ୟୁଏଇର ଭାରତୀୟ ଦୂତାବାସ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୟୁଏଇ ଏବଂ ଏମଇଏନଏ ରିଜନ୍ ରୁ ୧୫୦ ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଥିଲେ ।

ଓଡ଼ିଶା ସରକାରଙ୍କ ପକ୍ଷରୁ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମ୍’ ଶୀର୍ଷକରେ ଏକ ଉପସ୍ଥାପନା କରାଯାଇଥିଲା । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ କିଭଳି ବିପୁଳ ସୁଯୋଗ ରହିଛି ସେଥିରେ ଦର୍ଶାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାର ଖଣିଜ ସମ୍ପଦ, ଦକ୍ଷ ମାନବସମ୍ବଳ, ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଏବଂ ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପନୀତି ଉପରେ ଆଲୋକପାତ କରିଥିଲେ ।
ଏହି ଇନଭେଷ୍ଟର୍ସ ମିଟ୍ ରେ ଓଡ଼ିଶାରୁ ଜିନ୍ଦଲ, ଜେଏସଡବ୍ଲ. ପିପିଏଲ, ହିଣ୍ଡାଲକୋ, ବେଦାନ୍ତ, ଇମଫା, ଆଇଓସିଏଲ, ଟାଟା ଷ୍ଟିଲ୍ ପ୍ରଭୃତିର ପ୍ରତିନିଧି ମାନେ ସାମିଲ ହୋଇଥିଲେ ।








